ନାଇଡୁ କମିଶନ ରିପୋର୍ଟ ଗାୟବ ମାମଲା: ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଆବେଦନକାରୀ, ସିବିଆଇ ତଦନ୍ତ ପାଇଁ ପୁଣି ଜୋର ଧରିଲା ଦାବି
କଟକ: ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକାଣ୍ଡ ମାମଲାରେ ବୁଧବାର ଦିନ ହାଇକୋର୍ଟରେ ଏକ ନୂଆ ଆଇନଗତ ମୋଡ଼ ଆସିଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜଷ୍ଟିସ ନାଇଡୁ କମିଶନଙ୍କ ତଦନ୍ତ ରିପୋର୍ଟ ରହସ୍ୟଜନକ ଭାବେ ଗାୟବ ହେବା ଘଟଣାକୁ ନେଇ କୋର୍ଟରେ ଏକ ମଧ୍ୟବର୍ତ୍ତୀକାଳୀନ ଆବେଦନ ଦାଖଲ କରାଯାଇଛି। ଏହା ସହିତ ଏହି ବହୁଚର୍ଚ୍ଚିତ ହତ୍ୟାକାଣ୍ଡର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଦ୍ୱାରା ତଦନ୍ତ କରାଇବା ପାଇଁ ପୁଣି ଥରେ ଦାବି ଜୋର ଧରିଛି।
ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଦେବାଶିଷ ହୋତା ହାଇକୋର୍ଟରେ ଏହି ମାମଲା ରୁଜୁ କରିଛନ୍ତି। ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ ପାଇଁ ଗଠିତ କମିଶନଙ୍କ ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ ହଜିଯିବା କେବଳ ଦୁର୍ଭାଗ୍ୟଜନକ ନୁହେଁ, ବରଂ ଏକ ସଙ୍ଗୀନ ବିଷୟ ବୋଲି ଆବେଦନରେ ଦର୍ଶାଯାଇଛି। ଏଥିରେ ଅଦାଲତଙ୍କ ହସ୍ତକ୍ଷେପ ଲୋଡ଼ାଯିବା ସହ ସମଗ୍ର ମାମଲାର ନୂତନ ଭାବେ ସିବିଆଇ ତଦନ୍ତ ପାଇଁ ପ୍ରାର୍ଥନା କରାଯାଇଛି। କୋର୍ଟ ଆଗାମୀ ଶୁଣାଣି ସମୟରେ ଏହି ମଧ୍ୟବର୍ତ୍ତୀକାଳୀନ ଆବେଦନ ଉପରେ ବିଚାର କରିପାରନ୍ତି ବୋଲି ଜଣାପଡ଼ିଛି।
ଅପରପକ୍ଷରେ, ଲୋକସେବା ଭବନ ସ୍ଥିତ ସାଧାରଣ ପ୍ରଶାସନ (ଜିଏ) ବିଭାଗରୁ ଦୁଇଟି ଅତି ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ଚୋରି ହେବା ଅଭିଯୋଗକୁ ନେଇ ପୋଲିସ ନିଜର ଖୋଳତାଡ଼ ଜୋରଦାର କରିଛି। ଗତ ଜୁନ୍ ୨୦ ତାରିଖରେ କ୍ୟାପିଟାଲ ଥାନାରେ ଏଫ୍ଆଇଆର୍ ରୁଜୁ ହେବା ପରେ, ତଦନ୍ତକାରୀ ଦଳ ସଚିବାଳୟରେ ପହଞ୍ଚି ମୁଖ୍ୟ ଶାସନ ସଚିବ ଏବଂ ସାଧାରଣ ପ୍ରଶାସନ ବିଭାଗର ସରକାରୀ ଦସ୍ତାବିଜ ଓ ରେକର୍ଡପତ୍ର ଯାଞ୍ଚ କରିଛନ୍ତି।
ରିପୋର୍ଟ ହଜିବା ଘଟଣାକୁ ନେଇ ରାଜ୍ୟ ରାଜନୀତିରେ ମଧ୍ୟ ହଲଚଲ ସୃଷ୍ଟି ହୋଇଛି। ଗତ ଜୁନ୍ ୧୭ ତାରିଖରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏହି ପ୍ରସଙ୍ଗରେ ଏକ ବିସ୍ଫୋରକ ବୟାନ ଦେଇଥିଲେ। ସେ କହିଥିଲେ ଯେ, ସେହି ଦୁଇଟି ଗୁରୁତ୍ୱପୂର୍ଣ୍ଣ କମିଶନ ରିପୋର୍ଟ ସେମିତି ଆପେ ଆପେ ହଜିନାହିଁ, ବରଂ ତାକୁ ଉଦ୍ଦେଶ୍ୟମୂଳକ ଭାବେ ଚୋରି କରାଯାଇଛି। ଯେଉଁ ଅଧିକାରୀ ସେତେବେଳେ ଏହି ରିପୋର୍ଟ ଗ୍ରହଣ କରିଥିଲେ, ତାଙ୍କୁ ଜେରା କରାଯିବ।
ଯଦି ପ୍ରମାଣ ମିଳେ ଯେ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଯାଇଥିଲା, ତେବେ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଜେରାର ସମ୍ମୁଖୀନ ହେବାକୁ ପଡ଼ିପାରେ ବୋଲି ମନ୍ତ୍ରୀ ସ୍ପଷ୍ଟ ଚେତାବନୀ ଦେଇଛନ୍ତି। ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟା ମାମଲା ଏବଂ କମିଶନ ରିପୋର୍ଟ ଗାୟବ ହେବା ଘଟଣା ଏବେ ପୁଣି ଥରେ ଓଡ଼ିଶା ରାଜନୀତି ଓ ଆଇନ ପ୍ରକ୍ରିୟାକୁ ସରଗରମ କରିଦେଇଛି।
