Latest Odisha News

BREAKING NEWS

ଆଇକନ ଫାର୍ମ ହାଉସ ଡକାୟତି ଘଟଣା: ୨୪ ଘଣ୍ଟା ମଧ୍ୟରେ ୭ ଅଭିଯୁକ୍ତ ଗିରଫ,ଲୁଟ ସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର ଜବତ

ଗଞ୍ଜାମ:କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଗୋକୁଳପଲ୍ଲୀ ନିକଟସ୍ଥ ଆଇକନ ଫାର୍ମ ହାଉସରେ ହୋଇଥିବା ସଶସ୍ତ୍ର ଡକାୟତି ଘଟଣାର ପର୍ଦ୍ଦାଫାଶ । ମାତ୍ର ୨୪ ଘଣ୍ଟା ମଧ୍ୟରେ ପୋଲିସ ସଫଳତାର ସହ ପର୍ଦ୍ଦାଫାଶ କରିଛି । ଏହି ମାମଲାରେ ପୋଲିସ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ଲୁଟ ହୋଇଥିବା ସାମଗ୍ରୀ, ନଗଦ ଟଙ୍କା ଏବଂ ଅପରାଧରେ ବ୍ୟବହୃତ ଅସ୍ତ୍ରଶସ୍ତ୍ର ଜବତ କରିଛି ।

ପୋଲିସ ଏହି ଚଢ଼ାଉରେ ମୁଖ୍ୟ ଅଭିଯୁକ୍ତ ସନ୍ତୋଷ ମହାପାତ୍ର ଓ ମନୋରଞ୍ଜନ ଗୌଡ଼ଙ୍କ ସମେତ ରୁଦ୍ରନାରାୟଣ ସେଠୀ, ଶୁଭମ ରାଉତ, ଜିତେନ୍ଦ୍ର ଖଟେଇ ଓରଫ ହିନ, ଦୂତିକୃଷ୍ଣ ନାୟକ ଏବଂ ରାଜୀବ କୁମାର ଦାସଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କ ନିକଟରୁ ବ୍ୟବହୃତ ଦେଶୀ ପିସ୍ତଲ ଓ ୩ ରାଉଣ୍ଡ ଜୀବନ୍ତ ଗୁଳି ସମେତ ଲୁଟ ସାମଗ୍ରୀ, ମୋବାଇଲ ଓ ୨ଟି ବାଇକ ଜବତ ହୋଇଛି।

ସୂଚନାନୁସାରେ, ଗତ ଜୁନ ୧୯ ତାରିଖ ଦିନ ସନ୍ଧ୍ୟା ପ୍ରାୟ ୮ଟା ସମୟରେ ୬ ଜଣ ଦୁର୍ବୃତ୍ତ ଗୋକୁଳପଲ୍ଲୀ ଗ୍ରାମର ରଜନୀକାନ୍ତ ମିଶ୍ରଙ୍କ ଫାର୍ମ ହାଉସରେ ପ୍ରବେଶ କରିଥିଲେ । ସେମାନେ ବନ୍ଧୁକ ଦେଖାଇ ପରିବାର ଲୋକଙ୍କୁ ବାନ୍ଧି ପକାଇବା ସହ ଘରୁ ପ୍ରାୟ ୧୫ ତୋଳା ସୁନା ଅଳଙ୍କାର, ନଗଦ ୧୨,୦୦୦ ଟଙ୍କା ଏବଂ ଦୁଇଟି ମୋବାଇଲ ଫୋନ ଲୁଟ କରି ଫେରାର ହୋଇଯାଇଥିଲେ । ଏ ନେଇ ଥାନାରେ ଅଭିଯୋଗ ହେବା ପରେ କବିସୂର୍ଯ୍ୟନଗର ଥାନା କେସ୍ ନଂ-୪୦୭, ଧାରା ୩୧୦(୨) ବିଏନଏସ ସହ ୨୫/୨୭ ଆର୍ମସ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।

ତେବେ ଗଞ୍ଜାମ ଏସପିଙ୍କ ନିର୍ଦ୍ଦେଶକ୍ରମେ ଏକ ସ୍ୱତନ୍ତ୍ର ପୋଲିସ ଟିମ୍ ଗଠନ କରାଯାଇଥିଲା । ଏହି ମିଳିତ ଅପରେସନରେ କବିସୂର୍ଯ୍ୟନଗର ଥାନା, ପୋଲସରା ଆଇଆଇସି, ବାଲିପଦର ଆଉଟପୋଷ୍ଟ ଏବଂ ଆସ୍କା ଥାନାର କର୍ମଚାରୀମାନେ ସାମିଲ ହୋଇଥିଲେ । ସାଇଣ୍ଟଫିକ୍ ଦଳ ଓ ଫିଙ୍ଗର ପ୍ରିଣ୍ଟ ବିଶେଷଜ୍ଞଙ୍କ ସହାୟତାରେ ସାକ୍ଷ୍ୟ ସଂଗ୍ରହ କରାଯିବା ସହ ଗୁଇନ୍ଦା ସୂଚନା ଆଧାରରେ କଙ୍କଣାଦେଇ ମନ୍ଦିର ନିକଟସ୍ଥ ଜଙ୍ଗଲରେ ଚଢ଼ାଉ କରାଯାଇଥିଲା।

ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଦୁଇ ଅଭିଯୁକ୍ତ ହିତେଶ ସ୍ୱାଇଁ ଓ ଶ୍ୱେତା ଖଟେଇ ବର୍ତ୍ତମାନ ଫେରାର ଅଛନ୍ତି ଏବଂ ସେମାନଙ୍କୁ ଧରିବା ପାଇଁ ପୋଲିସ ଚଢ଼ାଉ ଜାରି ରଖିଛି ।

Leave A Reply

Your email address will not be published.