ଭୁବନେଶ୍ୱର: ପେଟ ପାଇଁ ଦାଦନ ଖଟିବାକୁ ସୁଦୂର ତାମିଲନାଡୁ ଯାଇଥିବା ଓଡ଼ିଶାର ଶ୍ରମିକଙ୍କ ମୁଣ୍ଡ ଉପରେ ଚଡ଼କ ପଡ଼ିଛି। ତାମିଲନାଡୁର ତିରୁଭାଲୁର ଜିଲ୍ଲାରେ ଘଟିଥିବା ସୀ-ଫୁଡ୍ କାରଖାନାରେ ବିଷାକ୍ତ ଆମୋନିଆ ଗ୍ୟାସ୍ ଲିକ୍ ଘଟଣାରେ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି ପାଇଛି। ସବୁଠାରୁ ଦୁଃଖଦ ବିଷୟ ହେଉଛି, ଏହି ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଶ୍ରମିକଙ୍କ ମଧ୍ୟରୁ ଅଧିକାଂଶ ଓଡ଼ିଶାର ବୋଲି ଜଣାପଡ଼ିଛି। ବିଶେଷ କରି କେନ୍ଦୁଝର ଜିଲ୍ଲାର ଅତି ପଛୁଆ ଜୁଆଙ୍ଗ ସମ୍ପ୍ରଦାୟର ଗରିବ ଆଦିବାସୀ ଯୁବତୀମାନେ ଏହି ବିଷାକ୍ତ ଗ୍ୟାସର ଶିକାର ହୋଇ ଆଖି ବୁଜିଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ପୀଡ଼ିତଙ୍କ ଗାଁରେ ଏବେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ତାମିଲନାଡୁ ସରକାରଙ୍କ ହେଲଥ ବୁଲେଟିନ୍ ଅନୁଯାୟୀ, ଗତ ରବିବାର ପେରିୟାପାଲାୟମ୍ ନିକଟସ୍ଥ କନ୍ନିଗାଇପେର ଗ୍ରାମରେ ଥିବା ଏକ ଚିଙ୍ଗୁଡ଼ି ରପ୍ତାନୀ କାରଖାନାରେ ରୁଟିନ୍ କାମ ଚାଲିଥିବା ବେଳେ ବରଫ ତିଆରି ମେସିନ୍ର ପାଇପ୍ ଲାଇନ୍ ଭାଲ୍ଭ୍ରେ ତ୍ରୁଟି ଯୋଗୁଁ ହଠାତ୍ ଆମୋନିଆ ଗ୍ୟାସ୍ ଲିକ୍ ହୋଇଥିଲା। ରବିବାର ଛୁଟିଦିନ ହୋଇଥିବାରୁ ପ୍ରାୟ ୧୨୦ରୁ ଅଧିକ ପ୍ରବାସୀ ଶ୍ରମିକ କାରଖାନା ପରିସରରେ ଥିବା ରହଣି ସ୍ଥଳ (ଆକୋମୋଡେସନ) ରେ ଥିଲେ। ଗ୍ୟାସର ତୀବ୍ରତା ଏତେ ଅଧିକ ଥିଲା ଯେ ଶ୍ରମିକମାନେ କିଛି ବୁଝିବା ପୂର୍ବରୁ ସେମାନଙ୍କ ଶ୍ୱାସକ୍ରିୟା ବନ୍ଦ ହୋଇଯାଇଥିଲା ଏବଂ କେତେକଙ୍କ ପାଟି ଓ ନାକରୁ ରକ୍ତସ୍ରାବ ମଧ୍ୟ ହୋଇଥିଲା।
ସୂଚନା ଅନୁଯାୟୀ, ଗ୍ୟାସ ଆଘ୍ରାଣ କରି ମୃତ୍ୟୁବରଣ କରିଥିବା ଓଡ଼ିଶାର ୭ ଜଣ ମହିଳା ଶ୍ରମିକଙ୍କୁ ଚିହ୍ନଟ କରାଯାଇଛି। ସେମାନେ ହେଲେ କେନ୍ଦୁଝର ଜିଲ୍ଲା ରଙ୍ଗାମାଟିଆ ଗ୍ରାମର ୧୫ ବର୍ଷୀୟା ନାବାଳିକା ଗୁମାନୀ ଜୁଆଙ୍ଗ, କୋଡ଼ିପାସାର ଫୁଲମଣି ଜୁଆଙ୍ଗ, ଦୁବାନଲିର ଶିବାନୀ ଜୁଆଙ୍ଗ, ଗୀତା ଜୁଆଙ୍ଗ, ଚମ୍ପାବତୀ ଜୁଆଙ୍ଗ, ପୂର୍ଣ୍ଣିମା ଜୁଆଙ୍ଗ ଓ ପାର୍ବତୀ ଜୁଆଙ୍ଗ। ଅତି ଗରିବ ଶ୍ରେଣୀର ଏହି ପରିବାରଗୁଡ଼ିକୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ଏହି ଝିଅମାନେ ସୁଦୂର ତାମିଲନାଡୁକୁ କାମ କରିବାକୁ ଯାଇଥିଲେ।
ଏହି ଦୁର୍ଘଟଣାରେ ପ୍ରାୟ ୮୦ ଜଣ ଶ୍ରମିକ ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି, ଯେଉଁମାନଙ୍କ ମଧ୍ୟରୁ ଓଡ଼ିଶାର ୨୯ ଜଣ ଶ୍ରମିକ ଅଛନ୍ତି। ବର୍ତ୍ତମାନ ତାମିଲନାଡୁର ଚେନ୍ନାଇ ସ୍ଥିତ ଷ୍ଟାନଲି ମେଡିକାଲ କଲେଜ, ରାଜୀବ ଗାନ୍ଧୀ ଜେନେରାଲ ହସ୍ପିଟାଲ ଏବଂ ଅନ୍ୟାନ୍ୟ ଘରୋଇ ହସ୍ପିଟାଲରେ ୬୮ ଜଣ ଚିକିତ୍ସିତ ହେଉଛନ୍ତି। ଏମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଏବେ ମଧ୍ୟ ସଙ୍କଟାପନ୍ନ ରହିଛି ଏବଂ ସେମାନଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଛି। ଓଡ଼ିଶା ବ୍ୟତୀତ ଆସାମ, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ଶ୍ରମିକ ମଧ୍ୟ ଏଥିରେ ଆହତ ହୋଇଛନ୍ତି।
ଘଟଣାର ଗମ୍ଭୀରତାକୁ ଦେଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ଏହାସହ ରାଜ୍ୟ ଶ୍ରମ ବିଭାଗର ସ୍ୱତନ୍ତ୍ର ସଚିବ ରାଜେଶ ଅଗ୍ରୱାଲଙ୍କ ନେତୃତ୍ୱରେ ଏକ ୩ ଜଣିଆ ଉଚ୍ଚସ୍ତରୀୟ ଟିମ୍ ତୁରନ୍ତ ତାମିଲନାଡୁ ଗସ୍ତ କରିଛି। ଓଡ଼ିଶା ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ମଧ୍ୟ ତାମିଲନାଡୁ ପ୍ରଶାସନ ସହ ନିୟମିତ ଯୋଗାଯୋଗରେ ଅଛନ୍ତି। ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇବା ଏବଂ ପୋଷ୍ଟମର୍ଟମ ପରେ ମୃତଦେହଗୁଡ଼ିକୁ ଓଡ଼ିଶା ଫେରାଇ ଆଣିବା ପାଇଁ ସରକାର ସମସ୍ତ ବ୍ୟବସ୍ଥା କରୁଥିବା ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ସୂଚନା ଦେଇଛନ୍ତି।
ଅନ୍ୟପଟେ, ଜାତୀୟ ମାନବାଧିକାର କମିଶନ ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ସ୍ୱତଃପ୍ରବୃତ୍ତ ମାମଲା ରୁଜୁ କରିଛନ୍ତି ଏବଂ ତାମିଲନାଡୁ ସରକାରଙ୍କୁ ଦୁଇ ସପ୍ତାହ ମଧ୍ୟରେ ରିପୋର୍ଟ ତଲବ କରିଛନ୍ତି। କାରଖାନାରେ ଶିଶୁ ଶ୍ରମିକ ନିୟୋଜିତ ଥିବାରୁ ପୋଲିସ ଏବେ ବାଲ୍ୟ ଶ୍ରମିକ ନିଷେଧ ଆଇନ ଅଧୀନରେ ମଧ୍ୟ କାରଖାନା ମାଲିକଙ୍କ ବିରୋଧରେ ମାମଲା ଦାୟର କରି ତଦନ୍ତ ଚଳାଇଛି।
