Latest Odisha News

BREAKING NEWS

ଆମେରିକାରେ ଭୟଙ୍କର ଗ୍ରୀଷ୍ମ ପ୍ରବାହ: ଜୁଲାଇ ୪ ଛୁଟିଦିନ ପୂର୍ବରୁ ଆଲର୍ଟ ଜାରି

ୱାଶିଂଟନ୍: ଆମେରିକାର ମଧ୍ୟ ଏବଂ ପୂର୍ବ ଭାଗରେ ଏବେ ଏକ ଭୟଙ୍କର ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଜାତୀୟ ପାଣିପାଗ ସେବା ପକ୍ଷରୁ ଏହି ଚରମ ପାଣିପାଗକୁ ନେଇ କଡ଼ା ଚେତାବନୀ ଜାରି କରାଯିବା ସହ ଦେଶର ପ୍ରାୟ ୧୩ କୋଟିରୁ ଊର୍ଦ୍ଧ୍ୱ ଲୋକଙ୍କ ପାଇଁ ହିଟ୍ ଆଲର୍ଟ ଘୋଷଣା କରାଯାଇଛି। ଦେଶର ୨୫୦ତମ ସ୍ୱାଧୀନତା ଦିବସ (ଜୁଲାଇ ୪) ଉତ୍ସବ ପାଳନ ପୂର୍ବରୁ ଏହି ପ୍ରବଳ ଗରମ ଓ ଗୁମଗୁମି ପରିସ୍ଥିତି ଲୋକଙ୍କ ଚିନ୍ତାକୁ ବହୁଗୁଣିତ କରିଦେଇଛି।

 

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆଗାମୀ କିଛି ଦିନ ପର୍ଯ୍ୟନ୍ତ ବିଭିନ୍ନ ସହରର ତାପମାତ୍ରା ୧୦୦ ଡିଗ୍ରୀ ଫାରେନହାଇଟ୍ (ପ୍ରାୟ ୩୮ ଡିଗ୍ରୀ ସେଲସିୟସ୍) ଉପରେ ରହିବାର ସମ୍ଭାବନା ରହିଛି। କେବଳ ସେତିକି ନୁହେଁ, ବାୟୁମଣ୍ଡଳରେ ଅତ୍ୟଧିକ ଆର୍ଦ୍ରତା କାରଣରୁ ଗରମର ବାସ୍ତବିକ ଅନୁଭବ ବା ‘ହିଟ୍ ଇଣ୍ଡେକ୍ସ’ ଆହୁରି ଭୟଙ୍କର ରହିବ, ଯାହାକି ୧୧୦ ରୁ ୧୧୫ ଡିଗ୍ରୀ ଫାରେନହାଇଟ୍ (୪୬ ଡିଗ୍ରୀ ସେଲସିୟସ୍) ପର୍ଯ୍ୟନ୍ତ ପହଞ୍ଚିପାରେ। ପାଣିପାଗ ବିଶେଷଜ୍ଞଙ୍କ ମତରେ ଏକ ବିଶାଳ ଉଚ୍ଚ ଚାପ ବଳୟ ବା ‘ହିଟ୍ ଡୋମ୍’ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ଏବଂ ଏହା ଦେଶର ଏକ ବଡ଼ ଅଂଶରେ ସ୍ଥିର ହୋଇ ରହିଛି।

 

ଏହି ଭୟଙ୍କର ଗ୍ରୀଷ୍ମ ପ୍ରବାହ ଯୋଗୁଁ ନ୍ୟୁୟର୍କ, ୱାଶିଂଟନ୍ ଡି.ସି., ଫିଲାଡେଲଫିଆ, ବାଲ୍ଟିମୋର, ଚିକାଗୋ, ସେଣ୍ଟ ଲୁଇସ୍ ଏବଂ ଡାଲାସ୍ ଭଳି ବଡ଼ ବଡ଼ ସହରଗୁଡ଼ିକ ସର୍ବାଧିକ ପ୍ରଭାବିତ ହେବାକୁ ଯାଉଛନ୍ତି। ଦିନରେ ପ୍ରକୋପ ଦେଖାଉଥିବା ଖରା ପରେ ରାତିରେ ମଧ୍ୟ ସହରାଞ୍ଚଳରେ ତାପମାତ୍ରା ୮୦ ଡିଗ୍ରୀ ଫାରେନହାଇଟ୍ (୨୭ ଡିଗ୍ରୀ ସେଲସିୟସ୍) ରୁ ତଳକୁ ଖସୁନଥିବାରୁ ଲୋକଙ୍କୁ ସାମାନ୍ୟତମ ଆଶ୍ୱସ୍ତି ମିଳିପାରୁନାହିଁ। ଜୁଲାଇ ୪ ଉତ୍ସବ ଏବଂ ଫିଫା ବିଶ୍ୱକପ୍ ମ୍ୟାଚ୍ ପାଇଁ ହେବାକୁ ଥିବା ବିଶାଳ ଜନସମାଗମ ଉପରେ ମଧ୍ୟ ଏହାର ସିଧାସଳଖ ପ୍ରତିକୂଳ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି।

 

ଅସମ୍ଭାଳ ଗରମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ବିଭିନ୍ନ ସ୍ଥାନରେ କୁଲିଂ ସେଣ୍ଟର (ଶୀତଳ କେନ୍ଦ୍ର) ଖୋଲାଯିବା ସହ ଜନସାଧାରଣଙ୍କୁ ଦିନ ସମୟରେ ଘର ଭିତରେ ରହିବାକୁ ପରାମର୍ଶ ଦିଆଯାଇଛି।

Leave A Reply

Your email address will not be published.