Mother Decides Pregnancy: ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ବୟାନ୍…ଗର୍ଭ ରଖିବେ ନା ଗର୍ଭପାତ କରିବେ? ନିଷ୍ପତ୍ତି କେବଳ ମହିଳାଙ୍କର…
ଭୋପାଳ: ଗର୍ଭ ଜାରି ରଖିବେ କି ଗର୍ଭପାତ କରିବେ, ଏହି ନିଷ୍ପତ୍ତି ନେବାର ଅଧିକାର କେବଳ ମହିଳାଙ୍କର। ଏଥିପାଇଁ ସ୍ୱାମୀଙ୍କ ସହମତି ଆବଶ୍ୟକ ନୁହେଁ। ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ଇନ୍ଦୋର ବେଞ୍ଚ ମହିଳାଙ୍କ ପ୍ରଜନନ ଅଧିକାରକୁ ନେଇ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି।
ମାମଲାଟି ଜଣେ ୧୩ ସପ୍ତାହର ଗର୍ଭବତୀ ବିବାହିତ ମହିଳାଙ୍କ ସହ ସମ୍ପୃକ୍ତ। ଦୁଇ ବର୍ଷ ପୂର୍ବେ ବିବାହ ହୋଇଥିଲେ ମଧ୍ୟ ପାରିବାରିକ ବିବାଦ ଯୋଗୁଁ ସ୍ୱାମୀ-ସ୍ତ୍ରୀ ଅଲଗା ରହୁଥିଲେ। ଏହି ସମୟରେ ମହିଳା ଗର୍ଭବତୀ ହେବା ପରେ ଗର୍ଭପାତ ପାଇଁ ମେଡିକାଲ୍ ଟର୍ମିନେସନ୍ ଅଫ୍ ପ୍ରେଗ୍ନାନ୍ସି (MTP) ଆଇନ ଅନୁସାରେ ହାଇକୋର୍ଟରେ ଅନୁମତି ମାଗିଥିଲେ।
ଆବେଦନରେ ମହିଳା କହିଥିଲେ ଯେ, ବୈବାହିକ ସମ୍ପର୍କ ଭାଙ୍ଗିଯାଇଥିବାରୁ ସେ ମାନସିକ, ସାମାଜିକ ଓ ଭାବନାତ୍ମକ ଚାପରେ ଅଛନ୍ତି। ଏଭଳି ପରିସ୍ଥିତିରେ ଶିଶୁର ଜନ୍ମ ଓ ଭବିଷ୍ୟତରେ ତାହାର ଲାଳନପାଳନ କରିବା କଷ୍ଟକର ହେବ। କୋର୍ଟ ସ୍ୱାମୀଙ୍କୁ ସମନ୍ ଜାରି କରିଥିଲେ ମଧ୍ୟ ସେ କୌଣସି ଶୁଣାଣିରେ ଉପସ୍ଥିତ ହୋଇନଥିଲେ। ରାଜ୍ୟ ସରକାର ମଧ୍ୟ ଏହି ଆବେଦନକୁ ବିରୋଧ କରିନଥିଲେ।
ହାଇକୋର୍ଟ ସୁପ୍ରିମକୋର୍ଟଙ୍କ ‘X ବନାମ ପ୍ରିନ୍ସିପାଲ୍ ସେକ୍ରେଟାରି, ହେଲ୍ଥ ଆଣ୍ଡ ଫ୍ୟାମିଲି ୱେଲଫେୟାର’ ରାୟର ଉଲ୍ଲେଖ କରି କହିଛନ୍ତି ଯେ, ସମ୍ବିଧାନର ଅନୁଚ୍ଛେଦ-୨୧ ଅନୁଯାୟୀ ପ୍ରତ୍ୟେକ ମହିଳାଙ୍କର ନିଜ ଶରୀର ଓ ପ୍ରଜନନ ସମ୍ପର୍କିତ ନିଷ୍ପତ୍ତି ନେବାର ସ୍ୱାଧୀନତା ରହିଛି। ଏହା ତାଙ୍କର ମୌଳିକ ଅଧିକାର ଓ ବ୍ୟକ୍ତିଗତ ମର୍ଯ୍ୟାଦାର ଅଂଶ। ତେଣୁ ଜଣେ ମହିଳାଙ୍କୁ ଇଚ୍ଛା ବିରୋଧରେ ଗର୍ଭ ରଖିବାକୁ ବାଧ୍ୟ କରାଯାଇପାରିବ ନାହିଁ।
କୋର୍ଟ ହସ୍ପିଟାଲକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓ ଅଦାଲତଙ୍କ ନିର୍ଦ୍ଦେଶାବଳୀ ଅନୁସାରେ ଗର୍ଭପାତ କରାଇବା ସହ ମହିଳାଙ୍କ ଗୋପନୀୟତା, ସୁରକ୍ଷା ଓ ମର୍ଯ୍ୟାଦାକୁ ସମ୍ପୂର୍ଣ୍ଣ ସୁରକ୍ଷିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।