ନୂଆଦିଲ୍ଲୀ: ଚଳିତ ମହିଳା ଟି୨୦ ବିଶ୍ୱକପ କ୍ରିକେଟ ଅବସରରେ ଭାରତର ଉଦୀୟମାନ ସ୍ପିନର ଶ୍ରୀଚରଣୀ ୧ ନମ୍ବର ବୋଲର ହୋଇଛନ୍ତି । ସେ ଇଂଲଣ୍ଡର ଲିସି ସ୍ମିଥଙ୍କୁ ପଛରେ ପକାଇ ଦେଇଛନ୍ତି । ବିଶ୍ୱକପରେ ୨୧ ବର୍ଷୀୟା ଶ୍ରୀଚରଣୀ ୩ଟି ମ୍ୟାଚରେ ୧୦ଟି ୱିକେଟ ଅକ୍ତିଆର କରିଛନ୍ତି । ଭାରତର ସର୍ବକନିଷ୍ଠ ଖେଳାଳି ଭାବେ ସେ ଏହି ସଫଳତା ଅର୍ଜନ କରିଛନ୍ତି । ୧ ବର୍ଷ ମଧ୍ୟରେ ଶ୍ରୀଚରଣୀ ତାଙ୍କ ଦକ୍ଷତା ପ୍ରତିପାଦିତ କରିପାରିଛନ୍ତି । ପୂର୍ବରୁ ଦୀପ୍ତି ଶର୍ମା ୨୭ ବର୍ଷରେ ଏକ ନମ୍ବର ବୋଲର ହୋଇଥିଲେ ।
ବ୍ୟାଟର୍ସ ର୍ୟାଙ୍କିଙ୍ଗରେ ଭାରତର ୩ଜଣ ପ୍ରଥମ ୧୦ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି । ସ୍ମୃତି ମାନ୍ଧନା ୭୪୯ ରେଟିଂ ପଂଏଟ ସହ ୫ମ ସ୍ଥାନରେ ରହିଛନ୍ତି । ସେହିପରି ଓପନର ଶେଫାଳୀ ବର୍ମା ଷଷ୍ଠ ଓ ହରମନପ୍ରୀତ କୌର ୧୦ମରେ ରହିଛନ୍ତି । ଅଲରାଉଣ୍ଡର ର୍ୟାଙ୍କିଙ୍ଗରେ ଦୀପ୍ତି ଶର୍ମା ୩୪୬ ରେଟିଂ ପଂଏଟ ସହ ୪ର୍ଥ ସ୍ଥାନରେ ରହିଛନ୍ତି । ୱେଷ୍ଟଇଣ୍ଡିଜର ହେଲୀ ମାଥ୍ୟୁଜ ଓ ନ୍ୟୁଜିଲାଣ୍ଡର ଅମିଲିୟା ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।
