ଲଣ୍ଡନ: ବେନ ଷ୍ଟୋକ୍ସଙ୍କ ଅବସର ପରେ ଇଂଲଣ୍ଡ କ୍ରିକେଟ ଟିମର ମୂଖ୍ୟ କୋଚ ବ୍ରେଣ୍ଡନ ମ୍ୟାକକୁଲାମଙ୍କୁ ମଧ୍ୟ ଟେଷ୍ଟରୁ ହଟାଇ ଦିଆଯାଇଛି । ସେ କେବଳ ଧଳା ବଲ କ୍ରିକେଟରେ କୋଚିଂ ଦେବେ । ଟେଷ୍ଟ ଟିମର ନୂତନ କୋଚ କିଏ ହେବ ସେ ନେଇ ମଧ୍ୟ ଆଲୋଚନା ଜୋର ଧରିଛି । ଇଂଲଣ୍ଡ ପରେ ପାକିସ୍ତାନ ଏବଂ ଭାରତରେ ମଧ୍ୟ ବଡ ଧରଣର ଅଦଳବଦଳ ହେବାକୁ ଯାଉଛି । ଟେଷ୍ଟ ଟିମର କୋଚ ପଦରୁ ହଟିବା ନେଇ ମ୍ୟାକକୁଲାମ ନିରାଶ ହୋଇଛି । ଆଗକୁ ମୁଁ ଟିମ ସହିତ ଜଡିତ ନ ରହିବା ନିଶ୍ଚିତ ଭାବେ ଦୁଃଖର କଥା । ମୁଁ ଇସିବିର ନିଷ୍ପତିକୁ ସ୍ୱୀକାର କରୁଛି । ଏଥର ସୀମିତ ଓଭର ମୁକାବିଲାରେ ଇଂଲଣ୍ଡ କିପରି ଭଲ ପ୍ରଦର୍ଶନ କରିବ ସେ ନେଇ ଯତ୍ନବାନ ହେବି ବୋଲି ସେ କହିଛନ୍ତି ।
ନାଇଟ କ୍ଲବ କାଣ୍ଡ ପରେ ଷ୍ଟୋକ୍ସଙ୍କ ଉପରେ ଚାପ ପଡିଥିଲା । ଶେଷରେ ସେ ଅବସର ନେବାକୁ ବାଧ୍ୟ ହୋଇଥିଲେ । ଏହି ଘଟଣା ପରେ ଷ୍ଟୋକ୍ସ ଓ ମ୍ୟାକକୁଲାମଙ୍କ ମଧ୍ୟରେ ମତଭେଦ ରହିଥିବା ଖବର ପ୍ରକାଶ ପାଇଥିଲା । ମ୍ୟାକକୁଲାମ କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି । ଷ୍ଟୋକ୍ସ ଓ ମ୍ୟାକକୁଲାମଙ୍କ କମ୍ବିନେଶନ ଟେଷ୍ଟ କ୍ରିକେଟକୁ ଏକ ନୂଆ ଆକ୍ରମଣାତ୍ମକ ରୂପ ଦେଖାଇଥିଲା । ଅବଶ୍ୟ ଏହା ଇଂଲଣ୍ଡ ଟିମକୁ ସେ ଭଳି ଆଖି ଦୃଶିଆ ସଫଳତା ପ୍ରଦାନ କରି ନ ଥିଲା ।