ଭୁବନେଶ୍ୱର: ବିଜେପିରେ ସାମିଲ ହେଲେ ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ । ଚୌଦ୍ବାର-କଟକ ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ ରବିବାର ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ଭୁବନେଶ୍ବରସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପ୍ରଭାତ ବିଶ୍ଵାଳ ନିଜର ଶହଶହ ସମର୍ଥକଙ୍କ ସହିତ ବିଜେପିରେ ସାମିଲ ହୋଇଛନ୍ତି।
ଏହି ମିଶ୍ରଣ ପର୍ବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସହିତ ଅନ୍ୟ ବରିଷ୍ଠ ନେତା ମଧ୍ୟ ଉପସ୍ଥିତ ଥିଲେ।
କିଛିଦିନ ପୂର୍ବରୁ ସେ ବିଜେଡିରୁ ବହିଷ୍କୃତ ହୋଇଥିଲେ ଏବଂ ସ୍ୱାଧୀନ ଭାବେ ରାଜନୀତି କରୁଥିଲେ।
ସୂଚନାଥାଉକି, ପ୍ରଭାତ ବିଶ୍ବାଳ ୩ ଥର ବିଧାୟକ ହୋଇଛନ୍ତି।୨୦୦୪ ମସିହାରେ କଟକ ସଦର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏହା ପରେ ୨୦୦୯ ଓ ୨୦୧୪ ମସିହାରେ ଚୌଦ୍ୱାର-କଟକ ବିଧାନସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ। ଚିଟଫଣ୍ଡ ମାମଲାରେ ପ୍ରଭାତ ଛନ୍ଦି ହୋଇ ପଡିବାରୁ ୨୦୧୯ରେ ପ୍ରଭାତଙ୍କ ପରିବର୍ତ୍ତେ କଟକ-ଚୌଦ୍ବାର ଆସନରୁ ତାଙ୍କ ପୁଅ ସୌଭିକଙ୍କୁ ବିଜେଡି ଟିକେଟ ଦେଇଥିଲା।