Bob Blair: ଜନ୍ମଦିନରେ ଦୁନିଆକୁ ବିଦାୟ କହିଲେ ଏହି କିମ୍ବଦନ୍ତୀ କ୍ରିକେଟର…ପ୍ରେମିକାଙ୍କ ମୃତ୍ୟୁ ଖବର ଶୁଣି ବି ବ୍ୟାଟ୍ ଧରି ପଡିଆକୁ ଓହ୍ଲାଇଥିଲେ…
ନୂଆଦିଲ୍ଲୀ: କ୍ରିକେଟ କେବଳ ରନ୍, ୱିକେଟ୍ ଓ ରେକର୍ଡର କାହାଣୀ ନୁହେଁ। କେତେକ ଖେଳାଳି ନିଜ ସାହସ, ତ୍ୟାଗ ଓ ମାନବିକତା ପାଇଁ ଇତିହାସରେ ଅମର ହୋଇ ରହିଯାଆନ୍ତି। ନ୍ୟୁଜିଲ୍ୟାଣ୍ଡର ପୂର୍ବତନ ଦ୍ରୁତ ବୋଲର ବବ୍ ବ୍ଲେୟାର ସେହିଭଳି ଜଣେ କ୍ରିକେଟର ଥିଲେ। ସେ ଆଜି ଆଉ ଏହି ଦୁନିଆରେ ନାହାନ୍ତି । ମଙ୍ଗଳବାର ନିଜ ୯୪ତମ ଜନ୍ମଦିନରେ ଇଂଲଣ୍ଡରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ନ୍ୟୁଜିଲାଣ୍ଡର ପୂର୍ବତନ ଦ୍ରୁତ ବୋଲର ବବ୍ ବ୍ଲେୟାର କେବଳ ଜଣେ କ୍ରିକେଟର ନଥିଲେ ବରଂ ସାହସ, ସଂଘର୍ଷ ଏବଂ କ୍ରୀଡାପ୍ରେମର ପ୍ରତୀକ ଥିଲେ। ନ୍ୟୁଜିଲାଣ୍ଡ କ୍ରିକେଟ୍ ବୋର୍ଡ ବ୍ଲେୟାରଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛି। ତାଙ୍କ ସ୍ମୃତିରେ, ନଟିଂହାମରେ ଇଂଲଣ୍ଡ ବିପକ୍ଷରେ ତୃତୀୟ ଟେଷ୍ଟର ପ୍ରଥମ ଦିନରେ ନ୍ୟୁଜିଲାଣ୍ଡ ଦଳ କଳା ପଟି ପିନ୍ଧିବ।
୧୯୫୨ ରୁ ୧୯୬୪ ମଧ୍ୟରେ ନ୍ୟୁଜିଲାଣ୍ଡ ପାଇଁ ୧୯ ଟେଷ୍ଟ ମ୍ୟାଚ୍ ଖେଳିଥିବା ବ୍ଲେୟାର ୪୩ ୱିକେଟ୍ ନେଇଥିଲେ। ଘରୋଇ କ୍ରିକେଟରେ ତାଙ୍କର ରେକର୍ଡ ଆହୁରି ପ୍ରଭାବଶାଳୀ ଥିଲା, ଯେଉଁଠାରେ ସେ ୫୯ ପ୍ରଥମ ଶ୍ରେଣୀ ମ୍ୟାଚ୍ ରେ ୩୩୦ ୱିକେଟ୍ ନେଇଥିଲେ। ୧୯୫୬-୫୭ ସିଜିନ୍ ତାଙ୍କ କ୍ୟାରିୟରର ସବୁଠାରୁ ସ୍ମରଣୀୟ ଥିଲା, ଯେତେବେଳେ ସେ ମାତ୍ର ୯ ହାରରେ ୪୬ ୱିକେଟ୍ ନେଇଥିଲେ ଏବଂ ଗୋଟିଏ ଇନିଂସରେ ଦୁଇଥର ନଅ ୱିକେଟ୍ ନେଇଥିଲେ।

ବ୍ଲେୟାରଙ୍କୁ କ୍ରିକେଟ ଇତିହାସରେ କେବଳ ତାଙ୍କ ପ୍ରଦର୍ଶନ ପାଇଁ ନୁହେଁ ବରଂ ୧୯୫୩ ଦକ୍ଷିଣ ଆଫ୍ରିକା ଗସ୍ତ ସମୟରେ ସେ ପ୍ରଦର୍ଶନ କରିଥିବା ଅବିଶ୍ୱସନୀୟ ସାହସ ପାଇଁ ମଧ୍ୟ ମନେ ରଖାଯାଏ। ଏଲିସ୍ ପାର୍କରେ ଦ୍ୱିତୀୟ ଟେଷ୍ଟ ଖେଳାଯାଉଥିଲା। ମ୍ୟାଚ୍ର ଦ୍ୱିତୀୟ ଦିନ ସକାଳେ ୨୧ ବର୍ଷୀୟ ବ୍ଲେୟାର ଏହି ଦୁଃଖଦ ଖବର ପାଇଲେ ଯେ ତାଙ୍କ ପ୍ରେମିକା ନେରିସା ଲଭ୍ ଖ୍ରୀଷ୍ଟମାସ ପୂର୍ବ ସନ୍ଧ୍ୟାରେ ଟାଙ୍ଗିୱାଇ ଟ୍ରେନ୍ ଦୁର୍ଘଟଣାର ଶିକାର ହୋଇଛନ୍ତି। ଏହି ଦୁର୍ଘଟଣାରେ ମୋଟ ୧୫୧ ଜଣଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ବ୍ୟକ୍ତିଗତ ଜୀବନର ସବୁଠାରୁ କଷ୍ଟକର ମୁହୂର୍ତ୍ତରେ, ବ୍ଲେୟାର ଟିମ୍ ହୋଟେଲରେ ଶୋକ କରୁଥିଲେ, କିନ୍ତୁ ଯେତେବେଳେ ନ୍ୟୁଜିଲାଣ୍ଡ ଦଳ ସମସ୍ୟାରେ ପଡ଼ିଥିଲା ଏବଂ ଶେଷ ୱିକେଟ୍ ହାତରେ ଥିଲା, ସେ ପଡ଼ିଆକୁ ଫେରିବାକୁ ନିଷ୍ପତ୍ତି ନେଇଥିଲେ। ନିଜ ହୃଦୟର ଅସହ୍ୟ ଯନ୍ତ୍ରଣାକୁ ଚାପି ରଖି ସେ ବ୍ୟାଟ୍ ଧରି ପଡିଆକୁ ଓହ୍ଲାଇଥିଲେ । ଅନ୍ୟ ପ୍ରାନ୍ତରେ ଥିଲେ ବର୍ଟ ସଟକ୍ଲିଫ୍, ଯିଏ ଆହତ ହୋଇ ହସ୍ପିଟାଲ ଯାଇ ପୁଣି ମଇଦାନକୁ ଫେରିଥିଲେ। ଦୁହେଁ ମିଶି ଶେଷ ୱିକେଟ୍ ପାଇଁ ୩୩ ରନ୍ ଯୋଡ଼ିଥିଲେ। ଏହି ଭାଗୀଦାରୀ ସମୟରେ ଗୋଟିଏ ଓଭରରେ ୨୫ ରନ୍ ମଧ୍ୟ ହୋଇଥିଲା, ଯାହା ସେତେବେଳେ ବିଶ୍ୱ ରେକର୍ଡ ଥିଲା।
ବ୍ଲେୟାର ବ୍ୟାଟିଂ କରିବାକୁ ଆସିବା ସମୟରେ ଏଲିସ୍ ପାର୍କରେ ଉପସ୍ଥିତ ୨୩,୦୦୦ ଦର୍ଶକ ସ୍ତବ୍ଧ ହୋଇଗଲେ। ଆଉ ଯେତେବେଳେ ବ୍ଲେୟାର ଆଉଟ୍ ହୋଇ ପାଭିଲିୟନକୁ ଫେରୁଥିଲେ ସେତେବେଳେ ସମ୍ପୂର୍ଣ୍ଣ ଷ୍ଟାଡିୟମ ଛିଡ଼ା ହୋଇ ତାଳି ବଜାଇଥିଲା। ସେହି ତାଳି କେବଳ ଜଣେ କ୍ରିକେଟରଙ୍କ ପାଇଁ ନଥିଲା, ଥିଲା ଜଣେ ଭଙ୍ଗା ହୃଦୟର ସାହସୀ ଯୋଦ୍ଧାଙ୍କ ପାଇଁ। ଏହି ମୁହୂର୍ତ୍ତକୁ ଏବେ ବି କ୍ରିକେଟ୍ ଇତିହାସର ସବୁଠାରୁ ଭାବପ୍ରବଣ ଏବଂ ପ୍ରେରଣାଦାୟକ ମୁହୂର୍ତ୍ତ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ।
ବ୍ଲେୟାରଙ୍କ କାହାଣୀ ଏବଂ ଟାଙ୍ଗିୱାଇ ଟ୍ରେନ୍ ଦୁର୍ଘଟଣା ନ୍ୟୁଜିଲ୍ୟାଣ୍ଡ ଏବଂ ଦକ୍ଷିଣ ଆଫ୍ରିକା କ୍ରିକେଟକୁ ଏତେ ଗଭୀର ଭାବରେ ପ୍ରଭାବିତ କରିଥିଲା ଯେ ୨୦୨୪ ମସିହାରେ ଦୁଇ ଦେଶ ମଧ୍ୟରେ ଟେଷ୍ଟ ସିରିଜ ପାଇଁ ‘ଟାଙ୍ଗିୱାଇ ସିଲ୍ଡ’ ପ୍ରଚଳନ କରାଯାଇଥିଲା। ଏହି ଟ୍ରଫିଟି ପାରମ୍ପରିକ ନ୍ୟୁଜିଲ୍ୟାଣ୍ଡ କାଠ ଏବଂ ଟାଙ୍ଗିୱାଇ ଅଞ୍ଚଳରେ ମିଳୁଥିବା ଏକ ଅନନ୍ୟ ପଥରରୁ ତିଆରି କରାଯାଇଥିଲା। ବ୍ଲେୟାର ସେହି ଐତିହାସିକ ଟେଷ୍ଟ ମ୍ୟାଚର ଶେଷ ଜୀବିତ ନ୍ୟୁଜିଲ୍ୟାଣ୍ଡ ଖେଳାଳି ଥିଲେ।
୧୯୫୩ ଗସ୍ତ ପରେ, ବ୍ଲେୟାର ପ୍ରାୟ ଏକ ଦଶନ୍ଧି ପର୍ଯ୍ୟନ୍ତ ନ୍ୟୁଜିଲ୍ୟାଣ୍ଡର ପ୍ରତିନିଧିତ୍ୱ କରିଥିଲେ। ସେ ୧୯୬୪ ମସିହାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତାଙ୍କର ଶେଷ ଟେଷ୍ଟ ଖେଳି କ୍ୟାରିୟରର ସର୍ବୋତ୍ତମ ୭ ୱିକେଟ୍ ହାସଲ କରିଥିଲେ। କ୍ରିକେଟ୍ ପ୍ରତି ତାଙ୍କର ପ୍ରେମ କେବେ ହ୍ରାସ ପାଇ ନଥିଲା। ସେ 60 ବର୍ଷ ବୟସ ପରେ ମଧ୍ୟ କ୍ରିକେଟ୍ ଖେଳିବା ଜାରି ରଖିଥିଲେ, ୪୦ ରୁ ଅଧିକ ସିଜନ୍ ପାଇଁ ପଡ଼ିଆରେ ରହିଥିଲେ। ଖେଳରୁ ଅବସର ନେବା ପରେ, ସେ ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ଜିମ୍ବାୱେ, ଉତ୍ତର ଆୟର୍ଲାଣ୍ଡ ଏବଂ ଅଷ୍ଟ୍ରେଲିଆରେ ମଧ୍ୟ ପ୍ରଶିକ୍ଷକ ଦାୟିତ୍ୱ ତୁଲାଇଥିଲେ। ଆଉ ତାଙ୍କ ବିୟୋଗରେ ଆଜି ଏକ ଯୁଗର ଅନ୍ତ ଘଟିଛି ।
