ରାସ୍ତା ମଝିରେ ହଠାତ୍ ବନ୍ଦ ହୋଇଯାଉଛି ଇ-ରିକ୍ସା! ଖେଳୁଆଡ଼ ମନୋଭାବ ପଡ଼ିବ ମହଙ୍ଗା, ୭ଟି ଆପ୍ ହଟାଇବାକୁ କେନ୍ଦ୍ରର କଡ଼ା ନିର୍ଦ୍ଦେଶ
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଭ୍ୟୁଜ୍ ଏବଂ ଲାଇକ୍ ପାଇବା ପାଇଁ ଆଜିକାଲି ଲୋକେ କିଛି ବି କରିବାକୁ ପଛାଉନାହାନ୍ତି। ନିକଟରେ ଇଣ୍ଟରନେଟ୍ରେ ଏକ ନୂଆ ଟ୍ରେଣ୍ଡ ଦେଖିବାକୁ ମିଳିଥିଲା, ଯେଉଁଥିରେ କିଛି ଯୁବକ ରାସ୍ତାରେ ଯାଉଥିବା ଇ-ରିକ୍ସାଗୁଡ଼ିକୁ ନିଜ ମୋବାଇଲ୍ ଆପ୍ ଜରିଆରେ ହଠାତ୍ ବନ୍ଦ କରିଦେଉଥିଲେ। ଏହି ‘ପ୍ରାଙ୍କ୍’ କାରଣରୁ ଗରିବ ରିକ୍ସାଚାଳକମାନେ ରାସ୍ତା ମଝିରେ ନାହିଁ ନଥିବା ହଇରାଣ ହେଉଥିଲେ। ଏବେ ଏହି ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି କେନ୍ଦ୍ର ସରକାର।
ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ପକ୍ଷରୁ ଗୁଗୁଲ୍ ଏବଂ ଆପଲ୍ କୁ କଡ଼ା ନୋଟିସ୍ ଜାରି କରାଯାଇଛି। ଇ-ରିକ୍ସା ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରିକ୍ ଯାନର ବ୍ୟାଟେରୀକୁ ନିୟନ୍ତ୍ରଣ କରି ସଟ୍ଡାଉନ୍ କରୁଥିବା ୭ଟି ମୋବାଇଲ୍ ଆପ୍କୁ ତୁରନ୍ତ ଆଣ୍ଡ୍ରଏଡ୍ ପ୍ଲେ-ଷ୍ଟୋର୍ ଏବଂ ଆଇଓଏସ୍ ଆପ୍-ଷ୍ଟୋରରୁ ହଟାଇଦେବାକୁ ନିର୍ଦ୍ଦେଶ ଦିଆଯାଇଛି।
ବାସ୍ତବରେ, ଏହି ଆପ୍ଗୁଡ଼ିକ ହେଉଛି ‘ବ୍ୟାଟେରୀ ମ୍ୟାନେଜମେଣ୍ଟ ସିଷ୍ଟମ୍’ ଆପ୍। ଏଥିମଧ୍ୟରୁ ପ୍ରମୁଖ ହେଉଛି BAT-BMS, SMART BMS, LOSSIGY ଏବଂ Epoch-i-ion। ଏଗୁଡ଼ିକ ମୁଖ୍ୟତଃ ଟେକ୍ନିସିଆନ୍ମାନଙ୍କ ପାଇଁ ବ୍ୟାଟେରୀର ଭୋଲଟେଜ୍, ତାପମାତ୍ରା ଏବଂ କରେଣ୍ଟ ଯାଞ୍ଚ କରିବା ପାଇଁ ତିଆରି କରାଯାଇଥିଲା।
କିନ୍ତୁ ସମସ୍ୟା ହେଉଛି, ଅଧିକାଂଶ ଇ-ରିକ୍ସାରେ ଲାଗିଥିବା ଶସ୍ତା ବ୍ଲୁଟୁଥ୍-ସକ୍ଷମ ଲିଥିୟମ୍ ବ୍ୟାଟେରୀରେ କୌଣସି ପାସୱାର୍ଡ ବା ଅଥେଣ୍ଟିକେସନ୍ ବ୍ୟବସ୍ଥା ନଥାଏ। ଫଳରେ ୧୦ ରୁ ୧୫ ମିଟର ଦୂରତାରେ ଥିବା ଯେକୌଣସି ସ୍ମାର୍ଟଫୋନ୍ ଏହି ଆପ୍ ଜରିଆରେ ବିନା ଅନୁମତିରେ ଇ-ରିକ୍ସା ବ୍ୟାଟେରୀ ସହ କନେକ୍ଟ କରିପାରୁଥିଲା ଏବଂ ମାତ୍ର ଗୋଟିଏ କ୍ଲିକ୍ରେ ଗାଡ଼ିର ପାୱାର୍ ସପ୍ଲାଏ କାଟିଦେଉଥିଲା।
କିଛି ଯୁବକଙ୍କ ପାଇଁ ଏହା ଏକ ମଜାଳିଆ ଖେଳ ଥିବା ବେଳେ, ଇ-ରିକ୍ସା ଚାଳକଙ୍କ ପାଇଁ ଏହା ଜୀବିକା ଉପରେ ପ୍ରହାର ଥିଲା। ଭାଇରାଲ୍ ହୋଇଥିବା ବିଭିନ୍ନ ଭିଡିଓରେ ଦେଖିବାକୁ ମିଳିଥିଲା ଯେ: ଚାଳକମାନେ ରାସ୍ତା ମଝିରେ ଯାତ୍ରୀଙ୍କୁ ଓହ୍ଲାଇ ଗାଡ଼ିକୁ ଠେଲି ଠେଲି ନେଉଥିଲେ। ଅନେକ ଚାଳକ ଯେଉଁମାନେ ଭଡ଼ାରେ ରିକ୍ସା ଆଣିଥାନ୍ତି, ସେମାନେ ଦିନକର ରୋଜଗାର (ପ୍ରାୟ ୪୦୦-୫୦୦ ଟଙ୍କା) ହରାଉଥିଲେ। କିଛି ଲୋକ ମେକାନିକ୍ ପାଖକୁ ଯାଇ ଅଯଥାରେ ଟଙ୍କା ଖର୍ଚ୍ଚ କରୁଥିଲେ କାରଣ ବ୍ୟାଟେରୀ ଖରାପ ହୋଇନଥାଏ, କେବଳ ଆପ୍ ଜରିଆରେ ଲକ୍ କରିଦିଆଯାଇଥାଏ।
ଏହି ଘଟଣା ସର୍ବସାଧାରଣ ରାସ୍ତାରେ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବାରୁ ସରକାର କଡ଼ା ପଦକ୍ଷେପ ନେଇଛନ୍ତି। ମନ୍ତ୍ରଣାଳୟର ସଚିବ ଏସ୍. କ୍ରିଷ୍ଣନ୍ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, “ଆମ ନଜରକୁ ଏହି ପ୍ରସଙ୍ଗ ଆସିବା ମାତ୍ରେ ତୁରନ୍ତ ପଦକ୍ଷେପ ନିଆଯାଇଛି ଏବଂ ପ୍ରାଥମିକ ପର୍ଯ୍ୟାୟରେ ଦୁଇଟି ଆପ୍କୁ ଷ୍ଟୋର୍ରୁ ହଟାଇ ଦିଆଯାଇଛି।”
ସେ ଅଧିକ ଯୋଡ଼ିଛନ୍ତି ଯେ, ସର୍ବସାଧାରଣଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବା କିମ୍ବା ବେଆଇନ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରୁଥିବା କୌଣସି ବି ଆପ୍କୁ ଷ୍ଟୋର୍ରେ ସ୍ଥାନ ଦେବା ପୂର୍ବରୁ ଆପ୍ ଷ୍ଟୋର୍ଗୁଡ଼ିକ ନିଜର ଦାୟିତ୍ୱବୋଧତା ଦେଖାଇବା ଉଚିତ। ସରକାରୀ ସୂତ୍ର ଅନୁଯାୟୀ, ଏଭଳି ବ୍ୟବହାର ଜାରି ରହିଲେ IT Act ର ନିୟମ ଉଲ୍ଲଂଘନ ଦର୍ଶାଇ କମ୍ପାନୀଗୁଡ଼ିକ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ। ଏଥିସହ ଯେଉଁମାନେ ଏଭଳି ଆପ୍ ବ୍ୟବହାର କରି ଅନ୍ୟକୁ ହଇରାଣ କରୁଛନ୍ତି, ସେମାନଙ୍କୁ ଜେଲ୍ ଦଣ୍ଡ ମଧ୍ୟ ଭୋଗିବାକୁ ପଡ଼ିପାରେ ବୋଲି ସତର୍କ କରାଇ ଦିଆଯାଇଛି।