ବିଶ୍ୱକପ୍ରୁ ବିଦା ହେଲା ଭାରତ: ପୁଣି ସେହି ଗୋଟିଏ ଭୁଲ୍ କରି ଫସିଗଲା? ପରାଜୟ ପରେ କ୍ୟାପଟେନ୍ ହରମନପ୍ରୀତ ଖୋଲିଲେ ଗୁମର
ନୂଆଦିଲ୍ଲୀ: ମହିଳା ଟି-୨୦ ବିଶ୍ୱକପ୍ ୨୦୨୬ରେ ଭାରତୀୟ ପ୍ରଶଂସକଙ୍କୁ ମିଳିଛି ଏକ ବଡ଼ ଝଟକା। ରବିବାର ଖେଳାଯାଇଥିବା ଏକ ‘କର ବା ମର’ ମୁକାବିଲାରେ ଶକ୍ତିଶାଳୀ ଅଷ୍ଟ୍ରେଲିଆ ଠାରୁ ୬ ୱିକେଟରେ ହାରି ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛି ଭାରତ। ଏହି ଶୋଚନୀୟ ପରାଜୟ ସହ ଟିମ୍ ଇଣ୍ଡିଆର ସେମିଫାଇନାଲ ଖେଳିବା ସ୍ୱପ୍ନ ମଧ୍ୟ ଧୂଳିସାତ୍ ହୋଇଯାଇଛି। ତେବେ ଭାରତୀୟ ଦଳ କେଉଁଠି ଭୁଲ୍ କଲା? ମ୍ୟାଚ୍ ପରେ ଅଧିନାୟକ ହରମନପ୍ରୀତ କୌର ନିଜେ ଦଳର ପ୍ରଦର୍ଶନକୁ ନେଇ ଅନେକ ବଡ଼ କଥା କହିବା ସହ ବାରମ୍ବାର ହେଉଥିବା ପୁରୁଣା ତ୍ରୁଟି ଉପରେ ଅଙ୍ଗୁଳି ଉଠାଇଛନ୍ତି।
ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ନିର୍ଦ୍ଧାରିତ ୨୦ ଓଭରରେ ଅଧିନାୟିକା ହରମନପ୍ରୀତଙ୍କ ଅର୍ଦ୍ଧଶତକ ବଳରେ ୧୭୦ ରନ୍ ସଂଗ୍ରହ କରିଥିଲା। ହେଲେ ଏହି ସ୍କୋର ମଧ୍ୟ ଅଷ୍ଟ୍ରେଲିଆ ଆଗରେ ଛୋଟ ପଡ଼ିଯାଇଥିଲା। କଙ୍ଗାରୁ ଦଳ ମାତ୍ର ୪ ୱିକେଟ୍ ହରାଇ ଏହି ବିଜୟ ଲକ୍ଷ୍ୟକୁ ସହଜରେ ହାସଲ କରିନେଇଥିଲା, ଯାହାକି ଏହି ଟୁର୍ଣ୍ଣାମେଣ୍ଟରେ ଏକ ରେକର୍ଡ ବିଜୟ ଲକ୍ଷ୍ୟ ହାସଲ ଭାବେ ପରିଗଣିତ ହୋଇଛି।
ମ୍ୟାଚ୍ ପରେ ପୁରସ୍କାର ବିତରଣୀ ଉତ୍ସବରେ ହରମନପ୍ରୀତ ଖୋଲାଖୋଲି ଭାବେ ଦଳର ଦୁର୍ବଳତା ସମ୍ପର୍କରେ କହିଛନ୍ତି। ସେ କହିଥିଲେ, “ଆମେ ବୋର୍ଡରେ ଏକ ଭଲ ସ୍କୋର ଛିଡ଼ା କରିଥିଲୁ ସତ, କିନ୍ତୁ ଆମ ଆଶା ମୁତାବକ ବଡ଼ ସ୍କୋର ହୋଇପାରିନଥିଲା। ଯେଉଁ ବ୍ୟାଟରଙ୍କ ଠାରୁ ବଡ଼ ଇନିଂସର ଆଶା ଥିଲା, ସେମାନେ ରନ୍ ସଂଗ୍ରହ କରିବାରେ ବିଫଳ ହେଲେ। ଆମେ ବେଶୀ ୱିକେଟ୍ ହରାଇ ନଥିଲୁ, କିନ୍ତୁ ଯେତିକି ରନ୍ ଆବଶ୍ୟକ ଥିଲା ସେତିକି କରିପାରିଲୁ ନାହିଁ। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ବୋଲରମାନେ ନିଜ ଯୋଜନା ଅନୁଯାୟୀ ବୋଲିଂ କରି ଆମକୁ ବାନ୍ଧି ରଖିଥିଲେ।”
ଟିମ୍ ଇଣ୍ଡିଆ କେଉଁଠି ବାରମ୍ବାର ଫେଲ୍ ମାରୁଛି ସେନେଇ ହରମନପ୍ରୀତ ଗଭୀର ଚିନ୍ତା ବ୍ୟକ୍ତ କରିଛନ୍ତି। ସେ ସ୍ୱୀକାର କରିଛନ୍ତି ଯେ, ଶକ୍ତିଶାଳୀ ଦଳ ବିପକ୍ଷରେ ଟିମ୍ ଇଣ୍ଡିଆ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଇପାରୁନାହିଁ।
ସେ କହିଛନ୍ତି, “ଦୁନିଆର ଶ୍ରେଷ୍ଠ ଦଳ ବିପକ୍ଷରେ ଆପଣଙ୍କୁ ନିଜର ଶ୍ରେଷ୍ଠ ଖେଳ ଦେଖାଇବାକୁ ପଡ଼ିବ, ଯାହା ଆମେ କରିପାରିଲୁ ନାହିଁ। ଏହି ଟୁର୍ଣ୍ଣାମେଣ୍ଟରେ ଆମେ କେତେକ ଗୁରୁତ୍ୱପୂର୍ଣ୍ଣ କ୍ୟାଚ୍ ହାତଛଡ଼ା କରିଛୁ, ଯାହାର ବହୁ ମୂଲ୍ୟ ଆମକୁ ଦେବାକୁ ପଡ଼ିଲା। ଅନେକ ସମୟରେ ଆମେ ମ୍ୟାଚ୍ରେ ଭଲ ସ୍ଥିତିରେ ଥାଉ, କିନ୍ତୁ ଡେଥ୍ ଓଭର ଗୁଡ଼ିକରେ ବହୁତ ଅଧିକ ରନ୍ ଦେଇଦେଉଛୁ। ସେହିପରି ଟାର୍ଗେଟ୍ ପିଛା କରିବା ବେଳେ ଆବଶ୍ୟକ ରନ୍ ଆମେ କରିପାରୁନାହୁଁ। ଏହି ସମସ୍ୟା ଆମ ସହ ବହୁ ଦିନ ଧରି ଲାଗିରହିଛି, ଯାହା ଉପରେ ଏବେ ଗମ୍ଭୀରତାର ସହ କାମ କରିବାକୁ ପଡ଼ିବ।”
ଏହି ପରାଜୟ ସହ ଭାରତ ପାଇଁ ୨୦୨୬ ମହିଳା ଟି-୨୦ ବିଶ୍ୱକପ୍ର ଯାତ୍ରା ଶେଷ ହୋଇଛି ସତ, କିନ୍ତୁ ଦଳର ରଣନୀତି, ଚାପ ନିୟନ୍ତ୍ରଣ କରିବା ଏବଂ ଫିଲ୍ଡିଂ ଉପରେ ଅନେକ ପ୍ରଶ୍ନଚିହ୍ନ ଛାଡ଼ିଯାଇଛି।
