ଭୁବନେଶ୍ୱର: ଆସନ୍ତା ୭ ତାରିଖରେ ଭୁବନେଶ୍ୱରରେ ଇଷ୍ଟର୍ଣ୍ଣ ଜୋନାଲ କାଉନସିଲ ଷ୍ଟାଣ୍ଡିଂ କମିଟି ବୈଠକ। ଏକାଠି ହେବେ ୪ ରାଜ୍ୟର ମୁଖ୍ୟ ସଚିବ ଓ ପୋଲିସ ଡିଜି। କେନ୍ଦ୍ର ସରକାରଙ୍କ ଅଧିକାରୀ ମଧ୍ୟ ସାମିଲ ହେବେ। ଏଥିପାଇଁ ୮୭ ଜଣ ଅଫିସରଙ୍କୁ ନିୟୋଜିତ କଲେ ରାଜ୍ୟ ସରକାର। ଏହି ୧୫ତମ ଷ୍ଟାଣ୍ଡିଂ କମିଟି ବୈଠକରେ ମୁଖ୍ୟ ସଚିବ ଅନୁ ଗର୍ଗ ଅଧ୍ୟକ୍ଷତା କରିବେ। ବୈଠକରେ ଓଡିଶା ସମେତ ବିହାର, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ମୁଖ୍ୟ ସଚିବମାନଙ୍କ ସମେତ ଗୃହ ସଚିବ ଓ ପୋଲିସ ଡିଜିମାନେ ମଧ୍ୟ ଯୋଗ ଦେବେ।
ପରବର୍ତ୍ତୀ ପୂର୍ବାଂଚଳ ଜୋନାଲ କାଉନସିଲ୍ ବୈଠକ ପାଇଁ ଏଜେଣ୍ଡା ନିର୍ଦ୍ଧାରଣ କରିବା ଓ ପୂର୍ବ ବୈଠକର ନିଷ୍ପତ୍ତିଗୁଡ଼ିକର ଅଗ୍ରଗତି ସମ୍ପର୍କରେ ବୈଠକରେ ସମୀକ୍ଷା ହେବ। ବୈଠକରେ ମୁଖ୍ୟତଃ ଓଡ଼ିଶା ଓ ଝାଡ଼ଖଣ୍ଡ ସୀମାରେ ମାଓବାଦୀ କାର୍ଯ୍ୟକଳାପର ସମ୍ପୂର୍ଣ୍ଣ ମୂଳପୋଛ ଓ ମାଦକ ଦ୍ରବ୍ୟ ଚୋରାଚାଲାଣ ରୋକିବା ପାଇଁ ରାଷ୍ଟ୍ରୀୟ ନାର୍କୋଟିକ୍ସ ସମନ୍ୱୟ ପୋର୍ଟାଲର ବ୍ୟବହାର ଉପରେ ବିଶେଷ ଗୁରୁତ୍ୱ ଦିଆଯିବ।
ଏହାସହିତ ପୂର୍ବାଂଚଳ ରାଜ୍ୟଗୁଡ଼ିକର ଦୁର୍ଗମ ଅଂଚଳରେ ଯୋଗାଯୋଗ ଓ ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ସୁଧାର ପାଇଁ ପ୍ରତି ୫କିମି ପରିଧି ମଧ୍ୟରେ ବ୍ୟାଙ୍କିଙ୍ଗ ଆଉଟଲେଟ୍ ଓ ଡ଼ାକଘର ପ୍ରତିଷ୍ଠା କରିବା ନିମନ୍ତେ ପ୍ରସ୍ତୁତ ହୋଇଥିବା ବ୍ଲୁ-ପ୍ରିଣ୍ଟ ଉପରେ ବିଚାରବିମର୍ଶ ହେବ। ରାଜ୍ୟଗୁଡ଼ିକ ମଧ୍ୟରେ ଥିବା ସୀମା ବିବାଦ ଉପରେ ମଧ୍ୟ ଆଲୋଚନା ହେବ ବୋଲି ଜଣାପଡ଼ିଛି ।