ଚେନ୍ନାଇ: ତାମିଲନାଡୁର ତିରୁପ୍ପୁର ଜିଲ୍ଲାରୁ ଏକ ଦୁଃଖଦ ଏବଂ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବକ ଏକ ୟୁଟ୍ୟୁବ୍ ଭିଡିଓ ଦେଖିବା ପରେ ତାଙ୍କ ସ୍ତ୍ରୀଙ୍କୁ ଘରେ ପ୍ରସବ କରିବାକୁ ଚେଷ୍ଟା କରିଥିଲେ। ଏଭଳି ଚରମ ଅବହେଳା ଯୋଗୁଁ ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
ଉଥୁକୁଲିର ଥାଲାଭାଇପାଲୟମର ବାସିନ୍ଦା ଶଶିକଳା ସିଜରିଆନ୍ ସେକ୍ସନ ମାଧ୍ୟମରେ ତାଙ୍କର ପ୍ରଥମ ସନ୍ତାନ ପ୍ରସବ କରିଥିଲେ। କିନ୍ତୁ ଏଥର ନର୍ମାଲ ଡେଲିଭରୀ ପାଇଁ ସେ ତାଙ୍କ ସ୍ୱାମୀ ଏବଂ ଶାଶୁଙ୍କ ସହିତ ଡାକ୍ତରୀ ପରାମର୍ଶ କିମ୍ବା ତଦାରଖ ବିନା ଘରେ ପ୍ରସବ କରିବାକୁ ଚେଷ୍ଟା କରିଥିଲେ।
ସୂଚନା ଅନୁଯାୟୀ, ସ୍ୱାମୀ ୟୁଟ୍ୟୁବ୍ରେ ପ୍ରସବ ଜନିତ ଅନେକ ଭିଡିଓ ଦେଖିଥିଲେ। ଏହା ପରେ ଶଶିକଳାଙ୍କ ସ୍ୱାମୀ କାର୍ତ୍ତିକ ଏବଂ ତାଙ୍କ ଶାଶୁ ମଧ୍ୟ ଶଶିକଳାଙ୍କୁ ପ୍ରସବ କରିବାରେ ସାହାଯ୍ୟ କରିଥିଲେ। ସାଧାରଣ ପ୍ରସବ ସମୟରେ, ଗର୍ଭ ନାଡ ଠିକ୍ ଭାବରେ ଅଲଗା ହୋଇପାରି ନ ଥିଲା, ଯାହା ଫଳରେ ଅତ୍ୟଧିକ ରକ୍ତସ୍ରାବ ହୋଇଥିଲା।
ତାଙ୍କୁ ତୁରନ୍ତ ପେରୁଣ୍ଡୁରାଇର ଏକ ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା। ପରେ ତାଙ୍କୁ କୋଏମ୍ବାଟୁରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସମସ୍ତ ପ୍ରୟାସ ସତ୍ତ୍ୱେ ରବିବାର ଶଶିକଳାଙ୍କର ମୃତ୍ୟୁ ହୋଇଥିଲା। ସୌଭାଗ୍ୟ ବଶତଃ ଡାକ୍ତରମାନେ ତାଙ୍କ ନବଜାତ କନ୍ୟାକୁ ସୁରକ୍ଷିତ ଭାବରେ ବଞ୍ଚାଇ ପାରିଥିଲେ।
