ଭୁବନେଶ୍ୱର: ଆଧାର ସଂଯୋଗ ବିନା ମିଳିବନି ଭତ୍ତା। ବ୍ୟାଙ୍କ ସହ ଆଧାର ଲିଙ୍କ ନଥିଲେ ବନ୍ଦ ହେବ NSAP ପେନସନ। ତୁରନ୍ତ ବ୍ୟାଙ୍କ ଆକାଉଣ୍ଟ ସହିତ ଆଧାର ଲିଙ୍କ ପାଇଁ ଜିଲ୍ଲାପାଳଙ୍କୁ ହୋଇଛି ନିର୍ଦ୍ଦେଶ। ବୟସ୍କ ଲୋକଙ୍କୁ ସହାୟତା କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନୋଟିସ। ଏବେ ବି ୩.୩୫ ଲକ୍ଷ ହିତାଧିକାରୀଙ୍କ ଆଧାର-ବ୍ୟାଙ୍କ ସଂଯୋଗ ବାକି ଅଛି। ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (ଏନ୍ଏସ୍ଏପି)ରେ ଭତ୍ତା ପାଉଥିବା ହିତାଧିକାରୀଙ୍କ ବ୍ୟାଙ୍କ ସହ ଆଧାର ସଂଯୋଗ ବାଧ୍ୟତାମୂଳକ।
ଏନେଇ ସମସ୍ତ ଜିଲ୍ଲାପାଳମାନଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ରାଜ୍ୟ ସାମାଜିକ ନିରାପତ୍ତା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ସୁରେଶ କୁମାର ବଶିଷ୍ଠ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର ୩ ଲକ୍ଷ ୩୫ ହଜାର ୮୫୦ ଏନ୍ଏସ୍ଏପି ହିତାଧିକାରୀଙ୍କର ଆଧାର ସହ ବ୍ୟାଙ୍କ ଆକାଉଣ୍ଟ୍ ସଂଯୋଗ ହୋଇନି। ତେଣୁ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତେବେ କିଛି ପେନସନଧାରୀ ଶଯ୍ୟାଶାୟୀ ହୋଇଥିବାରୁ, ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟ ସହ ଆଧାର ସଂଯୋଗ କରିବା ବେଳେ ସମ୍ବେଦନଶୀଳ ହୋଇ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି।
୨୦୨୬-୨୭ ଆର୍ଥିକ ବର୍ଷରୁ ଏନ୍ଏସ୍ଏପି ପେନସନ୍ ଏସ୍ଏନ୍ଏ-ସ୍ପର୍ଶ ପ୍ଲାଟଫର୍ମ ମାଧ୍ୟମରେ ଆଧାର ଭିତ୍ତିକ ପେମେଣ୍ଟ ବ୍ୟବସ୍ଥାରେ ପ୍ରଦାନ କରାଯିବ। ତେବେ ବର୍ତ୍ତମାନ ଯେଉଁ ଭତ୍ତାଧାରୀମାନେ ଆକାଉଣ୍ଟରେ ଭତ୍ତା ପାଉଛନ୍ତି, ସେମାନଙ୍କର ଆଧାର ସଂଯୋଗ ନହେଲେ ଏସ୍ଏନ୍ଏ-ସ୍ପର୍ଶ ପ୍ଲାଟଫର୍ମରେ ପୁରୁଣା ବ୍ୟବସ୍ଥାରେ ଭତ୍ତା ପ୍ରଦାନ ସମ୍ଭବ ହେବ ନାହିଁ ବୋଲି ବଶିଷ୍ଠ ସ୍ପଷ୍ଟ କରିଛନ୍ତି। ସେହିପରି ଆଧାର-ବ୍ୟାଙ୍କ ସଂଯୋଗ ପୂର୍ବରୁ ଆଧାର ସିଡିଂ ଓ ଇ-କେୱାଇସି ପ୍ରକ୍ରିୟାକୁ ବ୍ଲକ ସ୍ତରରେ ପ୍ରାଥମିକତା ଭିତ୍ତିରେ ସମ୍ପୂର୍ଣ୍ଣ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। କୌଣସି ସମସ୍ୟା ହେଲେ ଜିଲ୍ଲାର ବିଭିନ୍ନ ବ୍ଲକରେ ଥିବା ଆଧାର ସଂଯୋଜକମାନେ ଆବଶ୍ୟକ ସହଯୋଗ କରିବେ ବୋଲି ଚିଠିରେ ଉଲ୍ଲେଖ ରହିଛି।

Comments are closed.