Latest Odisha News

BREAKING NEWS

ଭୁବନେଶ୍ୱର ଇସ୍କନ ଆଗରେ କଳିଙ୍ଗ ସେନାର ଗର୍ଜନ, ମନ୍ଦିରରେ ତାଲା ପକାଇବାକୁ ଦେଲେ ଧମକ

ଭୁବନେଶ୍ୱର: ବିଦେଶ ମାଟିରେ ଇସ୍କନ (ISKCON) ପକ୍ଷରୁ କରାଯାଉଥିବା ‘ଅଦିନିଆ ରଥଯାତ୍ରା’କୁ ନେଇ ଏବେ ସାରା ଓଡ଼ିଶାରେ ତୀବ୍ର ଜନଅସନ୍ତୋଷ ଦେଖିବାକୁ ମିଳିଛି। ଶ୍ରୀଜଗନ୍ନାଥଙ୍କ ଶାସ୍ତ୍ରୀୟ ପରମ୍ପରାକୁ ଉଲ୍ଲଂଘନ କରିବା ଏବଂ ପୁରୀ ଗଜପତି ମହାରାଜାଙ୍କ ଅନୁରୋଧକୁ ଖାରଜ କରିବା ପରେ ଇସ୍କନ ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି ଜଗନ୍ନାଥ ପ୍ରେମୀ। ନିକଟରେ ରାଜଧାନୀ ଭୁବନେଶ୍ୱର ସ୍ଥିତ ଇସ୍କନ ମନ୍ଦିର ସମ୍ମୁଖରେ ସାମାଜିକ ତଥା ରାଜନୈତିକ ସଂଗଠନ ‘କଳିଙ୍ଗ ସେନା’ ପକ୍ଷରୁ ଏକ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କେବଳ ପ୍ରତିବାଦ ନୁହେଁ, ବରଂ ଇସ୍କନକୁ ଓଡ଼ିଶା ଛାଡ଼ିବାକୁ ସିଧାସଳଖ ଚେତାବନୀ ଦେଇଛି କଳିଙ୍ଗ ସେନା।

 

କଳିଙ୍ଗ ସେନାର ସଭାପତି ହେମନ୍ତ ରଥଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଇସ୍କନ ମନ୍ଦିର ଆଗରେ ଏକାଠି ହୋଇ ନାରାବାଜି କରିଥିଲେ। ଏହି ଅବସରରେ ଶ୍ରୀ ରଥ କଡ଼ା ଭାଷାରେ କହିଛନ୍ତି ଯେ, “ଯେଉଁମାନେ ଆମ ମହାପ୍ରଭୁଙ୍କ ପରମ୍ପରା ଏବଂ ପ୍ରଥମ ସେବକ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ ଅପମାନିତ କରିଛନ୍ତି, ସେମାନଙ୍କର ଓଡ଼ିଶାରେ ରହିବାର କୌଣସି ଅଧିକାର ନାହିଁ। ଯଦି ଇସ୍କନ ନିଜର ଏହି ମନମୁଖୀ ଅଦିନିଆ ରଥଯାତ୍ରା ତୁରନ୍ତ ବନ୍ଦ ନକରେ, ତେବେ ସାରା ରାଜ୍ୟରେ ଥିବା ତାଙ୍କର ସମସ୍ତ ମନ୍ଦିରକୁ ଟାର୍ଗେଟ୍ କରାଯିବ ଏବଂ ସେଠାରେ ତାଲା ପକାଇ ଦିଆଯିବ।”

 

କଳିଙ୍ଗ ସେନା ପକ୍ଷରୁ ଆହୁରି ଏକ ବଡ଼ ଘୋଷଣା କରାଯାଇଛି। ଆସନ୍ତା ଜୁଲାଇ ୧୬ ତାରିଖରେ ପୁରୀରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରା ସମୟରେ ଇସ୍କନ ସହ ଜଡ଼ିତ କୌଣସି ବି ବ୍ୟକ୍ତି ବା ଶ୍ରଦ୍ଧାଳୁଙ୍କୁ ବଡ଼ଦାଣ୍ଡରେ ପୂରାଇ ଦିଆଯିବ ନାହିଁ ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି। ଶ୍ରୀ ରଥ ପ୍ରଶ୍ନ କରିଛନ୍ତି ଯେ, “ଯଦି ସେମାନେ ଆମ ଜଗନ୍ନାଥ ସଂସ୍କୃତିକୁ ସମ୍ମାନ ଦେଇପାରୁନାହାନ୍ତି, ତେବେ ପୁରୀରେ ଆମେ ସେମାନଙ୍କୁ କାହିଁକି ସମ୍ମାନ ଦେବୁ?” ଏହା ସହିତ ଭୁବନେଶ୍ୱର ଇସ୍କନରେ ପ୍ରତିବର୍ଷ ହେଉଥିବା ରଥଯାତ୍ରାକୁ ମଧ୍ୟ ବନ୍ଦ କରିବାକୁ ସେମାନେ ଧମକ ଦେଇଛନ୍ତି, ଯଦିଓ ଭୁବନେଶ୍ୱର ଇସ୍କନ ପୁରୀ ପଞ୍ଜିକା ଅନୁସାରେ ହିଁ ନିର୍ଦ୍ଧାରିତ ତିଥିରେ ରଥଯାତ୍ରା ପାଳନ କରିଆସୁଛି।

 

ସୂଚନାଯୋଗ୍ୟ, ଇସ୍କନ ନିଜର ସୁବିଧା ଏବଂ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ଆମେରିକା, ୟୁରୋପ ସମେତ ବିଭିନ୍ନ ଦେଶରେ ନିଜ ଇଚ୍ଛା ମୁତାବକ ଦିନରେ ରଥଯାତ୍ରା ଆୟୋଜନ କରୁଛି। ହିନ୍ଦୁ ଶାସ୍ତ୍ର ଏବଂ ସ୍କନ୍ଦ ପୁରାଣ ଅନୁଯାୟୀ କେବଳ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ହିଁ ମହାପ୍ରଭୁଙ୍କ ରଥଯାତ୍ରା ଅନୁଷ୍ଠିତ ହେବାର ବିଧି ରହିଛି। ଗଜପତି ମହାରାଜା ନିକଟରେ ଇସ୍କନର ଗଭର୍ଣ୍ଣିଂ ବଡିକୁ ଏହି ପରମ୍ପରା ମାନିବାକୁ ନିବେଦନ କରିଥିଲେ ମଧ୍ୟ ଇସ୍କନ କର୍ତ୍ତୃପକ୍ଷ ଏହାକୁ ସିଧାସଳଖ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ଫଳରେ ସମଗ୍ର ଓଡ଼ିଆ ଜାତିର ସ୍ୱାଭିମାନ ଉପରେ ଆଞ୍ଚ ଆସିଛି ଏବଂ ଏବେ କଳିଙ୍ଗ ସେନା ଭଳି ସଂଗଠନ ତଥା ସାଧାରଣ ଜନତା ଇସ୍କନକୁ ବୟକଟ୍ କରିବାକୁ ଖୋଲାଖୋଲି ଆହ୍ୱାନ ଦେଉଛନ୍ତି।

Leave A Reply

Your email address will not be published.