ଜେଲରେ ୩୦ ଦିନ ରହିଲେ ଯିବ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ପଦ: ବିବାଦୀୟ ୧୩୦ତମ ସମ୍ବିଧାନ ସଂଶୋଧନ ବିଲ୍ ଉପରେ ଶୀଘ୍ର ରିପୋର୍ଟ ଦେବେ ଜେପିସି
ନୂଆଦିଲ୍ଲୀ: କୌଣସି ସଙ୍ଗୀନ ଅପରାଧରେ ଗିରଫ ହୋଇ କ୍ରମାଗତ ୩୦ ଦିନ ହାଜତ ବା ଜେଲରେ ରହିଲେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ କିମ୍ବା ରାଜ୍ୟ ମନ୍ତ୍ରୀମାନଙ୍କୁ ଆପେ ଆପେ ନିଜ ପଦ ହରାଇବାକୁ ପଡ଼ିବ। ଏପରିକି ଦେଶର ପ୍ରଧାନମନ୍ତ୍ରୀ ମଧ୍ୟ ଏହି ନିୟମରୁ ବାଦ୍ ପଡ଼ିବେ ନାହିଁ। ଭାରତୀୟ ରାଜନୀତିରେ ଏଭଳି ଏକ ବଡ଼ ଓ କଠୋର ପରିବର୍ତ୍ତନ ଆଣିବାକୁ ଥିବା ବହୁଚର୍ଚ୍ଚିତ ୧୩୦ତମ ସମ୍ବିଧାନ ସଂଶୋଧନ ବିଲକୁ ନେଇ ଏବେ ପ୍ରସ୍ତୁତି ଜୋରଦାର ହୋଇଛି। ଏହି ବିଲ୍କୁ ଅନୁଧ୍ୟାନ କରୁଥିବା ମିଳିତ ସଂସଦୀୟ କମିଟି ଖୁବଶୀଘ୍ର ଏହାର ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରିବାକୁ ଯାଉଛି। ଜୁଲାଇ ୧୭ ତାରିଖ ସୁଦ୍ଧା କମିଟି ଏହି ରିପୋର୍ଟକୁ ଗ୍ରହଣ କରି ସଂସଦରେ ଉପସ୍ଥାପନ କରିବା ନେଇ ସମ୍ଭାବନା ରହିଛି।
ସୂଚନାଯୋଗ୍ୟ ଯେ, ଗତବର୍ଷ (୨୦୨୫) ଅଗଷ୍ଟ ୨୦ ତାରିଖରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଲୋକସଭାରେ ଏହି ବିଲ୍ ଆଗତ କରିଥିଲେ। ସମ୍ବିଧାନର ଧାରା ୭୫, ୧୬୪ ଏବଂ ୨୩୯(ଏଏ) ରେ ସଂଶୋଧନ ଆଣିବାକୁ ପ୍ରସ୍ତାବ ଥିବା ଏହି ବିଲ୍ରେ ସ୍ପଷ୍ଟ କରାଯାଇଛି ଯେ, ଯଦି ଜଣେ ମନ୍ତ୍ରୀ ବା ମୁଖ୍ୟମନ୍ତ୍ରୀ ୫ ବର୍ଷରୁ ଅଧିକ ଜେଲ୍ ଦଣ୍ଡାଦେଶ ଥିବା କୌଣସି ସଙ୍ଗୀନ ଅପରାଧରେ ଗିରଫ ହୋଇ ୩୦ ଦିନ ପର୍ଯ୍ୟନ୍ତ ହାଜତରେ ରହନ୍ତି, ତେବେ ୩୧ତମ ଦିନରେ ସେ ସ୍ୱତଃପ୍ରବୃତ୍ତ ଭାବେ ନିଜ ପଦବୀରୁ ବହିଷ୍କୃତ ହେବେ। ‘ଜେଲ୍ ଭିତରୁ ସରକାର ଚଳାଇବା’ ପରି ବିବାଦୀୟ ପରିସ୍ଥିତିକୁ ରୋକିବା ଏବଂ ଲୋକତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ସାମ୍ବିଧାନିକ ନୈତିକତା ବଜାୟ ରଖିବା ଏହି ବିଲ୍ର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସରକାର ଦର୍ଶାଇଛନ୍ତି।
ବିଲ୍ ଆଗତ ହେବା ପରେ ଏହା ଉପରେ ବିସ୍ତୃତ ତର୍ଜମା ପାଇଁ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଏକ ୩୧ ଜଣିଆ ମିଳିତ ସଂସଦୀୟ କମିଟି (ଜେପିସି) ଗଠନ କରାଯାଇଥିଲା। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଜେପିସି ଏହାର ରିପୋର୍ଟରେ ବିଲ୍ର ମୂଳ ୩୦-ଦିନିଆ ବହିଷ୍କାର ଧାରାକୁ କାୟମ ରଖିବାକୁ ନିଷ୍ପତ୍ତି ନେଇଛି। କମିଟିର ସଦସ୍ୟଙ୍କ ଯୁକ୍ତି ହେଉଛି ଯେ, ଜାମିନ ଆବେଦନ କରିବା ପାଇଁ ୩୦ ଦିନର ସମୟ ଯଥେଷ୍ଟ। ତେବେ ଏହି ଆଇନର ଯେପରି କୌଣସି ରାଜନୈତିକ ଅପବ୍ୟବହାର ନହେବ ଏବଂ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକ ଏହାର ଫାଇଦା ନେଇ ବିରୋଧୀ ଦଳର ସରକାରକୁ ଭାଙ୍ଗିବାର ପ୍ରୟାସ ନକରନ୍ତି, ସେଥିପାଇଁ କମିଟି କିଛି ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଯୋଡ଼ିବାକୁ ସୁପାରିଶ କରିପାରେ। କେଉଁ ପ୍ରକାରର ଅପରାଧ ଏହି ଆଇନର ପରିସରଭୁକ୍ତ ହେବ, ତାହାର ଏକ ସ୍ପଷ୍ଟ ସୀମାରେଖା ଟାଣିବାକୁ ମଧ୍ୟ ବିଚାର କରାଯାଉଛି।
ଅନ୍ୟପକ୍ଷରେ, ‘ଇଣ୍ଡିଆ’ ମେଣ୍ଟର ବିରୋଧୀ ସାଂସଦମାନେ ଏହି ବିଲ୍କୁ ଦୃଢ଼ ବିରୋଧ କରିଆସୁଛନ୍ତି। ସେମାନଙ୍କ ଅଭିଯୋଗ ଅନୁଯାୟୀ, ବର୍ତ୍ତମାନର ଲୋକ ପ୍ରତିନିଧିତ୍ୱ ଆଇନରେ କେବଳ ଦୋଷୀ ସାବ୍ୟସ୍ତ ହେବା ପରେ ହିଁ ଜଣେ ନେତାଙ୍କୁ ପଦରୁ ହଟାଯିବାର ବ୍ୟବସ୍ଥା ରହିଛି। କିନ୍ତୁ ବିନା ବିଚାର ଓ ଦୋଷ ପ୍ରମାଣିତ ନହୋଇ କେବଳ ଅଟକ ବା ଗିରଫ ଆଧାରରେ ଜଣେ ନିର୍ବାଚିତ ପ୍ରତିନିଧିଙ୍କୁ ପଦରୁ ହଟାଇବା ପ୍ରାକୃତିକ ନ୍ୟାୟ ଏବଂ ଗଣତାନ୍ତ୍ରିକ ବ୍ୟବସ୍ଥାର ସମ୍ପୂର୍ଣ୍ଣ ବିରୋଧୀ। ଏହା ବିରୋଧୀ ଦଳର ନେତାଙ୍କୁ ଟାର୍ଗେଟ୍ କରିବା ପାଇଁ କେନ୍ଦ୍ର ସରକାରଙ୍କ ଏକ ଅସ୍ତ୍ର ବୋଲି ସେମାନେ କହିଛନ୍ତି। ତେଣୁ ଜେପିସି ରିପୋର୍ଟରେ ବିରୋଧୀ ସାଂସଦମାନେ ନିଜର ‘ଡିସେଣ୍ଟ ନୋଟ୍’ (ଅସହମତି ପତ୍ର) ସାମିଲ କରିବା ଏକପ୍ରକାର ନିଶ୍ଚିତ।
ଆସନ୍ତା ଜୁଲାଇ ୨୦ ତାରିଖରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ସରକାର ଏହି ଅଧିବେଶନରେ ବିଲ୍କୁ ପାରିତ କରାଇବା ପାଇଁ ଆଗତ କରିପାରନ୍ତି। ଯଦି ଏହି ସମ୍ବିଧାନ ସଂଶୋଧନ ବିଲ୍ ଆଇନରେ ପରିଣତ ହୁଏ, ତେବେ ଶାସନ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ଦିଗରେ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ହେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।
