ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱର ପରିସରରେ ଜଣେ ରୋଗୀଙ୍କ ମୃତ୍ୟୁକୁ କେନ୍ଦ୍ର କରି ଡାକ୍ତରଖାନା କର୍ତ୍ତୃପକ୍ଷ ଏବଂ ମୃତକଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଚରମ ଉତ୍ତେଜନା ପ୍ରକାଶ ପାଇଛି। ରୋଗୀ ଚିକିତ୍ସାରେ ଅବହେଳା କରାଯାଇଥିବା ନେଇ ପରିବାର ଲୋକ ଅଭିଯୋଗ ଆଣିବା ସହ କାର୍ଯ୍ୟରତ ଡାକ୍ତରଙ୍କ ଉପରକୁ ସାଙ୍ଘାତିକ ଆକ୍ରମଣ କରିଛନ୍ତି। ଏହି ଘଟଣାକୁ ନେଇ ମେଡିକାଲ କର୍ତ୍ତୃପକ୍ଷ ନିଜର ସ୍ପଷ୍ଟୀକରଣ ରଖିବା ସହ ହିଂସାକାଣ୍ଡକୁ ତୀବ୍ର ନିନ୍ଦା କରିଛନ୍ତି, ଯାହା ଏବେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ କର୍ମଚାରୀଙ୍କ ସୁରକ୍ଷାକୁ ନେଇ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ମିଳିଥିବା ସୂଚନା ମୁତାବକ, ଜଣେ ଗୁରୁତର ରୋଗୀଙ୍କୁ ଏମ୍ସର ଜରୁରୀକାଳୀନ ବିଭାଗକୁ ଅଣାଯାଇଥିଲା। ମେଡିକାଲ ପହଞ୍ଚିବାର କିଛି ସମୟ ମଧ୍ୟରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ରୋଗୀଙ୍କ ଜୀବନ ଚାଲିଯିବା ପରେ ମୃତକଙ୍କ ସମ୍ପର୍କୀୟମାନେ ଡାକ୍ତରଖାନାରେ ଉତ୍ପାତ କରିବା ସହ ଉପସ୍ଥିତ କାର୍ଯ୍ୟରତ ରେସିଡେଣ୍ଟ ଡାକ୍ତରଙ୍କୁ ଗାଳିଗୁଲଜ କରି ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଡାକ୍ତରଜଣକ ଆହତ ହୋଇଥିବା ବେଳେ ଜରୁରୀକାଳୀନ ୱାର୍ଡରେ କିଛି ସମୟ ପାଇଁ ଚିକିତ୍ସା ସେବା ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା।
ଏହି ସମ୍ବେଦନଶୀଳ ମାମଲାରେ ଏମ୍ସ ଭୁବନେଶ୍ୱର ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ରୋଗୀଙ୍କ ଚିକିତ୍ସାରେ କୌଣସି ପ୍ରକାର ଅବହେଳା କରାଯାଇ ନାହିଁ। ରୋଗୀଜଣକ ଅତ୍ୟନ୍ତ ସଙ୍କଟାପନ୍ନ ଅବସ୍ଥାରେ ମେଡିକାଲ ଆସିଥିଲେ ଏବଂ ଡାକ୍ତରମାନେ ତାଙ୍କୁ ବଞ୍ଚାଇବା ପାଇଁ ଶେଷ ମୁହୂର୍ତ୍ତ ଯାଏଁ ସମସ୍ତ ଚେଷ୍ଟା କରିଥିଲେ।
ଡାକ୍ତରଖାନା ପ୍ରଶାସନ କାର୍ଯ୍ୟରତ ସ୍ୱାସ୍ଥ୍ୟକର୍ମୀଙ୍କ ଉପରେ ହୋଇଥିବା ଏହି ଆକ୍ରମଣକୁ ଘୋର ନିନ୍ଦା କରିବା ସହ ସୁରକ୍ଷା ବ୍ୟବସ୍ଥାକୁ ନେଇ ସ୍ଥାନୀୟ ପୋଲିସ ନିକଟରେ ଆନୁଷ୍ଠାନିକ ଅଭିଯୋଗ ଦାଖଲ କରିଛି।
