Latest Odisha News

BREAKING NEWS

ଏଣିକି କେଜିରୁ ପିଜି ପର୍ଯ୍ୟନ୍ତ ଶିକ୍ଷା ସମ୍ପୂର୍ଣ୍ଣ ମାଗଣା: ରାଜ୍ୟ କ୍ୟାବିନେଟର ଯୁଗାନ୍ତକାରୀ ନିଷ୍ପତ୍ତି

ଭୁବନେଶ୍ୱର: ଦାରିଦ୍ର୍ୟ ଏବଂ ଅର୍ଥ ଅଭାବରୁ ଏଣିକି ଆଉ କାହାରି ପାଠପଢ଼ାରେ ଡୋରି ବନ୍ଧାହେବ ନାହିଁ। ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସଂସ୍କାର ଆଣିବା ତଥା ପ୍ରତ୍ୟେକ ପିଲାଙ୍କ ପାଖରେ ଗୁଣାତ୍ମକ ଶିକ୍ଷା ପହଞ୍ଚାଇବା ଲକ୍ଷ୍ୟରେ ରାଜ୍ୟ ସରକାର ଏକ ବଡ଼ ଏବଂ ଯୁଗାନ୍ତକାରୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ‘ଜ୍ଞାନୋଦୟରୁ ଶିକ୍ଷା ସମୃଦ୍ଧି’ ଆଭିମୁଖ୍ୟ ନେଇ ରାଜ୍ୟରେ ଏଣିକି କେଜିରୁ ଆରମ୍ଭ କରି ପିଜି (ସ୍ନାତକୋତ୍ତର) ପର୍ଯ୍ୟନ୍ତ ଶିକ୍ଷାକୁ ସମ୍ପୂର୍ଣ୍ଣ ମାଗଣା କରାଯିବ। ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଆସନ୍ତା ୨୦୨୬-୨୭ ଶିକ୍ଷାବର୍ଷରୁ ଏହା ବିଧିବଦ୍ଧ ଭାବେ କାର୍ଯ୍ୟକାରୀ ହେବ।

 

ସରକାରୀ ସୂଚନା ଅନୁଯାୟୀ, ପୂର୍ବରୁ ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମାଗଣା ନାମଲେଖା ଏବଂ ଶିକ୍ଷାଦାନର ବ୍ୟବସ୍ଥା ରହିଥିଲା। ଏବେ ଏହାର ପରିସରକୁ ନବମ ଶ୍ରେଣୀରୁ ନେଇ ପିଜି ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସ୍କୁଲ ଓ ଗଣଶିକ୍ଷା ବିଭାଗ ତଥା ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲ ଓ କଲେଜଗୁଡ଼ିକରେ ଏହା ଲାଗୁ ହେବ। ଏହି ସବୁ ଶିକ୍ଷାନୁଷ୍ଠାନଗୁଡ଼ିକରେ ଚାଲିଥିବା ‘ନିୟମିତ ପାଠ୍ୟକ୍ରମ’ରେ ଛାତ୍ରଛାତ୍ରୀମାନେ ବିନା କୌଣସି ଶୁଳ୍କରେ ନାମ ଲେଖାଇ ପାରିବେ। ତେବେ ସ୍ପଷ୍ଟ କରିଦିଆଯାଇଛି ଯେ, କୌଣସି ସେଲ୍ଫ-ଫାଇନାନ୍ସିଂ କିମ୍ବା ପ୍ରଫେସନାଲ୍ ପାଠ୍ୟକ୍ରମକୁ ଏହି ମାଗଣା ଶିକ୍ଷା ଯୋଜନାର ଅନ୍ତର୍ଭୁକ୍ତ କରାଯାଇ ନାହିଁ।

 

ପାଠପଢ଼ା ଖର୍ଚ୍ଚ ବହନ କରି ନପାରି ଅଧାରୁ ପାଠ ଛାଡ଼ୁଥିବା ପିଲାଙ୍କ ସଂଖ୍ୟା ତଥା ‘ଡ୍ରପ୍ ଆଉଟ୍’ ହାରକୁ ହ୍ରାସ କରିବାରେ ଏହି ପଦକ୍ଷେପ ବ୍ରହ୍ମାସ୍ତ୍ର ସାବ୍ୟସ୍ତ ହେବ ବୋଲି ସରକାର ଆଶାବାଦୀ ଅଛନ୍ତି। ନୂତନ ଜାତୀୟ ଶିକ୍ଷାନୀତିର ମୂଳ ଉଦ୍ଦେଶ୍ୟକୁ ସଫଳତାର ସହ ପୂରଣ କରିବା ଦିଗରେ ଏହା ବେଶ୍ ସହାୟକ ହେବ। ଏହି ବୃହତ୍ ଯୋଜନାର ସଫଳ ରୂପାୟନ ପାଇଁ ରାଜ୍ୟ ସରକାର ଆଗାମୀ ୫ ବର୍ଷ ନିମନ୍ତେ ୫ ହଜାର ୪୬୭ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ଏହି ନିଷ୍ପତ୍ତି ଫଳରେ ରାଜ୍ୟର ୩୨ ଲକ୍ଷରୁ ଊର୍ଦ୍ଧ୍ୱ ଗରିବ ଓ ମେଧାବୀ ଛାତ୍ରଛାତ୍ରୀ ପ୍ରତିବର୍ଷ ସିଧାସଳଖ ଉପକୃତ ହୋଇପାରିବେ।

 

ଏହି ଐତିହାସିକ ପ୍ରସ୍ତାବ କ୍ୟାବିନେଟରେ ପାସ୍ ହେବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, “କୌଣସି ବି ଛାତ୍ରଛାତ୍ରୀ ଅର୍ଥ ଅଭାବରୁ ଯେମିତି ଶିକ୍ଷାଦାନରୁ ବଞ୍ଚିତ ନହୁଅନ୍ତି, ସେଥିପାଇଁ ଆମ ସରକାର ଏହି ବଡ଼ ପଦକ୍ଷେପ ନେଇଛନ୍ତି। ‘ଜ୍ଞାନୋଦୟରୁ ଶିକ୍ଷା ସମୃଦ୍ଧି’ ମାଧ୍ୟମରେ ରାଜ୍ୟରେ ଗୁଣାତ୍ମକ ଶିକ୍ଷାର ବିକାଶ ଘଟିବ ଏବଂ ଏହା ନୂଆ ଓଡ଼ିଶା ଗଠନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ।”

Leave A Reply

Your email address will not be published.