Latest Odisha News

BREAKING NEWS

MCL ର ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ୧୪ଟି କୋଇଲା ଖଣିକୁ ମିଳିଲା ‘ଷ୍ଟାର୍ ରେଟିଂ’ ସମ୍ମାନ

ସମ୍ବଲପୁର: କେନ୍ଦ୍ର କୋଇଲା ମନ୍ତ୍ରଣାଳୟର ‘ଷ୍ଟାର୍ ରେଟିଂ ଆୱାର୍ଡ୍ସ’ରେ ମହାନଦୀ କୋଲ୍‌ଫିଲ୍ଡସ୍ ଲିମିଟେଡ୍ (MCL) ଏକ ବଡ଼ ସଫଳତା ହାସଲ କରିଛି। ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ କମ୍ପାନୀର ମୋଟ ୧୪ଟି କୋଇଲା ଖଣିକୁ ସମ୍ମାନଜନକ ‘ଷ୍ଟାର୍ ରେଟିଂ’ ପ୍ରଦାନ କରାଯାଇଛି। ଏଥିମଧ୍ୟରେ ୦୨ଟି ଭୂତଳ ଖଣି ଏବଂ ୧୨ ଟି ଓପନକାଷ୍ଟ ଖଣି ପ୍ରକଳ୍ପ ସାମିଲ ଅଛି। ଏହି ସଫଳତା ଏମସିଏଲ୍‌ର କାର୍ଯ୍ୟକ୍ଷମ ଦକ୍ଷତା, ସୁରକ୍ଷା, ପରିବେଶ ସନ୍ତୁଳନ ଏବଂ ଦାୟିତ୍ୱବାନ ଖନନ ପ୍ରକ୍ରିୟାକୁ ଦର୍ଶାଉଛି।

ଏମସିଏଲ୍‌ର ୫ଟି ଓପନକାଷ୍ଟ ଖଣି – ଲାଜକୁରା ଓସିପି, ସିଆରମାଲ୍ ଓସିପି, ଅନନ୍ତ ଓସିପି, ଲିଙ୍ଗରାଜ ଓସିପି ଏବଂ ସମଲେଶ୍ୱରୀ ଓସିପି ସହିତ ହୀରାଖଣ୍ଡ ବୁନ୍ଦିଆ ଭୂତଳ ଖଣିକୁ ପ୍ରତିଷ୍ଠିତ ୫-ଷ୍ଟାର୍ (5-Star) ରେଟିଂ ମିଳିଛି। ସେହିଭଳି ଅନ୍ୟ ୫ଟି ଓପନକାଷ୍ଟ ଖଣି ପ୍ରକଳ୍ପ – ଗର୍ଜନବାହାଲ ଓସିପି, ଗୋପାଳଜୀ-କଣିହା ସମ୍ପ୍ରସାରଣ ଓସିପି, ଭୁବନେଶ୍ୱରୀ ଓସିପି, ହିଙ୍ଗୁଳା ଓସିପି ଓ ଜଗନ୍ନାଥ କୋଲିୟାରୀ ଏବଂ ନନ୍ଦିରା ଭୂତଳ ଖଣିକୁ ୪-ଷ୍ଟାର୍ ରେଟିଂ ପ୍ରଦାନ କରାଯାଇଛି। ଏତତ୍ ବ୍ୟତୀତ ୦୨ଟି ଓପନକାଷ୍ଟ ଖଣି ପ୍ରକଳ୍ପ ବସୁନ୍ଧରା ୱେଷ୍ଟ ଓସିପି ଏବଂ ଭରତପୁର ଖଣି ଅଞ୍ଚଳକୁ ୩-ଷ୍ଟାର୍ ରେଟିଂ ମିଳିଛି। ଭାରତ ସରକାରଙ୍କ କୋଇଲା ମନ୍ତ୍ରଣାଳୟ ପକ୍ଷରୁ ୦୭ ଜୁଲାଇ ୨୦୨୬ ରେ ପ୍ରକାଶିତ କାର୍ଯ୍ୟାଳୟ ସ୍ମାରକପତ୍ର ଅନୁଯାୟୀ ଏହି ସୂଚନା ଦିଆଯାଇଛି।

ଏହି ଗୌରବମୟ ସଫଳତା ପାଇଁ ଟିମ୍ ଏମସିଏଲ୍‌କୁ ଅଭିନନ୍ଦନ ଜଣାଇ କମ୍ପାନୀର ଅଧ୍ୟକ୍ଷ ତଥା ପ୍ରବନ୍ଧ ନିର୍ଦ୍ଦେଶକ ଶ୍ରୀ ଉଦୟ ଅନନ୍ତ କାଓଲେ କହିଛନ୍ତି, “ଏହି ମାନ୍ୟତା ଦେଶକୁ ନିରନ୍ତର ଶକ୍ତି ଯୋଗାଣ ସହ ସୁରକ୍ଷିତ, ସ୍ଥାୟୀ ଏବଂ ପ୍ରଯୁକ୍ତିବିଦ୍ୟା-ଭିତ୍ତିକ ଖନନ ପଦ୍ଧତି ପ୍ରତି ଆମର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ଆଗାମୀ ଦିନରେ ମଧ୍ୟ ଏମସିଏଲ୍ କାର୍ଯ୍ୟକ୍ଷମ ପ୍ରଦର୍ଶନ, ପରିବେଶ ସୁରକ୍ଷା ଏବଂ ଜନକଲ୍ୟାଣ କ୍ଷେତ୍ରରେ ନିଜର ଶ୍ରେଷ୍ଠତା ବଜାୟ ରଖିବ।”

ଭାରତ ସରକାରଙ୍କ କୋଇଲା ମନ୍ତ୍ରଣାଳୟ ଦ୍ୱାରା ଖଣିଗୁଡ଼ିକର ସାମଗ୍ରିକ ବିକାଶ ଏବଂ ସଫଳତାକୁ ଆଧାର କରି ୧ ରୁ ୫ ସ୍କେଲ୍ ମଧ୍ୟରେ ଏହି ‘ଷ୍ଟାର୍ ରେଟିଂ’ ପ୍ରଦାନ କରାଯାଏ। ଏହି ରେଟିଂ କାର୍ଯ୍ୟକ୍ଷମ ଦକ୍ଷତା, ସୁରକ୍ଷା ମାନଦଣ୍ଡ, ପରିବେଶ ସ୍ଥାୟୀତ୍ୱ, ଆଧୁନିକ ଜ୍ଞାନକୌଶଳର ବ୍ୟବହାର,ଥଇଥାନ ଓ ପୁନର୍ବାସ (R&R), ଶ୍ରମିକ ସମ୍ବନ୍ଧୀୟ ନିୟମ ପାଳନ ଏବଂ ଆର୍ଥିକ ପ୍ରଦର୍ଶନ ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଦିଆଯାଇଥାଏ।

Leave A Reply

Your email address will not be published.