ନୂଆଦିଲ୍ଲୀ: ଫିଫା ବିଶ୍ୱକପ୍ ୨୦୨୬ର ରାଉଣ୍ଡ ଅଫ୍-୧୬ ମୁକାବିଲାରେ ଆଫ୍ରିକୀୟ ଦେଶ ମୋରୋକୋ ଏକ ଐତିହାସିକ ବିଜୟ ହାସଲ କରିଛି। ସହ-ଆୟୋଜକ କାନାଡାକୁ ୩-୦ ଗୋଲରେ ଏକତରଫା ଭାବେ ପରାସ୍ତ କରି ମୋରୋକୋ କ୍ୱାର୍ଟର ଫାଇନାଲରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ ସହ ମୋରୋକୋ ଏକାଧିକ ଥର ବିଶ୍ୱକପର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବାରେ ପ୍ରଥମ ଆଫ୍ରିକୀୟ ଦେଶ ହେବାର ଗୌରବ ଅର୍ଜନ କରିଛି। ଅନ୍ୟପକ୍ଷରେ, ଏହି ନିରାଶାଜନକ ପରାଜୟ ସହ ଟୁର୍ଣ୍ଣାମେଣ୍ଟରେ କାନାଡାର ସୁନ୍ଦର ଯାତ୍ରାର ଅନ୍ତ ଘଟିଛି।
ମ୍ୟାଚର ପ୍ରଥମାର୍ଦ୍ଧ ବେଶ୍ ସଂଘର୍ଷପୂର୍ଣ୍ଣ ରହିଥିଲା। ଉଭୟ ଦଳର ଗୋଲକିପର ମଜବୁତ ଥିବାରୁ କୌଣସି ଦଳ ଗୋଲ୍ ଦେଇ ପାରିନଥିଲେ। ତେବେ ଦ୍ୱିତୀୟାର୍ଦ୍ଧ ଆରମ୍ଭ ହେବା ମାତ୍ରେ ଖେଳର ରୂପରେଖ ସମ୍ପୂର୍ଣ୍ଣ ବଦଳିଯାଇଥିଲା। ଅଶରଫ୍ ହାକିମିଙ୍କଠାରୁ ମିଳିଥିବା ଫ୍ରି-କିକକୁ ଆଜେଦିନ୍ ଔନାହି ବକ୍ସ ବାହାରୁ ଏକ ଚମତ୍କାର ରାଇଟ୍-ଫୁଟେଡ୍ ସଟ୍ ଜରିଆରେ ଗୋଲ୍ ପୋଷ୍ଟ ଭିତରକୁ ପଠାଇ ଦେଇଥିଲେ। ଏହି ଗୋଲ୍ ମୋରୋକୋକୁ ୧-୦ର ଅଗ୍ରଣୀ ଆଣିଦେଇଥିଲା।
ଏହାର କିଛି ସମୟ ପରେ ଇବ୍ରାହିମ୍ ଡିଆଜଙ୍କ ଏକ ସଠିକ୍ ପାସକୁ ବ୍ୟବହାର କରି ଔନାହି ବକ୍ସ ମଧ୍ୟଭାଗରୁ ପୁଣି ଏକ ଗୋଲ୍ ଦେଇଥିଲେ, ଯାହା ଦଳର ଲିଡ୍କୁ ୨-୦ କରିଦେଇଥିଲା। ଶେଷ ଆଡ଼କୁ, ଅର୍ଥାତ୍ ମ୍ୟାଚର ଅନ୍ତିମ ମୁହୂର୍ତ୍ତରେ ସୁଫିୟାନ୍ ରହିମୀ ଆଉ ଏକ ଗୋଲ୍ ଦେଇ କାନାଡାର ପ୍ରତ୍ୟାବର୍ତ୍ତନ ଆଶା ଉପରେ ପାଣି ପକାଇ ଦେଇଥିଲେ।
ପେନାଲ୍ଟି ସୁଟଆଉଟରେ ନେଦରଲ୍ୟାଣ୍ଡ୍ସକୁ ବିଦା କରି ରାଉଣ୍ଡ ଅଫ୍-୧୬ରେ ପହଞ୍ଚିଥିବା ଷଷ୍ଠ ମାନ୍ୟତାପ୍ରାପ୍ତ ମୋରୋକୋ ଦଳ ପଡ଼ିଆରେ ସମ୍ପୂର୍ଣ୍ଣ ଆଧିପତ୍ୟ ବିସ୍ତାର କରିଥିଲା। ତେବେ ମ୍ୟାଚ୍ ବେଳେ ଉଭୟ ଦଳର ଖେଳାଳିଙ୍କ ମଧ୍ୟରେ ବେଶ୍ ଉତ୍ତେଜନା ଦେଖିବାକୁ ମିଳିଥିଲା। ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ରେଫରୀଙ୍କୁ ମୋଟ ୮ଟି ୟେଲୋ କାର୍ଡ ବ୍ୟବହାର କରିବାକୁ ପଡ଼ିଥିଲା। ଦୁଇ ଦଳକୁ ୪ଟି ଲେଖାଏଁ ୟେଲୋ କାର୍ଡ ମିଳିଥିଲା।
ବିଶେଷକରି ମ୍ୟାଚର ୪୦ତମ ମିନିଟରେ ମୋରୋକୋର ଅଶରଫ୍ ହାକିମି ଏବଂ କାନାଡାର ରିଚି ଲାରିଆଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ଓ ଠେଲାପେଲା ଦେଖିବାକୁ ମିଳିଥିଲା, ଯେଉଁ କାରଣରୁ ଉଭୟଙ୍କୁ ୟେଲୋ କାର୍ଡ ଦେଇ ସତର୍କ କରାଯାଇଥିଲା।
ଗତ ୨୦୨୨ ବିଶ୍ୱକପରେ ସେମିଫାଇନାଲ୍ ଖେଳିଥିବା ମୋରୋକୋ ଏବେ ଲଗାତାର ଦ୍ୱିତୀୟ ଥର ପାଇଁ ଟପ୍-୮ରେ ନିଜର ଦବଦବା ଜାହିର କରିଛି। ସେପଟେ, ନିଜ ଦେଶରେ ଫୁଟବଲ୍ ପ୍ରତି ଏକ ନୂଆ କ୍ରେଜ୍ ସୃଷ୍ଟି କରିଥିବା କାନାଡା ଗତ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୧-୦ରେ ହରାଇ ପ୍ରଥମ ଥର ପାଇଁ ନକଆଉଟ୍ ପର୍ଯ୍ୟାୟରେ ପହଞ୍ଚିଥିଲା। କିନ୍ତୁ ଟପ୍-୮ରେ ପ୍ରବେଶ କରିବାରେ ଦଳ ବିଫଳ ହୋଇଛି।
ସୂଚନାଯୋଗ୍ୟ ଯେ, ଗତ ବିଶ୍ୱକପର ଗ୍ରୁପ୍ ଷ୍ଟେଜରେ ମଧ୍ୟ ମୋରୋକୋ ୨-୧ ଗୋଲରେ କାନାଡାକୁ ମାତ୍ ଦେଇଥିଛି ଏବଂ ଏହି ମୁକାବିଲା ସେହି ପୁରୁଣା ମ୍ୟାଚର ଏକ ପୁନରାବୃତ୍ତି ଭଳି ଥିଲା।