Latest Odisha News

BREAKING NEWS

ଆଖି ପିଛୁଳାକେ ସବୁ ଶେଷ! କ୍ୟାମେରାରେ କଏଦ ହେଲା ଲ୍ୟାଣ୍ଡସ୍ଲାଇଡର ଲୋମଟାଙ୍କୁରା ଦୃଶ୍ୟ, ଆଖି ସାମ୍ନାରେ ଭାସିଗଲା ତେଲ ଟ୍ୟାଙ୍କର

ୱାୟାନାଡ: କେରଳର ୱାୟାନାଡରେ ପୁଣି ଥରେ ଦେଖିବାକୁ ମିଳିଛି ପ୍ରକୃତିର ଭୟଙ୍କର ତାଣ୍ଡବଲୀଳା। ପାହାଡ଼ରୁ ହଠାତ୍ ଖସି ଆସିଥିବା ମାଟି ଅତଡ଼ା କେମିତି ସେକେଣ୍ଡ ଭିତରେ ସବୁକିଛି ଛାରଖାର କରିଦେଇପାରେ ତାର ଏକ ଲୋମଟାଙ୍କୁରା ସିସିଟିଭି ଭିଡିଓ ଏବେ ସାମ୍ନାକୁ ଆସିଛି।

 

ଆଖିପିଚୁଳାକେ ଏକ ବିଶାଳକାୟ ତେଲ ଟ୍ୟାଙ୍କର ଖେଳଣା ଭଳି ଭାସିଯିବା ଏବଂ ଲୋକେ ଜୀବନ ବଞ୍ଚାଇବା ପାଇଁ ଏଣେତେଣେ ଦୌଡ଼ୁଥିବାର ଦୃଶ୍ୟ ଯେକେହି ଦେଖିଲେ ଛାତି ଥରିଉଠିବ। ଏହି ଭୟାବହ ଅଘଟଣରେ ବର୍ତ୍ତମାନ ସୁଦ୍ଧା ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅତିକମରେ ୫ଜଣ ଏବେ ବି ମାଟି ତଳେ ନିଖୋଜ ଥିବା ସୂଚନା ମିଳିଛି।

 

ମିଳିଥିବା ଖବର ଅନୁଯାୟୀ ମଙ୍ଗଳବାର ଦିନ ୱାୟାନାଡ ଜିଲ୍ଲାର କାଲ୍ଲାଡି ସ୍ଥିତ ମୀନାକ୍ଷୀ ବ୍ରିଜ୍ ନିକଟରେ ଏହି ବଡ଼ ଧରଣର ଭୂସ୍ଖଳନ ହୋଇଛି। ଏହି ଅଞ୍ଚଳରେ ମଲ୍ଲାପୁରମ୍ ଏବଂ ୱାୟାନାଡକୁ ଯୋଡ଼ୁଥିବା ଏକ ସୁଡ଼ଙ୍ଗ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଥିଲା।

 

ଲଗାଣ ବର୍ଷା ଯୋଗୁଁ ନିର୍ମାଣ ସ୍ଥଳରେ ଢିଲା ହୋଇ ପଡିଥିବା ବିପୁଳ ପରିମାଣର ମାଟି ଓ କାଦୁଅ ହଠାତ୍ ପାହାଡ଼ ଉପରୁ ଖସି ଆସିଥିଲା।ନିକଟସ୍ଥ ଏକ ଦୋକାନରେ ଲାଗିଥିବା ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଥିବା ଦୃଶ୍ୟରେ ଦେଖିବାକୁ ମିଳିଛି ଯେ ନିର୍ମାଣସ୍ଥଳୀ ନିକଟରେ କିଛି ଶ୍ରମିକ ଓ ସ୍ଥାନୀୟ ଲୋକ ଛିଡ଼ା ହୋଇଥିଲେ। ହଠାତ୍ ଉପରୁ ମାଟି ଓ ପଥରର ଏକ ବଡ଼ ସୁଅ ମାଡ଼ି ଆସିଥିଲା। ଲୋକେ ଆତଙ୍କିତ ହୋଇ ଦୌଡ଼ିବା ଆରମ୍ଭ କରିବା ବେଳକୁ ଏକ ବିରାଟ ଇନ୍ଧନ ଟ୍ୟାଙ୍କର ଏବଂ ଅନ୍ୟ କେତେକ ଗାଡ଼ି ମାଟି ସୁଅରେ ସମ୍ପୂର୍ଣ୍ଣ ଭାବେ ତଳକୁ ଭାସିଯାଇଥିଲା।

 

ଏହି ବିପର୍ଯ୍ୟୟକୁ ମଣିଷକୃତ ବୋଲି କହିଛନ୍ତି ରାଜ୍ୟ ସରକାର। କେରଳ ମୁଖ୍ୟମନ୍ତ୍ରୀ ଭି ଡି ସତୀଶନ୍ ସୂଚନା ଦେଇଛନ୍ତି ଯେ ଟନେଲ୍ ନିର୍ମାଣ କରୁଥିବା ଠିକାଦାର କମ୍ପାନୀ ବିୱା ସାଇଣ୍ଟିଫିକ ଆଧାରରେ ପାହାଡ଼ ଉପରେ ଏକାଠି ମାଟି ଗଦା କରି ରଖିଥିଲେ।

 

ଗତ ଜୁନ୍ ୨୦ ତାରିଖରେ ଜିଲ୍ଲାପାଳ ଓ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ତୁରନ୍ତ ଏହି ମାଟି ହଟାଇବାକୁ କଡ଼ା ନିର୍ଦ୍ଦେଶ ଦେଇଥିଲେ ମଧ୍ୟ କମ୍ପାନୀ ଏହାକୁ ଖାତିର୍ କରିନଥିଲା ଯାହାର ପରିଣାମ ସ୍ୱରୂପ ଏଭଳି ଭୟଙ୍କର ଦୁର୍ଘଟଣା ଘଟିଲା।

 

ବର୍ତ୍ତମାନ ଘଟଣାସ୍ଥଳରେ ଜାତୀୟ ବିପର୍ଯ୍ୟୟ ମୁକାବିଲା ବଳ ଅଗ୍ନିଶମ ବାହିନୀ ଓ ପୋଲିସ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ମାଟି ତଳୁ ପ୍ରାୟ ୯ ଜଣ ଗୁରୁତର ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଲଗାତାର ବର୍ଷା ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ବେଳେ ପାଣିପାଗ ବିଭାଗ ପକ୍ଷରୁ ୱାୟାନାଡ ଅଞ୍ଚଳ ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି।

Leave A Reply

Your email address will not be published.