Snanajatra 2026: ରାତି ପାହିଲେ ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରା; ହାତୀବେଶରେ ଦର୍ଶନ ଦେବେ ଶ୍ରୀଜିଉ, କାଲିଠୁ ବନ୍ଦ ରହିଛି ଦର୍ଶନ, କଡା ସୁରକ୍ଷା ବଳୟରେ ପୁରୀ
ପୁରୀ: ଆସନ୍ତା ସୋମବାର ଜ୍ୟେଷ୍ଠ ଶୁକ୍ଳ ପୂର୍ଣ୍ଣିମା (ଜୁନ୍ ୨୯)ରେ ପାଳିତ ହେବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ବା ସ୍ନାନଯାତ୍ରା। ବର୍ଷକୁ ଥରେ ହେଉଥିବା ଏହି ପବିତ୍ର ଉତ୍ସବରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଭ୍ରାତା ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା ସ୍ନାନମଣ୍ଡପରେ ୧୦୮ କଳସ ସୁଗନ୍ଧିତ ଜଳରେ ମହାସ୍ନାନ କରିବେ। ଏହାପରେ ମହାପ୍ରଭୁ ଦୁର୍ଲଭ ହାତୀବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ଏହି ଦିବ୍ୟ ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ସମ୍ଭାବନା ରହିଛି।
ଉତ୍ସବକୁ ଶୃଙ୍ଖଳିତ ଓ ସୁରକ୍ଷିତ ଭାବେ ସମ୍ପନ୍ନ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୁରୀ ପୋଲିସ ମଧ୍ୟରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ, ଜିଲ୍ଲାପାଳ ଓ ଏସପିଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ସ୍ନାନଯାତ୍ରାର ନୀତି ସମୟସୂଚୀ ଅନୁଯାୟୀ, ସ୍ନାନ ପୂର୍ଣ୍ଣିମା ଦିନ ଭୋର ୪ଟା ୩୦ ମିନିଟ୍ରେ ମଙ୍ଗଳାର୍ପଣ ନୀତି ଆରମ୍ଭ ହେବ। ଏହାପରେ ଡୋରଲାଗି ଓ ପୁଷ୍ପାଞ୍ଜଳି ନୀତି ସରି ସକାଳ ୫ଟାରେ ପହଣ୍ଡି ଆରମ୍ଭ ହେବ। ସକାଳ ୯ଟାରେ ସ୍ନାନମଣ୍ଡପରେ ମଙ୍ଗଳ ଆଳତି, ଦିନ ୧୨ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ୧୦୮ କଳସ ଜଳରେ ମହାସ୍ନାନ, ଅପରାହ୍ଣ ୩:୩୦ରେ ଛେରା ପହଁରା, ଅପରାହ୍ଣ ୪ଟାରୁ ୫ଟା ପର୍ଯ୍ୟନ୍ତ ଦୁର୍ଲଭ ହାତୀବେଶ ଦର୍ଶନ, ସନ୍ଧ୍ୟା ୭:୩୦ରୁ ରାତି ୯:୩୦ ପର୍ଯ୍ୟନ୍ତ ସାହାଣମେଲା, ରାତି ୧୦ଟାରେ ହାତୀବେଶ ମଇଲମ ଏବଂ ରାତି ୧୧ଟାରେ ବାହୁଡ଼ା ପହଣ୍ଡି ହେବ ବୋଲି ପ୍ରଶାସନିକ ସମୟ ଧାର୍ଯ୍ୟ ହୋଇଛି ।
ସେପଟେ ସ୍ନାନଯାତ୍ରା ପୂର୍ବ ପ୍ରସ୍ତୁତି ଓ ଜରୁରୀ ନୀତି ପାଇଁ ଶନିବାର ରାତି ୧୦.୩୦ରୁ ରବିବାର ଦିନ ପ୍ରାୟ ଦିନ ୧ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିଛି । ପରେ ସୀମିତ ସମୟ ପାଇଁ ଦର୍ଶନ ଖୋଲାଯିବ ଏବଂ ରାତି ୭ଟା ପର୍ଯ୍ୟନ୍ତ ଚାଲିବ।
ଏଥିସହିତ ସ୍ନାନଯାତ୍ରା ଦିନ ଭକ୍ତମାନେ କେବଳ ସିଂହଦ୍ୱାର ଦେଇ ମନ୍ଦିରକୁ ପ୍ରବେଶ କରିବେ ଏବଂ ଅନ୍ୟ ତିନିଟି ଦ୍ୱାର ଦେଇ ବାହାରିବେ। ଗତବର୍ଷ ନିର୍ମିତ ସ୍ୱତନ୍ତ୍ର ରାମ୍ପ ଦେଇ ଭକ୍ତମାନେ ସ୍ନାନମଣ୍ଡପ ନିକଟକୁ ଯାଇ ଦର୍ଶନ କରିପାରିବେ। ପହଣ୍ଡି ଦର୍ଶନ ପାଇଁ ପ୍ରାୟ ୧୫୦୦ରୁ ୨୦୦୦ ପରିମାଣିକ ଟିକେଟ୍ ବିକ୍ରି କରାଯିବ। ଜଣେ ବ୍ୟକ୍ତିଙ୍କୁ ସର୍ବାଧିକ ଦୁଇଟି ଟିକେଟ୍ ମିଳିବ ଏବଂ ଟିକେଟ୍ ଧାରୀମାନେ ଦକ୍ଷିଣ ଦ୍ୱାର ଦେଇ ପ୍ରବେଶ କରିବେ।
ଅପରପକ୍ଷେ ମହାପ୍ରଭୁଙ୍କ ସ୍ନାନଯାତ୍ରା ଏବଂ ଘୋଷଯାତ୍ରାକୁ ଦୃଷ୍ଟିରେ ରଖି, ପୁରୀରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସ୍ନାନଯାତ୍ରା ପାଇଁ ସମଗ୍ର ଶ୍ରୀକ୍ଷେତ୍ର କଡ଼ା ସୁରକ୍ଷା ବଳୟ ଭିତରେ ରହିବ। ୭୯ ପ୍ଲାଟୁନ୍ ଫୋର୍ସ ମୁତୟନ ସହିତ କୁଇକ୍ ରିଆକ୍ସନ୍ ଟିମ୍, ଆଣ୍ଟି ସାବୋଟାଜ୍ ଟିମ୍ ଓ ସ୍ପେଶାଲ୍ ଟାକ୍ଟିକାଲ୍ ୟୁନିଟ୍ ନିୟୋଜିତ ରହିବେ । ଏଥିପାଇଁ ୪ ଜଣ ଏସପି, ୧୪ ଅତିରିକ୍ତ ଏସପି, ୮୩ ଇନ୍ସପେକ୍ଟର, ୩୪୦ ଏସଆଇ ଓ ଏଏସଆଇ ଡ୍ୟୁଟିରେ ରହିବେ। ଶ୍ରୀମନ୍ଦିର ପରିସରରେ ସ୍ୱତନ୍ତ୍ର ୧୪ଟି ସେକ୍ଟର କରାଯାଇଛି ଏବଂ ପ୍ରତ୍ୟେକ ସେକ୍ଟରରେ ଅଭିଜ୍ଞ ପୋଲିସ ଅଧିକାରୀ ମୁତୟନ ରହିବେ।
ପୁରା ସିସିଟିଭି ନଜରରେ ରହିଛି ପୁରୀ । ସୁରକ୍ଷା ଓ ଭିଡ଼ ନିୟନ୍ତ୍ରଣ ପାଇଁ ଶ୍ରୀମନ୍ଦିର ଭିତରେ ୧୫୨ଟି ସିସିଟିଭି, ମନ୍ଦିର ଚତୁଃପାର୍ଶ୍ୱରେ ୨୫୦ଟି, ଏବଂ ବଡ଼ଦାଣ୍ଡରେ ୩୦ଟି ସିସିଟିଭି ଲଗାଯାଇଛି। ବାଗେଡ଼ିଆ ଧର୍ମଶାଳାରେ ଅତ୍ୟାଧୁନିକ ଇଣ୍ଟିଗ୍ରେଟେଡ୍ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ୍ ସେଣ୍ଟର କାର୍ଯ୍ୟକ୍ଷମ ରହିବ।
ସ୍ନାନଯାତ୍ରା ପାଇଁ ସ୍ୱତନ୍ତ୍ର ଟ୍ରାଫିକ୍ ଓ ପାର୍କିଂ ଯୋଜନା ପ୍ରସ୍ତୁତ କରାଯାଇଛି। ମାର୍କେଟ ଛକ ପରେ ବଡ଼ଦାଣ୍ଡକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ନୋ ଭେଇକିଲ୍ ଜୋନ୍ ରହିବ। ବାହାର ରାଜ୍ୟର ପର୍ଯ୍ୟଟକ ବସ୍ ମାଳତୀପାଟପୁରରେ ପାର୍କିଂ କରିବ। ଭୁବନେଶ୍ୱର, କୋଣାର୍କ ଓ ବ୍ରହ୍ମଗିରି ପଟୁ ଆସୁଥିବା ବସ୍ ନିର୍ଦ୍ଧାରିତ ବସ୍ଷ୍ଟାଣ୍ଡରେ ପାର୍କିଂ କରିବ।
ପୁରୀ ରେଳ ଷ୍ଟେସନରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏଠାରେ ୩ ଜଣ ଡିଏସପି, ୪ ଜଣ ଇନ୍ସପେକ୍ଟର, ୫୦ ଜଣ ଏସଆଇ ଓ ଏଏସଆଇ, ୪ ପ୍ଲାଟୁନ୍ ଓଏସଏପି ଫୋର୍ସ ମୁତୟନ ରହିବେ।
ପୁରୀ ପ୍ରଶାସନ ଭକ୍ତମାନଙ୍କୁ ନିର୍ଦ୍ଦେଶାବଳୀ ପାଳନ କରିବା ସହ ସହଯୋଗ କରିବାକୁ ଅନୁରୋଧ କରିଛି, ଯାହାଦ୍ୱାରା ମହାପ୍ରଭୁଙ୍କ ପବିତ୍ର ସ୍ନାନଯାତ୍ରା ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ ହୋଇପାରିବ।
