ଅଯୋଧ୍ୟା: ଅଯୋଧ୍ୟା ରାମଲଲା ମନ୍ଦିର ଚାନ୍ଦା ଚୋରି ମାମଲାରେ ତାତିଲେ ଅଯୋଧ୍ୟା ଆଇନଜୀବୀ ସଂଘ। ଅଭିଯୁକ୍ତଙ୍କ ପାଇଁ ମାମଲା ଲଢ଼ିଲେ ୫ ଲକ୍ଷ ଟଙ୍କା ଜରିମାନା ଲାଗିବ ବୋଲି ଦିଆଯାଇଛି ଚେତାବନୀ। ଚମ୍ପତ ରାୟ, ଅନିଲ ମିଶ୍ରା, ଗୋପାଳ ରାଓଙ୍କୁ ଅଯୋଧ୍ୟା ଛାଡ଼ିବାକୁ କହିଲେ। ୩ ଦିନ ଭିତରେ ଅଯୋଧ୍ୟା ନ ଛାଡ଼ିଲେ ଆନ୍ଦୋଳନ ହେବା ନେଇ ଚେତାବନୀ ଦିଆଯାଇଛି। ଶ୍ରୀରାମ ଜନ୍ମଭୂମି ଟ୍ରଷ୍ଟର ସମ୍ପାଦକ ଥିଲେ ଚମ୍ପତ, ଇସ୍ତଫା ଦେଇସାରିଛନ୍ତି।
ଅନ୍ୟପଟେ ଚୋରି ମାମଲାରେ ଆସିଛି ନୂଆ ଅପଡେଟ। ପ୍ରଭୁ ରାମଲଲାଙ୍କ ଉଦ୍ଦେଶ୍ୟରେ ଭଙ୍କମାନେ ଦେଉଥିବା ଅର୍ଥ ହେରଫେର ସମ୍ପର୍କରେ ରାମ ମନ୍ଦିର ଟ୍ରଷ୍ଟ ସବୁ ଜାଣିଥିଲା। ଭକ୍ତ ଭାବନା ସହ ଖେଳ ହେଉଥିଲେ ହେଁ ଚୁପ ରହିଥିଲା ଟ୍ରଷ୍ଟ। ଉତ୍ତର ପ୍ରଦେଶ ସରକାର ଏସ୍ଆଇଟି ଗଠନ କରି ଚୋରିର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଏହାପୂର୍ବରୁ ଅର୍ଥାତ ତଦନ୍ତ ପୂର୍ବରୁ ହୁଣ୍ଡିରୁ ଚୋରି ହୋଇଥିବା ୫୮ ଲକ୍ଷ ଟଙ୍କାକୁ ଟ୍ରଷ୍ଟ ଜବତ କରିଥିଲା। ତଥାପି ଚୋରି ସମ୍ପର୍କରେ ତଥ୍ୟକୁ ସାର୍ବଜନୀନ କରି ନଥିଲା ଟ୍ରଷ୍ଟ। ଏଥିରୁ ଟ୍ରଷ୍ଟର ଭୂମିକା ଓ ଉତ୍ତରଦାୟିତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଚୋରି ମାମଲା ସାର୍ବଜନୀନ ହେବା ଆଗରୁ ଏହାର ଖବର ଟ୍ରଷ୍ଟ ପାଖରେ ପହଞ୍ଚିଥିଲା। ଏଥିପାଇଁ ଟ୍ରଷ୍ଟର କିଛି ନିର୍ଦ୍ଦିଷ୍ଟ ସଦସ୍ୟ ନିଜସ୍ୱ ଆଭ୍ୟନ୍ତରୀଣ ତଦନ୍ତ ଆରମ୍ଭ କରିଥିଲେ। ଏହି ସମୟରେ ଅବିନାଶ ଶୁକ୍ଳା ନାମକ ଜଣେ ବ୍ୟକ୍ତିଙ୍କ ପାଖରୁ ୫୮ ଲକ୍ଷ ଟଙ୍କା ଜବତ ହୋଇଥିଲା। ଗତ ସପ୍ତାହରେ ଏସ୍ଆଇଟି ଚାନ୍ଦା ଟଙ୍କା ହେରଫେର ଘଟଣାରେ ଗିରଫ କରିଥିବା ୮ ଜଣଙ୍କ ମଧ୍ୟରେ ଅବିନାଶ ମଧ୍ୟ ରହିଛନ୍ତି। ଚୋରି ମାମଲା ସାର୍ବଜନୀନ ହେବା ଓ ତଦନ୍ତ ପାଇଁ ଏସ୍ଆଇଟି ଗଠନ ହେବାର ୯ ଦିନ ପୂର୍ବରୁ ହିଁ ଟ୍ରଷ୍ଟ ୫୮ ଲକ୍ଷ ଟଙ୍କା ଜବତ କରିଥିବା ଜଣାପଡ଼ିଛି।
ଏସ୍ଆଇଟି ଘଟଣାର ତଦନ୍ତ କରିବା ପରେ ୟୁପି ସରକାରଙ୍କ ନିକଟରେ ରିପୋର୍ଟ ଦାଖଲ କରିଥିଲା। ଏହାପରେ ଏଫଆଇଆର ହୋଇଥିଲା ଓ ଅବିନାଶ ଶୁକ୍ଳାଙ୍କ ସମେତ ୮ ଜଣ ଗିରଫ ହୋଇଛନ୍ତି। ଗୋଟିଏ ସୂତ୍ରରେ କୁହାଯାଇଛି ଯେ ଜୁନ ୫ରେ ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟଙ୍କ ନିର୍ଦ୍ଦେଶରେ କିଛି ସଦସ୍ୟ ପୁଲିସ୍ କର୍ମଚାରୀଙ୍କୁ ଧରି ଅଭିଯୁକ୍ତ ଅବିନାଶଙ୍କ ଘରେ ପହଞ୍ଚିଥିଲେ।
ଏହି ସମୟରେ ତାଙ୍କ ଘରୁ ୫୮ ଲକ୍ଷ ଟଙ୍କା ଜବତ ହୋଇଥିଲା। ଏହା ଜବତ ହେବା କ୍ଷଣି ନୈତିକତା ଦୃଷ୍ଟିରୁ ଚମ୍ପତ ରାୟ ଓ ଟ୍ରଷ୍ଟି ଅନୀଲ ମିଶ୍ରା ଇସ୍ତଫା ଦେଇଥିଲେ। ଜୁନ୍ ୫ରୁ ୮ ମଧ୍ୟରେ ଚୋରି ବାବଦ ବାକି ଅର୍ଥ ଅଭିଯୁକ୍ତ ବ୍ୟାଙ୍କ ଟ୍ରାନ୍ସଫର ମାଧ୍ୟମରେ ଫେରାଇଥିଲେ। ଏହାରୁ ସ୍ପଷ୍ଟ ହେଉଛି ଯେ ଆନୁଷ୍ଠାନିକ ଅଭିଯୋଗ ରୁଜୁ ହେବା ପୂର୍ବରୁ ହିଁ ଟଙ୍କା ଫେରାଇବା ପ୍ରକ୍ରିୟା ଆରମ୍ଭ ହୋଇଥିଲା।
