ଭୁବନେଶ୍ୱର: ଖଣ୍ଡଗିରି ହତ୍ୟାକାଣ୍ଡ ମାମଲା। AIIMSରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ବାପା। ପୂର୍ବରୁ ପୁଅ କୃଷ୍ଣ ପାଢ଼ୀର ମୃତ୍ୟୁ ହୋଇଥିବା ବେଳେ ବଞ୍ଚାଇବାକୁ ଯାଇ ବାପା ଗୁରୁତର ହୋଇ ଏମ୍ସରେ ଚିକିତ୍ସା ହେଉଥିଲେ। ତେବେ ଆଜି ଚିକିତ୍ସାଧୀନ ଅବସ୍ଥାରେ କୃଷ୍ଣ ପାଢ଼ୀଙ୍କର ବାପା ଆଖି ବୁଜିଲେ। ଗତକାଲି ୨ ଜଣଙ୍କୁ ଅଟକ ରଖିଥିଲା ଖଣ୍ଡଗିରି ପୋଲିସ।
ରାଜଧାନୀରେ ଯୁବକ କୃଷ୍ଣ ପାଢ଼ୀଙ୍କ ବିଭତ୍ସ ହତ୍ୟା ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖି ପୋଲିସ ତଦନ୍ତ ଜାରି ରଖିଛି। ହତ୍ୟାକାରୀଙ୍କ ନିକଟରେ ପହଞ୍ଚିବାକୁ ପୋଲିସ ସେମାନଙ୍କୁ ପଚରାଉଚରା ଚଳାଇଛି। କୃଷ୍ଣ ପାଢ଼ୀଙ୍କୁ ପ୍ରେମ ପାଇଁ ପିଟି ପିଟି ହତ୍ୟା କରିଥିବା ସୂଚନା ମିଳିଛି । କଲେଜ ପ୍ରେମ ପାଇଁ କୃଷ୍ଣ ପାଢ଼ୀଙ୍କୁ ହତ୍ୟା କରିଥିବା କୁହାଯାଉଛି।
ଗତକାଲି ଶୋଇଥିବା ବେଳେ କୃଷ୍ଣ ପାଢ଼ୀଙ୍କୁ ହତ୍ୟା କରିଥିଲେ ଦୁର୍ବୃତ୍ତ। ଖଣ୍ଡଗିରି ଥାନା କୋଳଥିଆ ଛକରେ ମୁଖାପିନ୍ଧା ଦୁର୍ବୃତ୍ତମାନେ କୃଷ୍ଣଙ୍କ ଘରେ ପଶି ଲୁହା ରଡରେ ଆକ୍ରମଣ କରିଥିଲେ। ଦୁର୍ବୃତ୍ତଙ୍କ ଆକ୍ରମଣରେ କୃଷ୍ଣଙ୍କ ମୃତ୍ୟୁ ହୋଇଥିବା ବେଳେ କୃଷ୍ଣଙ୍କ ବାପା ହିମାଂଶୁ ପାଢ଼ୀ ଓ ଭଉଣୀ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଥିଲେ। ମୃତ କୃଷ୍ଣଙ୍କ ଘର ଗଞ୍ଜାମ ଜିଲ୍ଲା ସୋରଡ଼ା ଅଞ୍ଚଳରେ। ତାଙ୍କ ପରିବାର ପ୍ରାୟ ୨୦ ବର୍ଷ ଧରି କୋଳଥିଆରେ ରହୁଥିଲେ । କାହା ସହ ସେମାନଙ୍କର ପୂର୍ବ ଶତ୍ରୁତା ନଥିଲା ବୋଲି କହିଛନ୍ତି ପରିବାର ଲୋକ। ଅପରପକ୍ଷେ ସମସ୍ତ ଦିଗକୁ ଆଧାର କରି ପୋଲିସ ତଦନ୍ତ ଚଳାଇଛି ।
