ପୁରୀ: ଇସ୍କନର ଅ-ତିଥି ସ୍ନାନଯାତ୍ରା-ରଥଯାତ୍ରା ନେଇ ଅସନ୍ତୋଷ ପ୍ରକାଶ କଲେ ଗଜପତି । ଏନେଇ ଇସ୍କନର ଗଭର୍ଣ୍ଣିଂ ବଡି କମିଶନକୁ ପୁଣି ଥରେ ଚିଠି ଲେଖିଲେ ଗଜପତି । ଚିଠିରେ ଉଲ୍ଲେଖ ରହିଛି ଯେ, ଇସ୍କନ ପକ୍ଷରୁ ସ୍ନାନଯାତ୍ରା ଓ ରଥଯାତ୍ରା ଭିନ୍ନ ଭିନ୍ନ ସମୟରେ ହେଉଛି । ତିଥି ଅନୁସାରେ ପାଳନ କରିବା ସହ ଗୋଟିଏ ସମୟରେ କରିବାକୁ ସେ ଲେଖିଛନ୍ତି ।
ଶ୍ରୀଜଗନ୍ନାଥ ସଂସ୍କୃତି ଅନୁଯାୟୀ ସମଗ୍ର ବିଶ୍ବରେ ଗୋଟିଏ ତିଥିରେ ପାଳନ ହେଉ । ତିଥି ବ୍ୟତୀତ ଅନ୍ୟ କୌଣସି ସମୟରେ ଯାତ୍ରା ପାଳନ ଗ୍ରହଣୀୟ ନୁହେଁ । ଜ୍ୟେଷ୍ଠ ପୂର୍ଣ୍ଣିମାରେ ହିଁ ସାରା ବିଶ୍ବର ଇସ୍କନ ମନ୍ଦିର ସ୍ନାନଯାତ୍ରା କରନ୍ତୁ । ନବଦିନାତ୍ମକ ଯାତ୍ରା ସମୟରେ ରଥଯାତ୍ରା କରିବାକୁ ଅନୁରୋଧ କରିଛନ୍ତି ଗଜପତି ।
ଆଷାଢ଼ ଶୁକ୍ଳ ପକ୍ଷ ଦ୍ବିତୀୟା ଠାରୁ ଆରମ୍ଭ ହୁଏ ନବଦିନାତ୍ମକ ଯାତ୍ରା । ୨୦୨୫ରେ ଜିବିସି ନେଇଥିବା ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଗଜପତି ଅନୁରୋଧ କରିଛନ୍ତି । ଗଜପତି ମହାରାଜା ଇସ୍କନ କର୍ତ୍ତୃପକ୍ଷଙ୍କୁ ଭବିଷ୍ୟତରେ ସ୍ନାନଯାତ୍ରା ଓ ରଥଯାତ୍ରାକୁ ପାରମ୍ପରିକ ତିଥି ଅନୁସାରେ ଏବଂ ସମଗ୍ର ବିଶ୍ୱରେ ଏକ ସମୟରେ ପାଳନ କରିବାକୁ ଅନୁରୋଧ କରିଛନ୍ତି । ଏହା ଦ୍ୱାରା ଜଗନ୍ନାଥ ସଂସ୍କୃତିର ଏକରୂପତା ଓ ପାରମ୍ପରିକତା ଅକ୍ଷୁଣ୍ଣ ରହିବ ବୋଲି ସେ ଚିଠିରେ ଦର୍ଶାଇଛନ୍ତି ।