Latest Odisha News

BREAKING NEWS

Monsoon Session: ମୌସୁମୀ ଅଧିବେଶନ ପୂର୍ବରୁ ଡକା ହେଲା ସର୍ବଦଳୀୟ ବୈଠକ, ଅନେକ ପ୍ରସଙ୍ଗରେ ହୋଇପାରେ ଜୋରଦାର ଚର୍ଚ୍ଚା

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୨୦ରୁ ଆରମ୍ଭ ହୋଇ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ। ତେବେ ଏହାର ଠିକ୍‌ ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ଜୁଲାଇ ୧୯ ସକାଳ ୧୧ଟାରେ କେନ୍ଦ୍ର ସରକାର ସର୍ବଦଳୀୟ ବୈଠକ ଡାକିଛନ୍ତି। ପ୍ରତ୍ୟେକ ସଂସଦ ଅଧିବେଶନ ପୂର୍ବରୁ ହେଉଥିବା ଏହି ବୈଠକରେ ଅଧିବେଶନକୁ ସୁରୁଖୁରୁରେ ପରିଚାଳନା କରିବା ସହ ବିଧାନୀୟ କାର୍ଯ୍ୟସୂଚୀ ଉପରେ ଆଲୋଚନା ହେବ।

ସରକାର ଏହି ବୈଠକରେ ବିଭିନ୍ନ ରାଜନୈତିକ ଦଳର ନେତା ଓ ସେମାନଙ୍କ ପ୍ରତିନିଧିଙ୍କୁ ଆମନ୍ତ୍ରଣ କରିଛନ୍ତି। ମୌସୁମୀ ଅଧିବେଶନରେ କେଉଁ କେଉଁ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ ହୋଇପାରେ, ସେନେଇ ବିରୋଧୀ ଦଳକୁ ଅବଗତ କରାଯିବ। ସେହିପରି ବିରୋଧୀ ଦଳ ମଧ୍ୟ ଅଧିବେଶନରେ ଉଠାଇବାକୁ ଚାହୁଁଥିବା ପ୍ରସଙ୍ଗଗୁଡ଼ିକୁ ସରକାରଙ୍କ ସାମ୍ନାରେ ରଖିବେ।

ଏଥର ସଂସଦରେ ଆଇନଶୃଙ୍ଖଳା, ସୀମା ସୁରକ୍ଷା, ଜାତୀୟ ଓ ଆନ୍ତର୍ଜାତିକ ପ୍ରସଙ୍ଗ ସହ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହୋଇପାରେ। ବିରୋଧୀ ଦଳ NEET-UG ପେପର ଲିକ୍‌, ପେଟ୍ରୋଲରେ ଇଥାନଲ୍ ବ୍ଲେଣ୍ଡିଂ ଏବଂ ରାମ ମନ୍ଦିରରେ ଚୋରି ଭଳି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିପାରନ୍ତି ବିରୋଧୀ । ଫଳରେ ଏଥରର ମୌସୁମୀ ଅଧିବେଶନ ବେଶ୍‌ ହଙ୍ଗାମାଦାର ହେବାର ଆଶଙ୍କା କରାଯାଉଛି।

ସେପଟେ ନିକଟ ଅତୀତରେ ବିଭିନ୍ନ ବିରୋଧୀ ଦଳରେ ଫାଟ ଓ ଅନ୍ତର୍କନ୍ଦଳ ଦେଖାଦେଇଛି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ତୃଣମୂଳ କଂଗ୍ରେସ (TMC) ଭିତରେ ମଧ୍ୟ ବଡ଼ ଧରଣର ରାଜନୈତିକ ପରିବର୍ତ୍ତନ ଘଟିଛି। ଦଳର ୨୦ ଜଣ ସାଂସଦ ନ୍ୟାସନାଲ୍ ସିଟିଜେନ୍ସ ପାର୍ଟି ଅଫ୍ ଇଣ୍ଡିଆରେ ଯୋଗ ଦେଇ ଲୋକସଭାରେ ଅଲଗା ଆସନ ବ୍ୟବସ୍ଥା ଦାବି କରିଛନ୍ତି। ସେହିପରି TMCର ୩ ଜଣ ରାଜ୍ୟସଭା ସାଂସଦ ଇସ୍ତଫା ଦେଇ BJPରେ ଯୋଗ ଦେଇଛନ୍ତି।

ମହାରାଷ୍ଟ୍ରରେ ମଧ୍ୟ ଉଦ୍ଧବ ଠାକରେଙ୍କ ଶିବସେନା (UBT) ଦଳରେ ଭାଙ୍ଗନ ଦେଖାଯାଇଛି। ଲୋକସଭାର ୬ ଜଣ ସାଂସଦ ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନାରେ ଯୋଗ ଦେଇଛନ୍ତି। ଏହା ପୂର୍ବରୁ ଆମ୍ ଆଦମୀ ପାର୍ଟି (AAP)ର ୭ ଜଣ ରାଜ୍ୟସଭା ସାଂସଦ ମଧ୍ୟ BJPରେ ସାମିଲ ହୋଇଥିଲେ।

କେନ୍ଦ୍ରୀୟ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ପୂର୍ବରୁ ସୂଚନା ଦେଇଥିଲେ ଯେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅନୁମୋଦନ ପରେ ୨୦ ଜୁଲାଇରୁ ୧୩ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ସଂସଦର ମୌସୁମୀ ଅଧିବେଶନ ଆହ୍ୱାନ କରାଯାଇଛି। ଜାତୀୟ ଗୁରୁତ୍ୱର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା, ବିତର୍କ ଏବଂ ବିଧାନୀୟ କାର୍ଯ୍ୟ ସମ୍ପାଦନ ହେଉଛି ଏହି ଅଧିବେଶନର ମୁଖ୍ୟ ଉଦ୍ଦେଶ୍ୟ।

Leave A Reply

Your email address will not be published.