ଭୁବନେଶ୍ବର:ରାଜ୍ୟରେ ଚିନି ଉତ୍ପାଦନ ବୃଦ୍ଧି କରାଯିବ । ବଡ଼ମ୍ବା ଚିନିକଳର ପୁନରୁଦ୍ଧାର ହେବ । ତେଣୁ ରାଜ୍ୟରେ ଉଚ୍ଚ ଅମଳକ୍ଷମ ଆଖୁ ଚାଷ କରାଯିବ । ଆଖୁ ଚାଷର ଉନ୍ନତି ପାଇଁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ସ୍ୱତନ୍ତ୍ର ରଣକୌଶଳ ଆପଣାଇଛି । ଆଖୁ ଉପରେ ଅଧିକ ଗବେଷଣା ପାଇଁ ଖୋଲିବ ଓୟୁଏଟିର ସ୍ୱତନ୍ତ୍ର କ୍ୟାମ୍ପସ୍ । ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚିବସ୍ତରୀୟ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି ।
ଓୟୁଏଟି କୁଳପତି ପ୍ରଫେସର ପି କେ ରାଉଳଙ୍କ ସୂଚନା ମୁତାବକ, ଉଚ୍ଚ ଅମଳକ୍ଷମ ଆଖୁ ଚାଷ ଦ୍ବାରା କୀଟ/ରୋଗ ପ୍ରତିରୋଧ କରିବ । ଏଥିସହ ମରୁଡ଼ି ସହନଶୀଳତା କିସମଗୁଡ଼ିକୁ ଓୟୁଏଟିର ସ୍ୱତନ୍ତ୍ର କ୍ୟାମ୍ପସରେ ବିକାଶ କରାଯିବ। ଚାରା ରୋପଣ ବେଳେ ବଡ୍ ଚିପ୍ ଟେକ୍ନୋଲୋଜି, ପୂର୍ବ ଅଙ୍କୁରିତ ଚାରା, ଟିସୁ କଲଚର୍, ମାଇକ୍ରୋ-ପ୍ରୋପାଗେସନ୍ ପ୍ରମୁଖ ଜ୍ଞାନ କୌଶଳ ଆପଣାଇବାକୁ ଚେଷ୍ଟା କରାଯିବ ।
ସେହିପରି ଲାଭଦାୟକ ଆଖୁ-ଭିତ୍ତିକ ଆନ୍ତଃଫସଲ ପ୍ରଣାଳୀର ମାନକୀକରଣ ନିର୍ଦ୍ଧାରଣ କରାଯିବ । ଚାଷୀଟିଏ ବହୁବିଧ ଚାଷ କରି ଯେପରି ଲାଭବାନ ହୋଇ ପାରିବ ସେନେଇ ଓୟୁଏଟି ତାଲିମ ଦେବ । ଆଖୁ ଚାଷରେ ଉନ୍ନତ ମାନର ନାନୋ-ସାର ଏବଂ ଜଳରେ ଦ୍ରବଣୀୟ ସାର ପ୍ରୟୋଗ, ଉପଯୁକ୍ତ କୃଷି ଯାନ୍ତ୍ରିକୀକରଣ ବାବଦରେ ତାଲିମ ଦିଆଯିବ ।
ଆହୁରି ମଧ୍ୟ କେଉଁ ଅଞ୍ଚଳରେ / କେଉଁ ଜଳବାୟୁରେ ଉନ୍ନତ ମାନର ଆଖୁ ଚାଷ ହୋଇପାରିବ, ସେ ନେଇ ଅନୁସନ୍ଧାନ କରାଯିବ । ଆଖୁର ପ୍ରକ୍ରିୟାକରଣ, ମୂଲ୍ୟ ବୃଦ୍ଧି, ଉତ୍ପାଦ ବିବିଧତା ଏବଂ ଜୈବ ଅର୍ଥନୀତି ପଦକ୍ଷେପରେ ନବସୃଜନ ଅଣାଯିବ ।
ଗ୍ରାମାଞ୍ଚଳରେ କୃଷି-ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଜୈବ ଗୁଡ଼ ଉତ୍ପାଦନ ପାଇଁ ପ୍ରଯୁକ୍ତିବିଦ୍ୟା ତାଲିମ ଦିଆଯିବ । ଆବଶ୍ୟକ କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତା ବା ଏଆଇର ସାହାଯ୍ୟ ନିଆଯିବ ବୋଲି ପ୍ରଫେସର ରାଉଳ ସୂଚନା ଦେଇଛନ୍ତି ।
ସୂଚନାମୁତାବକ, ରାଜ୍ୟରେ ୧୯.୨ ହଜାର ହେକ୍ଟରରେ ଆଖୁ ଚାଷ ହେଉଛି । ପାଖାପାଖି ୧୪୫୩ ହଜାର ଟନ୍ ମୋଟ ଆଖୁ ଉତ୍ପାଦନ ହେଉଛି ।