ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ଆସିଲା ସବୁଠାରୁ ବଡ଼ ଚେତାବନୀ। ଆଗାମୀ ୨୪ ଘଣ୍ଟା ମଧ୍ୟରେ ପ୍ରକୃତି ରଚିପାରେ ତାଣ୍ଡବ। ଆକାଶରେ କଳାହାଣ୍ଡିଆ ମେଘ ଜମିବା ସହ ହଠାତ୍ ସୃଷ୍ଟି ହୋଇପାରେ ଭୟଙ୍କର ସ୍ଥିତି। ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଜାରି ସଦ୍ୟତମ ବୁଲେଟିନ୍ ଅନୁଯାୟୀ, ରାଜ୍ୟର ମୋଟ ୧୪ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ କାଳବୈଶାଖୀ ଓ ବଜ୍ରପାତର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ଜିଲ୍ଲାଗୁଡ଼ିକୁ ସତର୍କ ସୂଚନା ଜାରି କରାଯାଇଛି।
ପାଣିପାଗ ବିଜ୍ଞାନୀଙ୍କ ସୂଚନା ଅନୁସାରେ, ବାୟୁମଣ୍ଡଳରେ ସୃଷ୍ଟ ସାମୁଦ୍ରିକ ପ୍ରଭାବ ଓ ଲଘୁଚାପ ଯୋଗୁଁ ମେଘ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆଜି ରାତିରୁ ଆସନ୍ତାକାଲି ମଧ୍ୟାହ୍ନ ମଧ୍ୟରେ କେତେକ ସ୍ଥାନରେ ପ୍ରତି ଘଣ୍ଟାରେ ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିବା ସହ ବିଜୁଳି ମାରିବାର ସମ୍ଭାବନା ରହିଛି।
ପାଣିପାଗ କେନ୍ଦ୍ର ପକ୍ଷରୁ ମୁଖ୍ୟତଃ ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲାଗୁଡ଼ିକ ହେଲା ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ନୟାଗଡ଼ ଏବଂ ଗଜପତି। ଏହି ଅଞ୍ଚଳମାନଙ୍କରେ ସ୍ୱଳ୍ପ ସମୟ ମଧ୍ୟରେ ଅତି ପ୍ରବଳ ବର୍ଷା ହୋଇପାରେ, ଯାହାଫଳରେ ତଳିଆ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଉପୁଜିବାର ଭୟ ରହିଛି।
ବର୍ତ୍ତମାନ ସମୟରେ ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା ବଢ଼ୁଥିବାରୁ ପାଣିପାଗ ବିଭାଗ ଜନସାଧାରଣଙ୍କୁ ବିଶେଷ ଭାବେ ସତର୍କ କରାଇଛି। ବର୍ଷା କିମ୍ବା କାଳବୈଶାଖୀ ସମୟରେ ଖୋଲା ପଡ଼ିଆ, ବିଲବାଡ଼ି କିମ୍ବା ଗଛ ମୂଳେ ଆଶ୍ରୟ ନନେଇ ପକ୍କା ଘର ଭିତରେ ରହିବାକୁ କୁହାଯାଇଛି।
