ଭୁବନେଶ୍ୱର: ରାଜ୍ୟ ପୋଲିସ ବିଭାଗରେ ଏବେ ଗୋଟିଏ ପରେ ଗୋଟିଏ ଚାକିରି ଛାଡ଼ିବା ଖବର ସାମ୍ନାକୁ ଆସୁଛି। ନିକଟରେ ଭୁବନେଶ୍ୱରର ଡିସିପି ଜଗମୋହନ ମୀନାଙ୍କ ଇଚ୍ଛାକୃତ ଅବସର ନେବା ଘଟଣାକୁ ନେଇ ଚର୍ଚ୍ଚା ଥମି ନଥିବା ବେଳେ, ଏବେ ପୁଣି ଜଣେ ଆଇପିଏସ୍ ଅଫିସରଙ୍କ ଇସ୍ତଫା ପୋଲିସ ମହଲରେ ଆଲୋଡ଼ନ ସୃଷ୍ଟି କରିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ଯୁବ ଅଫିସର ଜଣକ ନିଜ କ୍ୟାରିୟର ଆରମ୍ଭ କରିବା ପୂର୍ବରୁ ହିଁ ଖାକି ବର୍ଦ୍ଦି ଖୋଲିଦେବାକୁ ନିଷ୍ପତ୍ତି ନେଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଇସ୍ତଫା ଦେଇଥିବା ଏହି ଅଫିସର ହେଉଛନ୍ତି ୨୦୨୫ ବ୍ୟାଚର ଆଇପିଏସ୍ ଚଉଧର ଅଭିଜିତ ରାମଦାସ। ତାଙ୍କର ମୂଳ ଘର ମହାରାଷ୍ଟ୍ରରେ ହୋଇଥିବା ବେଳେ, ୟୁପିଏସସିରେ କୃତକାର୍ଯ୍ୟ ହେବା ପରେ ତାଙ୍କୁ ଓଡ଼ିଶା କ୍ୟାଡର ମିଳିଥିଲା। ବର୍ତ୍ତମାନ ସେ ହାଇଦ୍ରାବାଦ ସ୍ଥିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ନ୍ୟାସନାଲ ପୋଲିସ ଏକାଡେମୀରେ ନିଜର ଟ୍ରେନିଂ ନେଉଥିଲେ।
ତେବେ ଟ୍ରେନିଂ ଅଧାରେ ଥିବା ବେଳେ ସେ ହଠାତ୍ ନିଜର ଇସ୍ତଫାପତ୍ର ଏନପିଏର ଡିଜିଙ୍କ ନିକଟରେ ପ୍ରଦାନ କରିଛନ୍ତି। ମାତ୍ର ୩୩ ବର୍ଷ ବୟସରେ କଠିନ ପରିଶ୍ରମ କରି ଏଭଳି ଏକ ସମ୍ମାନଜନକ ପଦବୀ ହାସଲ କରିବା ଏବଂ ପ୍ରଶାସନିକ ସେବାରେ ବିଧିବଦ୍ଧ ଭାବେ ଯୋଗ ନଦେଉଣୁ ଚାକିରିରୁ ମୁହଁ ଫେରାଇ ନେବା ଘଟଣା ଏବେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତାଙ୍କର ଏହି ହଠାତ୍ ନିଷ୍ପତ୍ତି ପଛର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇପାରି ନାହିଁ।
ଗୋଟିଏ ପଟେ ବରିଷ୍ଠ ଆଇପିଏସ୍ ତଥା ରାଜଧାନୀର ଡିସିପି ଜଗମୋହନ ମୀନା ନିଜର ବ୍ୟକ୍ତିଗତ କାରଣ ଦର୍ଶାଇ ଭିଆରଏସ୍ ନେଇଥିବା ବେଳେ, ଏବେ ଜଣେ ଓଡ଼ିଶା କ୍ୟାଡରର ଟ୍ରେନିଂପ୍ରାପ୍ତ ନୂଆ ଅଫିସରଙ୍କ ଇସ୍ତଫା ରାଜ୍ୟର ବରିଷ୍ଠ ପୋଲିସ ଅଧିକାରୀଙ୍କ ମଧ୍ୟରେ ଚର୍ଚ୍ଚାର ଖୋରାକ ଯୋଗାଇଛି। ଲଗାତାର ଭାବେ ଆଇପିଏସ୍ ସ୍ତରର ଅଧିକାରୀମାନେ ଏଭଳି ଚାକିରିରୁ ଦୂରେଇ ଯିବା ପଛରେ ବ୍ୟକ୍ତିଗତ କାରଣ ରହିଛି ନା ଆଉ କିଛି, ତାହାକୁ ନେଇ ଏବେ ସାଧାରଣରେ ନାନା କଳ୍ପନାଜଳ୍ପନା ଲାଗିରହିଛି।