Latest Odisha News

BREAKING NEWS

ନୂଆ ଆବେଦନକାରୀଙ୍କ ବଢ଼ିଲା ଆଶା: ସୁଭଦ୍ରା ଯୋଜନାରେ ମିଳିବ କି ସୁବିଧା? ଜାଣନ୍ତୁ ସରକାରଙ୍କ ବଡ଼ ଅପଡେଟ୍

ଭୁବନେଶ୍ୱର: ରାଜ୍ୟର ମହିଳାଙ୍କ ପାଇଁ ସ୍ୱତନ୍ତ୍ର ‘ସୁଭଦ୍ରା ଯୋଜନା’କୁ ନେଇ ପ୍ରସ୍ତୁତି ଜୋରଦାର ହୋଇଛି। ଆଗାମୀ ରକ୍ଷା ବନ୍ଧନ ଅବସରରେ ଏହି ଯୋଜନାର ପଞ୍ଚମ କିସ୍ତି ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ପ୍ରଦାନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଯୋଜନାର ଅଗ୍ରଗତି ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି।

 

ବୈଠକରୁ ମିଳିଥିବା ତଥ୍ୟ ଅନୁସାରେ, ସୁଭଦ୍ରା ଯୋଜନାରେ ବର୍ତ୍ତମାନ ସୁଦ୍ଧା ମୋଟ ୧ କୋଟି ୧୫ ଲକ୍ଷରୁ ଅଧିକ ଆବେଦନ ପଞ୍ଜୀକୃତ ହୋଇଛି। କେବଳ ଚଳିତ ଆର୍ଥିକ ବର୍ଷ (୨୦୨୬-୨୭)ରେ ୩ ଲକ୍ଷ ୧୭ ହଜାର ୯୬୬ ଜଣ ନୂତନ ଆବେଦନକାରୀ ଯୋଡ଼ି ହୋଇଛନ୍ତି। ସବୁ ଯାଞ୍ଚ ପରେ ୧ କୋଟି ୧୯ ଲକ୍ଷ ୯୯ ହଜାର ୧୧୯ ଜଣଙ୍କୁ ପଞ୍ଚମ କିସ୍ତି ପାଇଁ ଚୂଡ଼ାନ୍ତ ସମ୍ଭାବ୍ୟ ହିତାଧିକାରୀ ଭାବେ ଚିହ୍ନଟ କରାଯାଇଛି। ସୂଚନାଯୋଗ୍ୟ ଯେ, ମୃତ୍ୟୁ ହୋଇଥିବା ୫,୨୭୭ ଜଣଙ୍କ ନାମ ଏହି ତାଲିକାରୁ ବାଦ୍ ଦିଆଯାଇଛି।

 

ପଞ୍ଚମ କିସ୍ତି ବଣ୍ଟନରେ କୌଣସି ପ୍ରକାର ତ୍ରୁଟି ନରହିବା ପାଇଁ ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେଉଛନ୍ତି। ଏଥିପାଇଁ ଡିବିଟି (DBT) ସକ୍ରିୟକରଣ, ବାୟୋମେଟ୍ରିକ୍ ଇ-କେୱାଇସି (e-KYC) ଏବଂ ଫିଲ୍ଡ ଇନକ୍ୱାରୀ ଭଳି ପ୍ରକ୍ରିୟାକୁ ଦ୍ରୁତ କରିବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ୮୨,୦୩୬ ଜଣଙ୍କର ଡିବିଟି ସକ୍ରିୟକରଣ ଏବଂ ୨୮,୬୨୧ ଜଣଙ୍କର ବାୟୋମେଟ୍ରିକ୍ ଇ-କେୱାଇସି ବାକି ରହିଛି। ଆସନ୍ତା ଜୁଲାଇ ୨୫ ତାରିଖ ସୁଦ୍ଧା ସମସ୍ତ ଫିଲ୍ଡ ଇନକ୍ୱାରୀ ପ୍ରକ୍ରିୟା ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

 

ସୁଭଦ୍ରା ଯୋଜନାର ପୂର୍ବ ଚାରୋଟି କିସ୍ତିରେ ରାଜ୍ୟ ସରକାର ପ୍ରାୟ ୧ ଲକ୍ଷ ୨୦ ହଜାର ୬୪୮ କୋଟି ଟଙ୍କାରୁ ଅଧିକ ଅର୍ଥରାଶି ମହିଳାଙ୍କ ଖାତାକୁ ସିଧାସଳଖ ପଠାଇ ସାରିଛନ୍ତି। ଏହାସହିତ ସାଧାରଣ ଜନତାଙ୍କ ଅଭିଯୋଗର ସମାଧାନ ପାଇଁ ମଧ୍ୟ ବିଭାଗ ପକ୍ଷରୁ ସକ୍ରିୟ ପଦକ୍ଷେପ ନିଆଯାଉଛି। ବର୍ତ୍ତମାନ ସୁଦ୍ଧା ଆସିଥିବା ୩.୫୭ ଲକ୍ଷ ଅଭିଯୋଗ ମଧ୍ୟରୁ ପ୍ରାୟ ୨.୬୮ ଲକ୍ଷ ଅଭିଯୋଗର ସମାଧାନ ହୋଇସାରିଛି।

 

ରକ୍ଷା ବନ୍ଧନ ସମୟକୁ ଯେପରି କୌଣସି ଯୋଗ୍ୟ ହିତାଧିକାରୀ ବାଦ୍ ନ ପଡ଼ନ୍ତି, ସେଥିପାଇଁ ଜିଲ୍ଲା ପ୍ରଶାସନ ଓ ସଂପୃକ୍ତ ବିଭାଗ ସଜାଗ ରହିବାକୁ ଉପମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

Leave A Reply

Your email address will not be published.