ଭୁବନେଶ୍ୱର: ବହୁଚର୍ଚ୍ଚିତ ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚକୁ ଆଉ ଏକ ସଫଳତା ମିଳିଛି। ଏହି ମାମଲାରେ ଆଉ ଜଣେ ଅଭିଯୁକ୍ତ ସୁବାସ ଭୋଇଙ୍କୁ ଗିରଫ କରାଯାଇଛି। ଏହାକୁ ମିଶାଇ ଏହି ହତ୍ୟାକାଣ୍ଡରେ ଏପର୍ଯ୍ୟନ୍ତ ମୋଟ ୨୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ସୁବାସ ଭୋଇ ଖୋର୍ଦ୍ଧା ଜିଲ୍ଲା ମଞ୍ଚେଶ୍ୱର ଥାନା ଅନ୍ତର୍ଗତ କଳାରାହାଙ୍ଗ ଗାଁର ବାସିନ୍ଦା । ତଦନ୍ତ ସମୟରେ ସଂଗୃହୀତ ପ୍ରମାଣ ଆଧାରରେ ତାଙ୍କୁ କଳାରାହାଙ୍ଗ ଭୋଇ ସାହିରୁ ଗିରଫ କରାଯାଇଛି । ତଦନ୍ତରୁ ସୌମ୍ୟ ରଞ୍ଜନଙ୍କ ଉପରେ ଆକ୍ରମଣରେ ତାଙ୍କର ସମ୍ପୃକ୍ତି ଥିବା ସ୍ପଷ୍ଟ ହୋଇଥିବା କ୍ରାଇମବ୍ରାଞ୍ଚ କହିଛି ।
ଗତ ମେ ୭ ତାରିଖରେ ଗାଡ଼ି ଦୁର୍ଘଟଣା ଏବଂ ଜଣେ ଯୁବତୀଙ୍କ ସହ ଅସଦାଚରଣ ଅଭିଯୋଗକୁ କେନ୍ଦ୍ର କରି ସୌମ୍ୟଙ୍କୁ ନିର୍ମମ ଭାବେ ପିଟିପିଟି ହତ୍ୟା କରାଯାଇଥିଲା। ଏହି ଘଟଣା ରାଜ୍ୟବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଥିଲା। ସୌମ୍ୟଙ୍କ ପରିବାର ଆରମ୍ଭରୁ ହିଁ ଏହି ହତ୍ୟାକାଣ୍ଡ ପଛରେ ଏକ ବଡ଼ ଷଡ଼ଯନ୍ତ୍ର ଥିବା ଅଭିଯୋଗ କରିଆସୁଛନ୍ତି। ପରେ ଜାତୀୟ ମାନବାଧିକାର ଆୟୋଗ (ଏନ୍ଏଚ୍ଆର୍ସି)ର ତଦନ୍ତକାରୀ ଦଳ ସମ୍ମୁଖରେ ସୌମ୍ୟଙ୍କ ମାଆ ମଧ୍ୟ ପୁଅଙ୍କୁ ଦିଆଯାଇଥିବା ନିର୍ଯାତନା ଓ ହତ୍ୟା ସମ୍ପର୍କରେ ବିସ୍ତୃତ ବୟାନ ରଖିଥିଲେ।
ଏହି ବହୁଚର୍ଚ୍ଚିତ ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଥିବା ବେଳେ ଘଟଣାର ସମସ୍ତ ଦିଗକୁ ନେଇ ଖୋଳତାଡ଼ କରୁଛି। ତଦନ୍ତ ଆଗକୁ ବଢ଼ିବା ସହ ଆହୁରି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିପାରେ ବୋଲି ଆଶା କରାଯାଉଛି। କ୍ରାଇମବ୍ରାଞ୍ଚ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ, ସାକ୍ଷୀଙ୍କ ବୟାନ ରେକର୍ଡ, ଡିଜିଟାଲ ପ୍ରମାଣ ଓ ଅନ୍ୟାନ୍ୟ ତଥ୍ୟକୁ ଆଧାର କରି ତଦନ୍ତ ଆଗକୁ ବଢ଼ାଯାଉଛି ।
