Latest Odisha News

BREAKING NEWS

Chenab–Beas link tunnel: ଭାରତର ସିକ୍ରେଟ୍ ଟନେଲ୍, ଛାନିଆ ପାକିସ୍ତାନ୍!

ନୂଆଦିଲ୍ଲୀ: ଭାରତର ବଡ ଜଳ ମାଷ୍ଟରପ୍ଲାନ୍

ବଢିଲାଣି ପାକିସ୍ତାନର ଚିନ୍ତା!

ହିମାଳୟର ପାହାଡ଼ ଭିତରେ ତିଆରି ହେବ ଏକ ବିଶାଳ ସୁରଙ୍ଗ। ଏହି ସୁରଙ୍ଗ ଦେଇ ଚିନାବ ପାଣି ବ୍ୟାସ ନଦୀକୁ ପହଞ୍ଚିବ। ଶୁଣିବାକୁ ଏହା ଏକ ସାଧାରଣ ଜଳ ପ୍ରକଳ୍ପ ଭଳି ଲାଗୁଥିଲେ ମଧ୍ୟ, ଏହାର କୌଶଳଗତ ଗୁରୁତ୍ୱ ଏତେ ବଡ଼ ଯେ ପାକିସ୍ତାନ ଏହା ଉପରେ ତୀକ୍ଷ୍ଣ ନଜର ରଖିଛି। ହିମାଚଳ ପ୍ରଦେଶର ପ୍ରସ୍ତାବିତ ଚିନାବ-ବ୍ୟାସ ଲିଙ୍କ ପ୍ରକଳ୍ପକୁ ନେଇ ଏବେ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। ବୈଜ୍ଞାନିକମାନଙ୍କ ସର୍ଭେରେ କୋକସର ଓ ରୋହତାଙ୍ଗ ଅଞ୍ଚଳକୁ ସୁରଙ୍ଗ ଏବଂ ବ୍ୟାରେଜ ନିର୍ମାଣ ପାଇଁ ଉପଯୁକ୍ତ ବୋଲି ଚିହ୍ନଟ କରାଯାଇଛି। ରିପୋର୍ଟ ଅନୁସାରେ, ଏହି ଅଞ୍ଚଳର ଶିଳାଗୁଡ଼ିକ ମଜବୁତ ହୋଇଥିବାରୁ ନିର୍ମାଣ କାର୍ଯ୍ୟ ସୁରକ୍ଷିତ ଓ ଦୀର୍ଘସ୍ଥାୟୀ ହୋଇପାରିବ।

ପ୍ରକଳ୍ପ ଅନୁସାରେ ଚନ୍ଦ୍ରା ନଦୀ ଉପରେ ଏକ ବ୍ୟାରେଜ ନିର୍ମାଣ କରାଯିବ। ସେଠାରେ ସଂଗୃହୀତ ପାଣିକୁ ପ୍ରାୟ ୮.୬ କିଲୋମିଟର ଲମ୍ବା ଏବଂ ୭.୨ ମିଟର ଚଉଡ଼ା ସୁରଙ୍ଗ ଦେଇ ବ୍ୟାସ ବେସିନକୁ ପଠାଯିବ। ଚନ୍ଦ୍ରା ନଦୀ ଲାହୌଲ-ସ୍ପିତି ଅଞ୍ଚଳରୁ ବାହାରି ଭାଗା ନଦୀ ସହ ମିଶି ଚିନାବ ନଦୀ ସୃଷ୍ଟି କରେ। ପରେ ଏହି ଚିନାବ ଜମ୍ମୁ-କାଶ୍ମୀର ଦେଇ ପାକିସ୍ତାନକୁ ପ୍ରବେଶ କରେ। ଅନ୍ୟପଟେ ବ୍ୟାସ ନଦୀ କୁଲ୍ଲୁ ଓ ମାଣ୍ଡି ଦେଇ ପଞ୍ଜାବ ଅଭିମୁଖେ ପ୍ରବାହିତ ହୁଏ। ଏହି ଦୁଇ ନଦୀ ବେସିନ ମଧ୍ୟରେ ଥିବା ପାହାଡ଼କୁ ସୁରଙ୍ଗ ଦେଇ ଅତିକ୍ରମ କରାଯିବ।

ଏହି ପ୍ରକଳ୍ପ ସଫଳ ହେଲେ ଭାରତ ଚିନାବ ବେସିନର ଅଧିକ ପାଣିକୁ ନିଜ ଦେଶ ଭିତରେ ବ୍ୟବହାର କରିପାରିବ। ଯାହା ଭାରତକୁ ଜଳବିଦ୍ୟୁତ ଉତ୍ପାଦନରେ, କୃଷି ଜମିର ସେଚନରେ, ଭାଖରା ବନ୍ଧର ଜଳ ସଂରକ୍ଷଣରେ, ଉତ୍ତର ଭାରତର ଜଳ ସଙ୍କଟ ଅଞ୍ଚଳକୁ ପାଣି ଯୋଗାଣରେ ସାହାଯ୍ୟ କରିବ । ବିଶେଷଜ୍ଞଙ୍କ ମତରେ, ଜଳବାୟୁ ପରିବର୍ତ୍ତନ ଓ ଭବିଷ୍ୟତର ଜଳ ସଙ୍କଟକୁ ଦୃଷ୍ଟିରେ ରଖି ଏହି ପ୍ରକଳ୍ପ ଭାରତ ପାଇଁ ଏକ ରଣନୈତିକ ସମ୍ପଦରେ ପରିଣତ ହୋଇପାରେ।

ତେବେ ୧୯୬୦ ମସିହାରେ ଭାରତ ଓ ପାକିସ୍ତାନ ମଧ୍ୟରେ ସିନ୍ଧୁ ଜଳ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଏହି ଚୁକ୍ତି ଅନୁଯାୟୀ ରାଭି, ବ୍ୟାସ ଓ ସତଲେଜ ନଦୀର ଜଳ ଉପରେ ଭାରତର ପ୍ରାଥମିକ ଅଧିକାର ରହିଛି। ଅନ୍ୟପଟେ ସିନ୍ଧୁ, ଝେଲମ ଓ ଚିନାବ ନଦୀର ବଡ଼ ଅଂଶର ଜଳ ପାକିସ୍ତାନକୁ ଯାଏ। ତେବେ ଚୁକ୍ତି ଅନୁଯାୟୀ ଭାରତ ଚିନାବ ଉପରେ ଜଳବିଦ୍ୟୁତ ପ୍ରକଳ୍ପ ଏବଂ ସୀମିତ ଜଳ ବ୍ୟବହାର କରିବାର ଅଧିକାର ରଖେ। ଏହି ପ୍ରକଳ୍ପକୁ ଭାରତ ସେହି ଅଧିକାର ଅନ୍ତର୍ଗତରେ ଆଗକୁ ବଢ଼ାଉଛି।

ଯାହା ଏବେ ପାକିସ୍ତାନର ନିଦ ହଜାଇଦେଇଛି । ଏହି ପ୍ରକଳ୍ପ ଫଳରେ ପାକିସ୍ତାନକୁ ଯାଉଥିବା ଚିନାବର ପାଣି ସମ୍ପୂର୍ଣ୍ଣ ବନ୍ଦ ହେବ ନାହିଁ। କିନ୍ତୁ ଚନ୍ଦ୍ରା ନଦୀର କିଛି ଜଳ ଚିନାବ ହେବା ପୂର୍ବରୁ ବ୍ୟାସ ବେସିନ ମୁହାଁ ହୋଇଯିବ । ଫଳରେ ଭାରତ ଅଧିକ ପରିମାଣର ଜଳ ସଂରକ୍ଷଣ, ବିଦ୍ୟୁତ ଉତ୍ପାଦନ ଓ ସେଚନ କାର୍ଯ୍ୟରେ ବ୍ୟବହାର କରିପାରିବ। ଏହି କାରଣରୁ ପାକିସ୍ତାନ ଦୀର୍ଘଦିନ ଧରି ଚିନାବ ନଦୀ ସଂପର୍କିତ ଭାରତର ପ୍ରତ୍ୟେକ ପ୍ରକଳ୍ପ ଉପରେ ନଜର ରଖିଆସୁଛି।

ଏଥିସହିତ ପ୍ରକଳ୍ପରେ ପାଞ୍ଚଟି ବଡ଼ ସ୍ଲୁଇସ୍ ଗେଟ୍ ରଖାଯିବ। ବର୍ଷା ଋତୁରେ ଅତିରିକ୍ତ ଜଳକୁ ନିୟନ୍ତ୍ରିତ ଭାବେ ଛାଡ଼ିବା ପାଇଁ ଏହି ଗେଟ୍ ବ୍ୟବହୃତ ହେବ। ଗୋଟିଏ ଗେଟ୍ କାମ ନକଲେ ମଧ୍ୟ ଅନ୍ୟ ଗେଟ୍‌ଗୁଡ଼ିକ ବନ୍ୟା ପରିସ୍ଥିତିକୁ ସମ୍ଭାଳିପାରିବ। ପ୍ରକଳ୍ପର ପ୍ରାରମ୍ଭିକ ଆକଳନ ଅନୁସାରେ ଏହାର ମୋଟ ଖର୍ଚ୍ଚ ୮,୦୦୦ କୋଟିରୁ ୨୦,୦୦୦ କୋଟି ଟଙ୍କା ମଧ୍ୟରେ ହୋଇପାରେ। ତେବେ ଅନ୍ତିମ ଖର୍ଚ୍ଚ ସୁରଙ୍ଗର ଡିଜାଇନ, ଲମ୍ବ ଓ ଅନ୍ୟାନ୍ୟ ଭିତ୍ତିଭୂମି ସୁବିଧା ଉପରେ ନିର୍ଭର କରିବ।

ହିମାଚଳର ଉଚ୍ଚ ପାହାଡ଼ିଆ ଅଞ୍ଚଳରେ ନିର୍ମାଣ କାମ ସହଜ ନୁହେଁ। ଅନେକ ସ୍ଥାନରେ ପ୍ରଥମେ ରାସ୍ତା ତିଆରି କରିବାକୁ ପଡ଼ିବ। ତା’ସହ ବର୍ଷକୁ ୪ରୁ ୫ ମାସ ଧରି ପଡ଼ୁଥିବା ଭାରି ତୁଷାରପାତ ମଧ୍ୟ ପ୍ରକଳ୍ପର ସମୟସୀମା ଓ ବ୍ୟୟକୁ ପ୍ରଭାବିତ କରିପାରେ।

ମୋଟାମୋଟି କହିଲେ…ଏହା କେବଳ ଏକ ଜଳ ପ୍ରକଳ୍ପ ନୁହେଁ, ବରଂ ଭାରତର ଭବିଷ୍ୟତ ଜଳ ସୁରକ୍ଷା, ବିଦ୍ୟୁତ ଉତ୍ପାଦନ ଓ କୌଶଳଗତ କ୍ଷମତା ସହ ଜଡ଼ିତ ଏକ ମେଗା ପ୍ରୋଜେକ୍ଟ। ହିମାଳୟ ତଳେ ତିଆରି ହେବାକୁ ଯାଉଥିବା ଏହି ସୁରଙ୍ଗ ଆଗାମୀ ଦିନରେ ଭାରତର ଜଳ ନୀତିର ଚିତ୍ର ବଦଳାଇପାରେ।

Leave A Reply

Your email address will not be published.