ନୂଆଦିଲ୍ଲୀ: ଶତ୍ରୁ ଦେଶ ପାକିସ୍ତାନ ସହିତ ସିକ୍ରେଟ୍ ଆଲୋଚନା କରିଛି କି ଭାରତ?
ରିପୋର୍ଟ ପରେ ବଢ଼ିଲା ଚର୍ଚ୍ଚା…
ପହେଲଗାମ ଆତଙ୍କୀ ଆକ୍ରମଣ ପରେ ଭାରତ-ପାକିସ୍ତାନ ସମ୍ପର୍କ ତୀବ୍ର ଉତ୍ତେଜନା ମଧ୍ୟରେ ଥିବାବେଳେ ହଠାତ୍ ଏକ ଖବର ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ଦାବି ହେଉଥିଲା ଯେ, ଶ୍ରୀଲଙ୍କାର କଲମ୍ବୋରେ ଉଭୟ ଦେଶ ମଧ୍ୟରେ ପରଦା ପଛରେ ବ୍ୟାକଡୋର୍ ଆଲୋଚନା ହୋଇଛି। ତେବେ ଏହି ଚର୍ଚ୍ଚା ଉପରେ ଏବେ ପୂର୍ଣ୍ଣବିରାମ ଲଗାଇଛନ୍ତି ଭାରତର ବୈଦେଶିକ ସଚିବ ବିକ୍ରମ ମିଶ୍ରୀ।
ବିକ୍ରମ ମିଶ୍ରୀ ସ୍ପଷ୍ଟ କରିଛନ୍ତି ଯେ, କଲମ୍ବୋରେ ହୋଇଥିବା କଥିତ ଟ୍ରାକ୍-୨ ଡାଏଲଗ୍ ସହ ଭାରତ ସରକାରଙ୍କର କୌଣସି ସରକାରୀ ସମ୍ପର୍କ ନାହିଁ। ଏହା ଏକ ବ୍ୟକ୍ତିଗତ ସଂସ୍ଥା ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ ଥିଲା ଏବଂ ଏଥିରେ ଭାରତ ସରକାରଙ୍କ ପକ୍ଷରୁ କୌଣସି ପ୍ରତିନିଧି ଯୋଗ ଦେଇନଥିଲେ।
ତେବେ IRSC(IISS Regional Security Conference) ଅବସରରେ କଲମ୍ବୋରେ ଭାରତ ଓ ପାକିସ୍ତାନର କିଛି ଅବସରପ୍ରାପ୍ତ କୂଟନୀତିଜ୍ଞ, ପୂର୍ବତନ ସାମରିକ ଅଧିକାରୀ ଓ ସିଭିଲ୍ ସୋସାଇଟିର ସଦସ୍ୟମାନଙ୍କ ମଧ୍ୟରେ ଆଲୋଚନା ହୋଇଥିବା ନେଇ ଖବର ପ୍ରକାଶ ପାଇଥିଲା। ଏହାପରେ ପ୍ରଶ୍ନ ଉଠିଥିଲା, କ’ଣ ପରସ୍ପର ବିରୋଧରେ ସବୁବେଳେ ସ୍ବର ଶାଣିତ କରୁଥିବା ଦୁଇ ଦେଶ, ପୁଣି ଥରେ ଗୁପ୍ତ ଭାବେ ଆଲୋଚନା ଆରମ୍ଭ କରିଛନ୍ତି?
ଏହାର ଉତ୍ତରରେ ବିକ୍ରମ ମିଶ୍ରୀ କହିଛନ୍ତି, ବିଶ୍ୱର ବିଭିନ୍ନ ଦେଶରେ ଏଭଳି ଅନେକ ଟ୍ରାକ୍-୨ ବୈଠକ ନିୟମିତ ହୋଇଥାଏ। ଭାରତ ସରକାର ଏଭଳି ବୈଠକକୁ କୌଣସି ସରକାରୀ ଗୁରୁତ୍ୱ ଦିଅନ୍ତିନାହିଁ। ଏଥିରେ ଯୋଗ ଦେଉଥିବା ଭାରତୀୟ ପ୍ରତିନିଧିମାନେ ନିଜସ୍ୱ କ୍ଷମତାରେ ଯୋଗ ଦିଅନ୍ତି ଏବଂ ସେମାନଙ୍କ ମତାମତକୁ ଭାରତ ସରକାରଙ୍କ ଆଭିମୁଖ୍ୟ ବୋଲି ଧରାଯାଇପାରିବ ନାହିଁ।
ଅନ୍ୟପଟେ ପାକିସ୍ତାନର ଆଫଗାନିସ୍ତାନ ଉପରେ ହୋଇଥିବା ବିମାନ ଆକ୍ରମଣକୁ ଭାରତ କଡ଼ା ଭାବେ ନିନ୍ଦା କରିଛି। ବିଦେଶ ମନ୍ତ୍ରାଳୟ କହିଛି, ବିନା କୌଣସି ପ୍ରରୋଚନାରେ କରାଯାଇଥିବା ଏହି ଆକ୍ରମଣ ଆଞ୍ଚଳିକ ଶାନ୍ତି ଓ ସ୍ଥିରତା ପାଇଁ ବିପଦ ସୃଷ୍ଟି କରୁଛି। ଭାରତର ଅଭିଯୋଗ, ପାକିସ୍ତାନ ନିଜ ଆଭ୍ୟନ୍ତରୀଣ ସମସ୍ୟାରୁ ଲୋକଙ୍କ ଦୃଷ୍ଟି ହଟାଇବା ପାଇଁ ଆଫଗାନିସ୍ତାନକୁ ଟାର୍ଗେଟ୍ କରୁଛି।
ତେବେ କହିରଖୁଛୁ, ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ପୂର୍ବରୁ ହିଁ ତିକ୍ତ ରହିଆସିଛି। ବିଶେଷକରି ଗତ ବର୍ଷ ଏପ୍ରିଲରେ ପହେଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଆହୁରି ବଢ଼ିଛି। ପାକିସ୍ତାନ ଭୂମିରୁ ସକ୍ରିୟ ଆତଙ୍କବାଦୀ ସଙ୍ଗଠନକୁ ନେଇ ଭାରତ ବାରମ୍ବାର ଆନ୍ତର୍ଜାତିକ ମଞ୍ଚରେ ଇସଲାମାବାଦକୁ ଘେରିଆସୁଥିବା ବେଳେ ପାକିସ୍ତାନ ନିଜ ଦେଶରେ ଘଟୁଥିବା ଆତଙ୍କୀ ଘଟଣା ପଛରେ ଭାରତର ହାତ ଥିବା ଅଭିଯୋଗ କରିଆସୁଛି। ଏଭଳି ପରିସ୍ଥିତିରେ କଲମ୍ବୋର ଟ୍ରାକ୍-୨ ବୈଠକକୁ ନେଇ ଚର୍ଚ୍ଚା ଜୋର ଧରିଥିଲେ ମଧ୍ୟ, ଭାରତ ସରକାର ସ୍ପଷ୍ଟ କରିଛନ୍ତି ଯେ ଏହା ସହ ତାଙ୍କର କୌଣସି ସରକାରୀ ସମ୍ପର୍କ ନାହିଁ।
