Latest Odisha News

BREAKING NEWS

ସରକାରୀ ପ୍ରେସ୍‌ ଥାଉ ଥାଉ ଘରୋଇ ସଂସ୍ଥାକୁ ଟେକି ଦେଲେ ବହି ଛପା: ଉଡ଼ିଗଲା ୨୧ କୋଟି, ଏବେ ଭୁଲ୍‌ ବାହାରିବାରୁ ଦୋଷ ଲଦାଲଦି!

ଭୁବନେଶ୍ୱର: ନିଜର ସମସ୍ତ ସରକାରୀ ଭିତ୍ତିଭୂମି ଓ କ୍ଷମତା ଥାଇ ମଧ୍ୟ କାହିଁକି ବେସରକାରୀ ସଂସ୍ଥା ଉପରେ ଏତେ ଅହେତୁକ ଅନୁକମ୍ପା? ଏମିତି ଏକ ପ୍ରଶ୍ନ ଏବେ ରାଜ୍ୟ ଶିକ୍ଷା ବିଭାଗର ସ୍ୱଚ୍ଛତା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନୂଆ ପାଠ୍ୟପୁସ୍ତକରେ ହଜାର ହଜାର ଭୁଲ୍‌କୁ ନେଇ ସାରା ରାଜ୍ୟରେ ହଟଚମଟ ଚାଲିଥିବା ବେଳେ, ଏବେ ଏହା ପଛର ଆଉ ଏକ ସନ୍ଦେହଜନକ ତଥ୍ୟ ପଦାକୁ ଆସିଛି। ରାଜ୍ୟ ପାଠ୍ୟପୁସ୍ତକ ପ୍ରଣୟନ ଓ ବିପଣନ ନିର୍ଦ୍ଦେଶାଳୟ ପାଖରେ ନିଜସ୍ୱ ସରକାରୀ ମୁଦ୍ରଣାଳୟ ଥିବା ସତ୍ତ୍ୱେ ଏଥର ବହି ଛାପିବା ପାଇଁ ଘରୋଇ ପ୍ରେସ୍‌ଗୁଡ଼ିକୁ ପ୍ରାୟ ୨୧ କୋଟି ଟଙ୍କା ପାଣି ଭଳି ବୁହାଇ ଦିଆଯାଇଥିବା ସ୍ପଷ୍ଟ ହୋଇଛି।

 

ସରକାରୀ ନିୟମ ଅନୁଯାୟୀ ସ୍କୁଲ ପିଲାଙ୍କ ପାଠ୍ୟପୁସ୍ତକ ସରକାରୀ ପ୍ରେସ୍‌ରେ ହିଁ ମୁଦ୍ରଣ ହେବା କଥା। ମାତ୍ର ଚଳିତ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଏହି ନିୟମକୁ କୋହଳ କରାଯାଇ କାର୍ଯ୍ୟର ଏକ ବଡ଼ ଅଂଶ ବେସରକାରୀ ସଂସ୍ଥା ହାତକୁ ଟେକି ଦିଆଯାଇଥିଲା। ବର୍ତ୍ତମାନ ବହିଗୁଡ଼ିକରେ ପ୍ରାୟ ୧,୬୭୮ଟି ସାଂଘାତିକ ତଥ୍ୟଗତ ଓ ବ୍ୟାକରଣଗତ ଭୁଲ୍ ଚିହ୍ନଟ ହେବା ପରେ ଏହି ଆଉଟ୍‌ସୋର୍ସିଂ ନିଷ୍ପତ୍ତିକୁ ନେଇ ତୀବ୍ର ସମାଲୋଚନା ଆରମ୍ଭ ହୋଇଛି। ଘରୋଇ ସଂସ୍ଥାଗୁଡ଼ିକରେ ସଠିକ୍ ଭାବେ ‘ପ୍ରୁଫ୍ ରିଡିଙ୍ଗ୍’ ବା ତ୍ରୁଟି ସଂଶୋଧନ କରା ନଯାଇ ମନଇଚ୍ଛା ବହି ଛାପି ଦିଆଯାଇଥିବା ଅଭିଯୋଗ ହେଉଛି।

 

ଏହି ବିବାଦ ଉପରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଆପତ୍ତି କରାଯିବା ପରେ ପାଠ୍ୟପୁସ୍ତକ ପ୍ରଣୟନ ଓ ବିପଣନ ନିର୍ଦ୍ଦେଶାଳୟ ପକ୍ଷରୁ ଏକ ସ୍ପଷ୍ଟୀକରଣ ଦିଆଯାଇଛି। ନିର୍ଦ୍ଦେଶାଳୟ କହିଛି ଯେ, ପୂର୍ବ ବର୍ଷ ତୁଳନାରେ ଏଥର ଓସେପାର ଆକଳନ ଅନୁସାରେ ପ୍ରାୟ ୨.୯୮ କୋଟି ବହି ଛାପିବାର ଆବଶ୍ୟକତା ଥିଲା। ନୂଆ ଜାତୀୟ ଶିକ୍ଷା ନୀତି (NEP ୨୦୨୦) ଏବଂ ରାଜ୍ୟ ପାଠ୍ୟକ୍ରମ ୨୦୨୫ ଆଧାରରେ ୫୫ଟି ବିଷୟର ବହି ପ୍ରସ୍ତୁତ କରାଯାଇଥିଲା। ଏହି ନୂଆ ବହିଗୁଡ଼ିକରେ ପୃଷ୍ଠା ସଂଖ୍ୟା ଅଧିକ ଥିବା ସହ ମଲ୍ଟି-କଲର୍ (ରଙ୍ଗୀନ) ଛପାର ଆବଶ୍ୟକତା ଥିଲା। ସରକାରୀ ପ୍ରେସ୍‌ରେ ନିର୍ଦ୍ଧାରିତ ସମୟ ମଧ୍ୟରେ ଏତେ ବଡ଼ ପରିମାଣର କାମ ଶେଷ କରିବା ସମ୍ଭବ ନଥିବାରୁ, ସରକାରୀ ଅନୁମୋଦନ କ୍ରମେ ୨୧ କୋଟି ଟଙ୍କା ବ୍ୟୟରେ ଏହାକୁ ବେସରକାରୀ ପ୍ରେସ୍‌କୁ ଦିଆଯାଇଥିଲା। ତେବେ ପୂର୍ବରୁ ଅଭିଯୋଗ ଅନୁଯାୟୀ ୧୬୫ କୋଟି ଟଙ୍କାର ବ୍ୟୟ ଅଟକଳକୁ ନିର୍ଦ୍ଦେଶାଳୟ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିଛି।

 

ଏହି ଭୁଲ୍ ଛପା ଘଟଣାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅତ୍ୟନ୍ତ ଗମ୍ଭୀରତାର ସହ ନେଇଛନ୍ତି। ଉନ୍ନୟନ କମିଶନର ଡି.କେ. ସିଂହଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ୩ ଜଣିଆ କମିଟି ଗଠନ କରାଯାଇ ଏହାର ତଦନ୍ତ ଚାଲିଛି। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମଧ୍ୟ ଏହି କମିଟି ସହ ନିୟମିତ ବୈଠକ କରୁଛନ୍ତି। ରାଜ୍ୟର ଲକ୍ଷ ଲକ୍ଷ କୋମଳମତି ଶିଶୁଙ୍କ ଭବିଷ୍ୟତ ସହ ଖେଳ ଖେଳିଥିବା ଏବଂ କ୍ଷମତା ଥାଇ ମଧ୍ୟ ସରକାରୀ ପାଣ୍ଠିକୁ ଘରୋଇ ସଂସ୍ଥା ହାତରେ ଟେକି ଦେଇଥିବା ଦୋଷୀ ଅଧିକାରୀ କିମ୍ବା ଏଜେନ୍ସି ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସଂକେତ ମିଳିଛି।

Leave A Reply

Your email address will not be published.