Latest Odisha News

BREAKING NEWS

ବିମାନର ସୁରକ୍ଷିତ ଉଡ଼ାଣ ପାଇଁ ବିଏମସିର ବଡ଼ ଆକ୍ସନ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ବିମାନର ସୁରକ୍ଷିତ ଉଡ଼ାଣ ଓ ଅବତରଣକୁ ଦିଆଯାଇଛି ସର୍ବୋଚ୍ଚ ପ୍ରାଥମିକତା। ବିମାନର ସୁରକ୍ଷିତ ଉଡ଼ାଣ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ନେଇଛି ବଡ଼ ପଦକ୍ଷେପ । ବିମାନ ଚଳାଚଳରେ ବାଧା ସୃଷ୍ଟି କରିପାରୁଥିବା ଉଚ୍ଚ ନିର୍ମାଣଗୁଡ଼ିକୁ ହଟାଇବା କିମ୍ବା ସେଗୁଡ଼ିକର ଉଚ୍ଚତା କମାଇବା ପାଇଁ ବିଏମସି ପକ୍ଷରୁ କଡ଼ା ନିର୍ଦ୍ଦେଶ ଜାରି କରାଯାଇଛି। ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ (AAI) ପକ୍ଷରୁ କରାଯାଇଥିବା ସର୍ଭେରେ ବିମାନବନ୍ଦର ଚାରିପାଖରେ ଥିବା କିଛି ନିର୍ମାଣ ନିର୍ଦ୍ଧାରିତ ଉଚ୍ଚତା ସୀମା ଅତିକ୍ରମ କରିଥିବା ଚିହ୍ନଟ ହୋଇଛି।

ରିପୋର୍ଟରେ କୁହାଯାଇଛି ଯେ, ଏହି ଉଚ୍ଚ ନିର୍ମାଣଗୁଡ଼ିକ ବିମାନର ସୁରକ୍ଷିତ ଉଡ଼ାଣ ଓ ଅବତରଣରେ ବିପଦ ସୃଷ୍ଟି କରିପାରେ। ଏହାକୁ ଗୁରୁତ୍ୱର ସହ ନେଇ ବିଏମସି ପକ୍ଷରୁ ୱାଟକୋ ଏବଂ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ନୋଟିସ ଜାରି କରାଯାଇଛି। ବିମାନବନ୍ଦର ନିକଟରେ ଥିବା ଏକ ଓଭରହେଡ୍ ୱାଟର ଟ୍ୟାଙ୍କର ଉଚ୍ଚତା କମାଇବା ସହ ଆବଶ୍ୟକ ପଡ଼ିଲେ ଏହାକୁ ହଟାଇବାକୁ ମଧ୍ୟ କୁହାଯାଇଛି । କେବଳ ସରକାରୀ ନିର୍ମାଣ ନୁହେଁ, ବ୍ୟକ୍ତିଗତ ମାଲିକାନାର ଉଚ୍ଚ ନିର୍ମାଣ ଉପରେ ମଧ୍ୟ ବିଏମସି କଠୋର ମନୋଭାବ ଆପଣାଇଛି ।

ବରମୁଣ୍ଡା ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ସାତ ଦିନ ମଧ୍ୟରେ ନିର୍ମାଣର ଉଚ୍ଚତା କମାଇବା ପାଇଁ ନୋଟିସ ଦିଆଯାଇଛି । ବିଏମସି ସ୍ପଷ୍ଟ କରିଛି ଯେ, ନିର୍ଦ୍ଦେଶ ପାଳନ ନ କଲେ ସମ୍ପୃକ୍ତ ବ୍ୟକ୍ତି କିମ୍ବା ସଂସ୍ଥା ବିରୋଧରେ ଆଇନ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ବିମାନ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିମାନବନ୍ଦର ପରିସରରେ ଉଚ୍ଚ ନିର୍ମାଣ ଉପରେ ନଜରଦାରୀକୁ ଆହୁରି କଡ଼ା କରାଯାଇଛି ।

Leave A Reply

Your email address will not be published.