ଭୁବନେଶ୍ୱର: ଗତ କିଛି ଦିନ ଧରି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଅସରାଏ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଥିବା ବେଳେ, ଆଗକୁ ଓଡ଼ିଶା ଆଡ଼କୁ ମାଡି ଆସୁଛି ଲଘୁଚାପ। ଏହା ପ୍ରଭାବରେ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଭଲ ବର୍ଷା ହୋଇପାରେ। ବେଶି ବର୍ଷିବ ଉତ୍ତର ଓଡ଼ିଶାରେ। ସୋମବାର ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ବା ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଏହା ପ୍ରଭାବରେ ରାଜ୍ୟରେ ବର୍ଷା ପରିମାଣ ବଢ଼ିବ। ଉତ୍ତର ଓଡ଼ିଶା ଓ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଭାରି ବର୍ଷା ଆଶଙ୍କା ଅଛି।
ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଡି, କନ୍ଧମାଳ ଓ ରାୟଗଡ଼ାରେ ପ୍ରବଳ ବର୍ଷା ହୋଇପାରେ। ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ମଧ୍ୟ ବର୍ଷା ସମ୍ଭାବନା ଅଛି। ବର୍ଷା ପାଗ ସତ୍ତେ୍ୱ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଗରମ ଓ ଗୁଳୁଗୁଳି ଅନୁଭୂତ ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ରଥଯାତ୍ରା ବେଳକୁ ବଢ଼ିବ ବର୍ଷାର ପରିମାଣ।
୧୪ ବା ୧୫ ତାରିଖ ବେଳକୁ ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଲଘୁଚାପ ରୂପ ନେବ ବୋଲି ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି। ତେବେ ୧୫ ତାରିଖ ପରେ ରାଜ୍ୟର ବିସ୍ତୃତ ଅଞ୍ଚଳରେ ବର୍ଷା ପରିମାଣ ବଢ଼ିବ ବୋଲି ସେ ପୂର୍ବାନୁମାନ କରିଛନ୍ତି । ଗତ ୨୪ ଘଣ୍ଟାରେ ଜଗତ୍ସିଂହପୁର ଓ ପୁରୀରେ ସ୍ୱଳ୍ପ ବର୍ଷା ହୋଇଛି।