Latest Odisha News

BREAKING NEWS

ଟଳିଲା ବନ୍ୟା ଭୟ: ସବୁ ନଦୀରେ କମିଲା ଜଳସ୍ତର, ଆଜି ୨ ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ୱର: ଗତ କିଛି ଦିନ ହେବ ସାରା ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଥିଲା। ଏବେ କିନ୍ତୁ କମିଯାଇଛି ବର୍ଷା। ଟଳିଛି ବନ୍ୟା ଭୟ। ରାଜ୍ୟର କିଛି ଅଞ୍ଚଳରେ ବର୍ଷା ହୋଇଛି। କିନ୍ତୁ, ଆସନ୍ତା ୧୧ ତାରିଖ ଯାଏ ଅଧିକାଂଶ ସ୍ଥାନରେ ବର୍ଷା ନାହିଁ । ଉପରମୁଣ୍ଡରେ ବର୍ଷା ଲଗାତର କମିବାରୁ ବିଭିନ୍ନ ନଦୀର ଜଳସ୍ତର ବି ଖସିଛି । କେବଳ ନରାଜଠାରେ ମହାନଦୀକୁ ଛାଡ଼ି ଦେଲେ ସବୁ ନଦୀର ଜଳସ୍ତର ଖସୁଛି ।

ଓଡ଼ିଶା ଉପର ଦେଇ ଅତିକ୍ରମ କରିଥିବା ଅବପାତ ଏବେ ଦୁର୍ବଳ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇଛି । ଏହା ଆସନ୍ତା ୨୪ ଘଣ୍ଟାରେ ଆହୁରି ଦୁର୍ବଳ ହୋଇଯିବ। ବୁଧବାର କେନ୍ଦୁଝର ଓ ମୟୂରଭଞ୍ଜର କିଛି ସ୍ଥାନରେ ବର୍ଷା ହୋଇପାରେ । ୯ ତାରିଖରେ ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୧୦ ଓ ୧୧ ତାରିଖରେ ବି ଉତ୍ତର ଓଡ଼ିଶାର କିଛି ସ୍ଥାନରେ ବର୍ଷା ସମ୍ଭାବନା ଅଛି । ଗତ ୨୪ ଘଣ୍ଟାରେ ଝାରସୁଗୁଡ଼ାରେ ସର୍ବାଧିକ ୬୦.୮ ମିମି ବର୍ଷା ହୋଇଛି । ସମ୍ବଲପୁରରେ ୫୮.୮, ବରଗଡ଼ରେ ୫୨.୪, ସୁନ୍ଦରଗଡ଼ରେ ୫୦.୬, ନୂଆପଡ଼ାରେ ୪୭ ଓ ଦେବଗଡ଼ରେ ୩୦.୨ ମିମି ବର୍ଷା ହୋଇଛି । ମହାନଦୀର ନରାଜଠାରେ ଜଳସ୍ତର ବଢୁଛି । ଏଠାରେ ବିପଦସଙ୍କେତ ସ୍ତର ୨୬.୪୧ ମିଟର ଥିବାବେଳେ ବର୍ତ୍ତମାନର ଜଳସ୍ତର ୨୪.୬୫ ମିଟର ରହିଛି ।

ଆସନ୍ତା ୯ ତାରିଖରେ ହୀରାକୁଦ ଜଳଭଣ୍ଡାରରୁ ଏ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ହେବ । ଉପରମୁଣ୍ଡରୁ ପାଣି ଆସିଲେ ମହାନଦୀ ଓ ଶାଖା ନଦୀରେ ପାଣି ସାମାନ୍ୟ ବଢ଼ିପାରେ । କିନ୍ତୁ ବିଶେଷ ପ୍ରଭାବ ପଡ଼ିବନି । ବର୍ଷା କମିବା ପରେ ବୈତରଣୀ ନଦୀର ଜଳସ୍ତର ବି ଖସିଛି । ସୋମବାର ଆଖୁଆପଦାଠାରେ ଜଳସ୍ତର ବଢ଼ିବା ସହ ସତର୍କ ସଙ୍କେତ ସ୍ତର ପାର କରିଥିଲା । କିନ୍ତୁ ଆଜି ଜଳସ୍ତର ଖସିଛି । ବ୍ରାହ୍ମଣ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା ଓ ଜଳକା ନଦୀ ଜଳସ୍ତର ସତର୍କ ସଙ୍କେତଠାରୁ ବହୁ ତଳେ ରହିଛି।

 

Leave A Reply

Your email address will not be published.