ଭୁବନେଶ୍ୱର:ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ପାଇଁ ସୁଗମ ପରିବହନ, ସୁରକ୍ଷିତ ଯାତାୟାତ ଏବଂ ଟ୍ରାଫିକ୍ର ସୁପରିଚାଳନା ନିମନ୍ତେ ଆଜି ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକ ଆରମ୍ଭରେ ଉପସ୍ଥିତ ଅଧିକାରୀମାନେ ରଥଯାତ୍ରା ପାଇଁ କରାଯାଇଥିବା ସମଗ୍ର ପରିବହନ ବ୍ଲୁ-ପ୍ରିଣ୍ଟ, ଏପର୍ଯ୍ୟନ୍ତର ପ୍ରସ୍ତୁତି ଏବଂ ଆଗାମୀ ଦିନର କାର୍ଯ୍ୟପନ୍ଥା ସମ୍ପର୍କରେ ମନ୍ତ୍ରୀଙ୍କୁ ସବିଶେଷ ବିବରଣୀ ପ୍ରଦାନ କରିଥିଲେ। ପ୍ରତିଟି ପଦକ୍ଷେପରେ ଶ୍ରଦ୍ଧାଳୁଙ୍କ ସୁବିଧାକୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ଏହି ଅବସରରେ ସମସ୍ତ ଅଧିକାରୀଙ୍କୁ ମନ୍ତ୍ରୀ ବିଭୂତି ଭୂଷଣ ଜେନା ନିର୍ଦ୍ଦେଶ ଦେଇଛନ୍ତି ।
ମହାପ୍ରଭୁଙ୍କ ନିକଟରେ ପୂର୍ଣ୍ଣ ସମର୍ପଣ ସହ ସମସ୍ତ ଦାୟିତ୍ୱକୁ ସୁଚାରୁରୂପେ ସମ୍ପାଦନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ପ୍ରଶାସନ, ପୋଲିସ ଓ ପରିବହନ ବିଭାଗ ଉତ୍ତମ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ସେ କହିଛନ୍ତି।
ଏହି ଅବସରରେ ଶ୍ରଦ୍ଧାଳୁଙ୍କ ସୁରକ୍ଷିତ ପରିବହନ ଦୃଷ୍ଟିରୁ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଉପରେ ବୈଠକରେ ଆଲୋଚନା ହୋଇଥିଲା। ବିଶେଷକରି, ଶ୍ରଦ୍ଧାଳୁଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ପୁରୀ ରୁଟରେ ବସ୍ ସଂଖ୍ୟା ବୃଦ୍ଧି କରାଯିବ ଏବଂ ଅସ୍ଥାୟୀ ପରମିଟ୍ ପ୍ରଦାନ ବ୍ୟବସ୍ଥାକୁ ସରଳ ଓ ତ୍ୱରାନ୍ୱିତ କରାଯିବ । ଧାର୍ଯ୍ୟ ଭଡ଼ାଠାରୁ ଯେଉଁଭଳି କୌଣସି ବସ୍ ଅଧିକ ଭଡ଼ା ନ ନିଅନ୍ତି ଏହା ସୁନିଶ୍ଚିତ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସବୁ ବସରେ ଭଡ଼ା ଚାର୍ଟ ରହିବ ଏବଂ ଏହି ସରକାରଙ୍କ ଦ୍ୱାରା ଧାର୍ଯ୍ୟ ଦରରେ ଯାତ୍ରୀଙ୍କଠାରୁ ଭଡ଼ା ଆଦାୟ ହେବ । ବିପଜ୍ଜନକ ଯାତ୍ରା ରୋକିବାକୁ ଓଭରଲୋଡ୍ ଓ ଓଭରସ୍ପିଡ୍ ବିରୋଧରେ ବ୍ୟାପକ ଏନଫୋର୍ସମେଣ୍ଟ କରିବାକୁ ମନ୍ତ୍ରୀ କହିଛନ୍ତି ।
ସେହିଭଳି ଅଟୋ ଭଡ଼ାରେ ବି ଯେଉଁଭଳି ଯାତ୍ରୀଙ୍କୁ ଶୋଷଣ ନ ହୁଏ ଏଥିପାଇଁ ଦୃଷ୍ଟି ଦେବାକୁ ସେ କହିଛନ୍ତି ।
ଚଳିତବର୍ଷ ପୁରୀର ସମସ୍ତ ପାର୍କିଂ ସ୍ଥଳରୁ ନିର୍ଦ୍ଧାରିତ ସ୍ଥାନ ଯାଏଁ ନିଃଶୁଳ୍କ ଅଟୋ ସେବା ବାଣିଜ୍ୟ ଓ ପରିବହନ ବିଭାଗ ଦ୍ୱାରା ପ୍ରଦାନ କରାଯିବ । ଏହାସହ ମାଳତୀପାଟପୁରରୁ ନିଃଶୁଳ୍କ ସଟଲ୍ ସେବା ପ୍ରଦାନ କରିବାକୁ ନିଷ୍ପତ୍ତି ଗ୍ରହଣ ହୋଇଛି । ତାଳବଣିଆରେ ସମସ୍ତ ମୌଳିକ ସୁବିଧା ଥାଇ ଅସ୍ଥାୟୀ ବିଶ୍ରାମାଗାର, ରଥଯାତ୍ରା ଓ ବାହୁଡ଼ାରେ ନିଃଶୁଳ୍କ ରନ୍ଧାଖାଦ୍ୟ ବିତରଣ, ପାନୀୟ ଜଳ, ପ୍ରାଥମିକ ଚିକିତ୍ସା ଆଦିର ସୁବନ୍ଦୋବସ୍ତ କରାଯିବ । ସେହିଭଳି ମାଳତୀପାଟପୁରରେ ମଧ୍ୟ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରାଯିବ ।
ଯାତ୍ରୀଙ୍କ ସୁବିଧା ପାଇଁ ପର୍ଯ୍ୟାପ୍ତ ପାର୍କିଂ ବ୍ୟବସ୍ଥା ହେବ ଏବଂ ସୁରକ୍ଷା ଦୃଷ୍ଟିରୁ ପ୍ରବେଶ ଓ ପ୍ରସ୍ଥାନରେ ସିସିଟିଭି ଲଗାଯିବ । ସେହିଭଳି ଟ୍ରାଫିକ ନିୟନ୍ତ୍ରଣ ପାଇଁ ଭୁବନେଶ୍ୱରରୁ ରଣନୀତି ଭିତ୍ତିରେ ସମନ୍ୱୟ ରକ୍ଷା କରି ପଦକ୍ଷେପ ଗ୍ରହଣ ହେବ । ପରିବହନ ବିଭାଗ ପକ୍ଷରୁ ତାଳବଣିଆରେ ସୂଚନା କେନ୍ଦ୍ର, ହେଲ୍ପଡେସ୍କ କାର୍ଯ୍ୟକ୍ଷମ ହେବ । ଶ୍ରଦ୍ଧାଳୁଙ୍କ ଅବଗତି ନିମନ୍ତେ ଏହି ସୁବିଧା ସମ୍ବନ୍ଧରେ ଜିଲ୍ଲା ପ୍ରଶାସନ ଦ୍ୱାରା ବ୍ୟାପକ ପ୍ରଚାର ପ୍ରସାର କରାଯିବ ।
ଅନ୍ୟପକ୍ଷରେ, ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥରେ ସଡ଼କ ସୁରକ୍ଷା ଦୃଷ୍ଟିରୁ ସମସ୍ତ ପଦକ୍ଷେପ ସମୟ ମଧ୍ୟରେ ଶେଷ କରିବାକୁ ଜାତୀୟ ରାଜପଥ ପ୍ରତିନିଧିଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଯେପରିକି, ଆବଶ୍ୟକ ସ୍ଥାନରେ ରାସ୍ତା ମରାମତି, ଷ୍ଟ୍ରିଟ୍ ଲାଇଟ୍, ଲେନ୍ ମାର୍କିଂ, ସାଇନେଜ୍ କୁ ପ୍ରାଧାନ୍ୟ ଦେବ ଏନଏଚଏଆଇ ।
ସେହିଭଳି ରାଜପଥରେ ଗୋରୁଗାଈ ଜନିତ ଦୁର୍ଘଟଣା ରୋକିବାକୁ ପଦକ୍ଷେପ ନେବାକୁ ବୈଠକରେ ଆଲୋଚନା ହୋଇଛି ।
ବୈଠକରେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଏନ.ବି.ଏସ. ରାଜପୁତ, ରଥଯାତ୍ରା ପରିଚାଳନା ଦାୟିତ୍ୱରେ ଥିବା ବରିଷ୍ଠ ଆଇପିଏସ ଅଧିକାରୀ ସୌମେନ୍ଦ୍ର ପ୍ରିୟଦର୍ଶୀ, ପରିବହନ ଆୟୁକ୍ତ ଅମିତାଭ ଠାକୁରଙ୍କ ସମେତ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏଥିସହିତ ଭର୍ଚୁଆଲ ମାଧ୍ୟମରେ ପୁରୀ ଜିଲ୍ଲାପାଳ, ଏସପି, କଟକ ଓ ଭୁବନେଶ୍ୱରର ଡିସିପି, କ୍ରୁଟ୍, ଜାତୀୟ ରାଜପଥ ପ୍ରାଧିକରଣର ପ୍ରତିନିଧିମାନେ ଏହି ବୈଠକରେ ଉପସ୍ଥିତ ଥିଲେ।