ଭୁବନେଶ୍ୱର: ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଅଧୀନରେ ବାର୍ଦ୍ଧକ୍ୟ, ବିଧବା ଏବଂ ଭିନ୍ନକ୍ଷମ ଭତ୍ତା ପାଉଥିବା ହିତାଧିକାରୀଙ୍କ ପାଇଁ ରାଜ୍ୟ ସରକାର ଏକ ବଡ଼ ଘୋଷଣା କରିଛନ୍ତି। ଏଣିକି ପେନସନ୍ ପାଇବାକୁ ହେଲେ ବ୍ୟାଙ୍କ ଆକାଉଣ୍ଟ ସହିତ ନିଜର ଆଧାର ଲିଙ୍କ୍ କରିବା ବାଧ୍ୟତାମୂଳକ କରାଯାଇଛି। ଆସନ୍ତା ୨୦୨୬-୨୭ ଆର୍ଥିକ ବର୍ଷରୁ କେବଳ ଆକାଉଣ୍ଟ ଜରିଆରେ ମିଳୁଥିବା ଭତ୍ତା ପ୍ରଦାନ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦିଆଯିବ। ସରକାରଙ୍କ ଏହି କଡ଼ା ନିୟମ ଯୋଗୁଁ ବର୍ତ୍ତମାନ ରାଜ୍ୟର ପ୍ରାୟ ୩.୩୫ ଲକ୍ଷ ହିତାଧିକାରୀ ଭତ୍ତାରୁ ବଞ୍ଚିତ ହେବାର ଆଶଙ୍କା ସୃଷ୍ଟି ହୋଇଛି।
ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଏହି ନୂଆ ନିୟମ ବାବଦରେ ଅବଗତ କରାଇଛନ୍ତି। ଚିଠିରେ ଉଲ୍ଲେଖ ରହିଛି ଯେ, ଆଗାମୀ ଦିନରେ ଏସ୍ଏନ୍ଏ-ସ୍ପର୍ଶ ପ୍ଲାଟଫର୍ମ ମାଧ୍ୟମରେ କେବଳ ଆଧାର ଭିତ୍ତିକ ପେମେଣ୍ଟ ବ୍ୟବସ୍ଥା ଜରିଆରେ ହିଁ ପେନସନ୍ ପ୍ରଦାନ କରାଯିବ। ବିଭାଗୀୟ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ୩.୩୫ ଲକ୍ଷରୁ ଅଧିକ ହିତାଧିକାରୀ ଆଧାର ଲିଙ୍କ୍ ନକରି ନିଜର ସାଧାରଣ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ପେନସନ୍ ଟଙ୍କା ଉଠାଉଛନ୍ତି। ଏଣିକି ଏହି ପୁରୁଣା ବ୍ୟବସ୍ଥା ଗ୍ରହଣଯୋଗ୍ୟ ହେବ ନାହିଁ।
ସରକାରଙ୍କ ଏହି ନିଷ୍ପତ୍ତି ପରେ ବିଭିନ୍ନ ମହଲରେ ଚିନ୍ତା ପ୍ରକଟ କରାଯାଇଛି। ସାଧାରଣତଃ ଯେଉଁ ବୃଦ୍ଧବୃଦ୍ଧା, ଶାରୀରିକ ଅକ୍ଷମ ବ୍ୟକ୍ତି ଏବଂ ଶଯ୍ୟାଶାୟୀ ରୋଗୀ ବ୍ୟାଙ୍କକୁ ଯାଇ ନିଜର ବାୟୋମେଟ୍ରିକ୍ ଅପଡେଟ୍ କରିବାକୁ ଅସମର୍ଥ, ସେମାନଙ୍କ ପାଇଁ ଏହି ପ୍ରକ୍ରିୟା ଏକ ବଡ଼ ବାଧକ ସାଜିବ। ଆଧାର ଏବଂ ବ୍ୟାଙ୍କ ଖାତାରେ ଥିବା ନାମ କିମ୍ବା ଅନ୍ୟାନ୍ୟ ତ୍ରୁଟି କାରଣରୁ ଯଦି ଲିଙ୍କ୍ ପ୍ରକ୍ରିୟା ବିଫଳ ହୁଏ, ତେବେ ଅନେକ ଅସହାୟ ଲୋକ ନିଜର ଏକମାତ୍ର ଆର୍ଥିକ ସମ୍ବଳ ହରାଇବେ ବୋଲି ସାମାଜିକ କର୍ମୀମାନେ ମତ ଦେଇଛନ୍ତି।
ହିତାଧିକାରୀଙ୍କ ଅସୁବିଧାକୁ ଆଖିଆଗରେ ରଖି ରାଜ୍ୟ ସରକାର ଜିଲ୍ଲା ପ୍ରଶାସନକୁ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁମାନେ ଶଯ୍ୟାଶାୟୀ କିମ୍ବା ବ୍ୟାଙ୍କ ଆସିପାରିବେ ନାହିଁ, ସେମାନଙ୍କୁ ପ୍ରଶାସନ ତରଫରୁ ଚିହ୍ନଟ କରାଯାଇ ସ୍ୱତନ୍ତ୍ର ବ୍ୟବସ୍ଥା ଜରିଆରେ ଆଧାର ସଂଯୋଗ କରାଯିବ। ବ୍ଲକ୍ ସ୍ତରରେ ଥିବା ଆଧାର ଅପରେଟର ଏବଂ କ୍ଲଷ୍ଟର ସଂଯୋଜକମାନେ ଇ-କେୱାଇସି ପ୍ରକ୍ରିୟାକୁ ତୁରନ୍ତ ଶେଷ କରିବେ। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମାନଙ୍କୁ ଏନ୍ଏସ୍ଏପି-ପିପିଏସ୍ ପୋର୍ଟାଲ୍ ମାଧ୍ୟମରେ ଏହାର ତଦାରଖ କରିବାକୁ ଦାୟିତ୍ୱ ଦିଆଯାଇଛି, ଯାହାଦ୍ୱାରା କୌଣସି ପ୍ରକୃତ ହିତାଧିକାରୀ ଯେପରି ସେମାନଙ୍କ ପ୍ରାପ୍ୟରୁ ବଞ୍ଚିତ ନ ହୁଅନ୍ତି।
