Latest Odisha News

BREAKING NEWS

Shopian Encounter: ଦୁଇ ଲସ୍କର ଆତଙ୍କବାଦୀ ନିହତ; ପହଲଗାମ ଆକ୍ରମଣ ପରେ ପ୍ରସ୍ତୁତ ହୋଇଥିବା ହିଟ୍ ଲିଷ୍ଟରେ ଥିଲା ଜଣେ…

ଶ୍ରୀନଗର:ଶନିବାର ଜମ୍ମୁ-କାଶ୍ମୀରର ଶୋପିଆନ ଜିଲ୍ଲାରେ ସୁରକ୍ଷା ବାହିନୀକୁ ବଡ ସଫଳତା ମିଳିଛି । ଏନକାଉଣ୍ଟରରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଚାନପୋରା ଗାଁ, ସୈଦପୋରା-ପିନ୍ ଅଞ୍ଚଳରେ ସନ୍ଧ୍ୟା ପ୍ରାୟ ୭:୪୫ ସମୟରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା।

ପୋଲିସ୍ ଓ ସେନାଙ୍କୁ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସେହି ଅଞ୍ଚଳରେ ଦୁଇଜଣ ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇବା ପରେ ସୁରକ୍ଷା ବାହିନୀ ପକ୍ଷରୁ ଘେରାଉ ଓ ତଲାସୀ ଅଭିଯାନ ଆରମ୍ଭ କରାଯାଇଥିଲା। ଏହି ଅଭିଯାନ ସମୟରେ ଆତଙ୍କବାଦୀମାନେ ଗୁଳିଚାଳନା କରିଥିଲେ, ଏହାପରେ ସୁରକ୍ଷା ବାହିନୀ କଡା ଜବାବ ଦେଇଥିଲେ । ସୁରକ୍ଷାବଳଙ୍କ କାର୍ଯ୍ୟାନୁଷ୍ଠାନରେ ୨ ଆତଙ୍କବାଦୀ ନିହତ ହୋଇଥିଲେ। ଆତଙ୍କବାଦୀଙ୍କ ମୃତଦେହ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇ ନାହିଁ।

ଦୁଇ ଆତଙ୍କବାଦୀଙ୍କୁ ଲତିଫ୍ ଏବଂ ଜାକିର ଭାବରେ ଚିହ୍ନଟ କରାଯାଇଛି। କୁହାଯାଉଛି ଯେ ଜାକିର ୨୦୨୪ ମସିହାରୁ ଲସ୍କର-ଏ-ତୈବା ସହିତ ଜଡିତ ଥିଲା ଓ ଲତିଫ ଗତ ବର୍ଷ ଏହି ସଂଗଠନରେ ଯୋଗ ଦେଇଥିଲା।

ଶୁକ୍ରବାର ଅପରାହ୍ନରେ ମୀନଦର୍ ଅଞ୍ଚଳର ଏକ ବଗିଚାରେ ସ୍ଥାପିତ ସେନା କ୍ୟାମେରା ଦ୍ୱାରା ଦୁଇ ଆତଙ୍କବାଦୀଙ୍କୁ ଦେଖିବା ପରେ ଏହି ଅପରେସନ୍ ଆରମ୍ଭ ହୋଇଥିଲା। ସେନା, ଜମ୍ମୁ ଓ କାଶ୍ମୀର ପୋଲିସ ଏବଂ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (CRPF) ର ୟୁନିଟଗୁଡ଼ିକୁ ନେଇ ଗଠିତ ଏକ ମିଳିତ ଦଳ ସନ୍ଧ୍ୟା ସୁଦ୍ଧା ଅଞ୍ଚଳକୁ ଘେରାବନ୍ଦୀ କରି ଚାରୋଟି ଗାଁକୁ ଖାଲି କରିଥିଲେ।

ଜମ୍ମୁ-କାଶ୍ମୀର ପୋଲିସର ସ୍ପେଶାଲ୍ ଅପରେସନ୍ସ ଗ୍ରୁପ୍ (SOG), ସେନାର 44 RR, 20 RR, 55 RR, 34 RR, ଏବଂ 3 ପାରା ୟୁନିଟ୍ ସହିତ CRPF କୁ ନେଇ ଗଠିତ ମିଳିତ ଦଳ ଏହି ଅପରେସନରେ ସାମିଲ କରିଥିଲେ।

ସେନା ଦ୍ୱାରା ଜାରି କରାଯାଇଥିବା ଆତଙ୍କବାଦୀଙ୍କ ସିସିଟିଭି (CCTV) ଫୁଟେଜ୍ ଏବଂ ଫଟୋ ମଧ୍ୟ ସାମ୍ନାକୁ ଆସିଛି। ସେଥିରେ ଦୁଇଜଣ ଆତଙ୍କବାଦୀଙ୍କୁ ଦେଖିବାକୁ ମିଳୁଛି। ଏନକାଉଣ୍ଟର ସ୍ଥଳରେ ଉପସ୍ଥିତ ଆତଙ୍କବାଦୀମାନେ ପ୍ରକୃତରେ ଜାକିର ଗନଇ ଏବଂ ଲତିଫ୍ ଭଟ୍ ଥିଲେ କି ନାହିଁ ତାହା ନିଶ୍ଚିତ କରିବା ପାଇଁ ଏଜେନ୍ସିଗୁଡ଼ିକ ଏହି ଫୁଟେଜ୍ ଯାଞ୍ଚ କରୁଛନ୍ତି। ଜାକିର ଅହମ୍ମଦ ଗନଇ ଦକ୍ଷିଣ କାଶ୍ମୀରର କୁଲଗାମ୍ ଜିଲ୍ଲାର ବାସିନ୍ଦା ବୋଲି ଜଣାପଡ଼ିଛି ଏବଂ ସେ ଲସ୍କର-ଏ-ତୈବା ସହିତ ଜଡିତ ‘A++’ ବର୍ଗର ମୋଷ୍ଟ-ୱାଣ୍ଟେଡ୍ ଆତଙ୍କବାଦୀ। ସେ ଅନେକ ଆତଙ୍କବାଦୀ ଘଟଣା ସହିତ ଜଡିତ ଏବଂ ତା’ ବିରୁଦ୍ଧରେ ମାମଲା ରୁଜୁ ହୋଇଥିଲା ।ଅକ୍ଟୋବର ୨୦୨୫ରେ କୁଲଗାମ NIA କୋର୍ଟ ତାଙ୍କ ବିରୁଦ୍ଧରେ ଏକ ସାର୍ବଜନୀନ ନୋଟିସ ମଧ୍ୟ ଜାରି କରିଥିଲା।

ଏପ୍ରିଲ ୨୦୨୫ରେ ପହଲଗାମ ଆତଙ୍କବାଦୀ ଆକ୍ରମଣର ତଦନ୍ତ ସମୟରେ ସ୍ଥାନୀୟ ଆତଙ୍କବାଦୀଙ୍କ ମଧ୍ୟରେ ଜାକିର ଗନଇର ନାମ ସାମ୍ନାକୁ ଆସିଥିଲା। ତଦନ୍ତକାରୀ ସଂସ୍ଥା ଅନୁଯାୟୀ, ସେ ସୁରକ୍ଷା ବାହିନୀ ଉପରେ ଆକ୍ରମଣ ଏବଂ ଟାର୍ଗେଟେଡ୍ କିଲିଂ ଘଟଣାରେ ମଧ୍ୟ ଜଡିତ ।

ସୂଚନାଥାଉକି, ପହଲଗାମ ଆକ୍ରମଣ ପରେ ସୁରକ୍ଷା ଏଜେନ୍ସିଗୁଡ଼ିକ କାଶ୍ମୀରରେ ୧୪ ଜଣ ଆତଙ୍କବାଦୀଙ୍କ ତାଲିକା ଜାରି କରିଥିଲେ ଏବଂ ସେମାନଙ୍କ ଘର ମଧ୍ୟ ଭାଙ୍ଗି ଦିଆଯାଇଥିଲା। ପହଲଗାମ ଆକ୍ରମଣ ପରେ ଗୁଇନ୍ଦା ସଂସ୍ଥାଗୁଡ଼ିକ ଦ୍ୱାରା ପ୍ରକାଶିତ ୧୪ ଜଣ ଆତଙ୍କବାଦୀଙ୍କ ମଧ୍ୟରେ ଜାକିର ଅହମ୍ମଦ ଆତଙ୍କବାଦୀ ମଧ୍ୟ ଥିଲା।

 

 

Leave A Reply

Your email address will not be published.