ଭୁବନେଶ୍ୱର: ରାଜ୍ୟରେ ଏବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପୂର୍ଣ୍ଣ ମାତ୍ରାରେ ସକ୍ରିୟ ହୋଇଉଠିଛି। ଫଳରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି। ଅନ୍ୟପଟେ ବଙ୍ଗୋପସାଗରରେ ବଳ ଗୋଟାଉଛି ଲଘୁଚାପ। ଜୁଲାଇ ୧ରୁ ୭ ତାରିଖ ଭିତରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରଥମେ ବର୍ଷା ବଢ଼ିପାରେ। ପରେ କେନ୍ଦ୍ରୀୟ ଓ ଉତ୍ତର ଓଡ଼ିଶାରେ ବର୍ଷା ବଢ଼ିବ। ମୌସୁମୀ ପ୍ରବାହକୁ ଆହୁରି ସକ୍ରିୟ କରିବା ପାଇଁ ପ୍ରକୃତି ନିଜର ପ୍ରସ୍ତୁତି ଆରମ୍ଭ କରିଦେଇଛି। ଆଜି ସକାଳୁ ରାଜଧାନୀ ଭୁବନେଶ୍ୱର ସମେତ ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳ ବର୍ଷା ଦେଖିବାକୁ ମିଳିଛି।
ଦୀର୍ଘ ଦିନର ଗୁଳୁଗୁଳି ଓ ଗରମରୁ ଲୋକଙ୍କୁ ତ୍ରାହି ମିଳିଥିବା ବେଳେ, ତଳିଆ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଛି। ଘଡ଼ଘଡ଼ି ଓ ପ୍ରବଳ ବର୍ଷା ନେଇ ଆଜି ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି ଅନ୍ୟ ୨୩ଟି ଜିଲ୍ଲାକୁ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଆଗାମୀ ୪ ଦିନ ପାଇଁ ସତର୍କ ସୂଚନା ଜାରି ହୋଇଛି ।
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ଯୋଗୁଁ ପ୍ରଚୁର ପରିମାଣର ଜଳୀୟବାଷ୍ପ ଓଡ଼ିଶା ମଧ୍ୟକୁ ପ୍ରବେଶ କରୁଛି। ଏହା ପ୍ରଭାବରେ ଜୁଲାଇ ପ୍ରଥମ ସପ୍ତାହ ଯାଏଁ ବର୍ଷା ଲାଗିରହିବ। ଅନେକ ସ୍ଥାନରେ ଘଡ଼ଘଡ଼ି, ବିଜୁଳି ସହ ପ୍ରବଳ ବର୍ଷା ଓ ପବନ ହେବାର ସମ୍ଭାବନା ଅଛି। ୧ ରୁ ୪ ଜୁଲାଇ ଯାଏଁ କେତେକ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବ। ଏହି ସମୟରେ ବର୍ଷାର ପରିମାଣ ସବୁଠୁ ଅଧିକ ରହିବ। ୫ ଜୁଲାଇ ପରଠାରୁ ବର୍ଷାର ପ୍ରକୋପ ସାମାନ୍ୟ କମିପାରେ, କିନ୍ତୁ ପ୍ରବଳ ବର୍ଷା ଜାରି ରହିବ। ପ୍ରବଳ ବର୍ଷା ସମୟରେ ଘରୁ ବାହାରକୁ ନବାହାରିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି।
