Latest Odisha News

Nukes On Ukraine: ‘ପରମାଣୁ ପକାଇ ଦେଇଥାନ୍ତେ ପୁଟିନ୍…ହାତ ଧରିଦେଲେ ମୋଦି’

ନୂଆଦିଲ୍ଲୀ: ପୁଟିନଙ୍କୁ ବାନ୍ଧି ରଖିଛି ମୋଦିଙ୍କ ବନ୍ଧୁତ୍ବ!

କେବେଠୁ ହୁଅନ୍ତାନି ୟୁକ୍ରେନ ଯୁଦ୍ଧର ଅନ୍ତ!

ରୁଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ଭୟଙ୍କର ରୂପ ନେଇଛି। ସୋମବାର ରୁଷିଆ ସେନା ୟୁକ୍ରେନର ଜାପୋରିଝିଆ ଅଞ୍ଚଳର ଓରିଖୋଭ ସହର ଉପରେ ୩୦୦୦ କେଜି (୩ ଟନ୍) ଓଜନର ଶକ୍ତିଶାଳୀ ‘FAB-3000’ ଗ୍ଲାଇଡ୍ ବୋମା ମାଡ଼ କରିଛି। ଏହି ଆକ୍ରମଣ ପରେ ୟୁକ୍ରେନ ସହ ଆଉ ୯ଟି ୟୁରୋପୀୟ ଦେଶ ମିଶି ଶସ୍ତାରେ ବାଲିଷ୍ଟିକ୍ ମିଶାଇଲ୍ ପ୍ରତିରୋଧ ବ୍ୟବସ୍ଥା ବିକାଶ ପାଇଁ ଏକ ନୂଆ ବାୟୁ ପ୍ରତିରକ୍ଷା ମେଣ୍ଟ ଗଠନ କରିଛନ୍ତି। ପ୍ରାୟ ୪ ବର୍ଷରୁ ଅଧିକ ସମୟ ଧରି ଚାଲିଥିବା ଏହି ଯୁଦ୍ଧ ଥମିବାର ନାଁ ନେଉନାହିଁ। ଏହାରି ମଧ୍ୟରେ ପୋଲାଣ୍ଡର ଉପ-ବୈଦେଶିକ ମନ୍ତ୍ରୀ ୱ୍ଲାଡିସ୍ଲାଓ ଟେଓଫିଲ୍ ବାର୍ଟୋଶେଭସ୍କି ଦାବି କରିଛନ୍ତି ଯେ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ୟୁକ୍ରେନ ବିରୋଧରେ ପରମାଣୁ ଅସ୍ତ୍ର ବ୍ୟବହାର କରି ଏହି ଯୁଦ୍ଧରେ ଯବନିକା ପକାଇବାକୁ ଚିନ୍ତା କରୁଥିଲେ। କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାମର୍ଶ ଓ କୂଟନୀତିକ ପ୍ରଭାବ ଯୋଗୁଁ ପୁଟିନ୍ ସେହି ପଦକ୍ଷେପରୁ ବିରତ ରହିଥିଲେ।

ବାର୍ଟୋଶେଭସ୍କି କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ଜଣେ ବିଶ୍ୱସ୍ତରୀୟ ନେତା, ଯାହାଙ୍କୁ ବିଶ୍ୱରେ ବହୁତ ସମ୍ମାନ କରାଯାଏ। ଭାରତର ସହ ରୁଷ ଓ ପୂର୍ବତନ ସୋଭିଏତ ସଂଘର ଦୀର୍ଘ ଦଶନ୍ଧିର କୌଶଳଗତ ସମ୍ପର୍କ ଥିବାରୁ ରାଷ୍ଟ୍ରପତି ପୁଟିନ ପ୍ରଧାନମନ୍ତ୍ରୀ ମୋଦିଙ୍କ ପରାମର୍ଶକୁ ଗୁରୁତ୍ୱର ସହ ଶୁଣନ୍ତି। ପୋଲାଣ୍ଡର ଉପ-ବୈଦେଶିକ ମନ୍ତ୍ରୀଙ୍କ ଦାବି ଅନୁଯାୟୀ, ୨୦୨୨ ଶେଷ ଭାଗରେ ୟୁକ୍ରେନ ଯୁଦ୍ଧ ଚରମ ପର୍ଯ୍ୟାୟରେ ଥିବାବେଳେ ପୁଟିନ ଟ୍ୟାକ୍ଟିକାଲ୍ ପରମାଣୁ ଅସ୍ତ୍ର ବ୍ୟବହାର ବିଷୟରେ ଭାବୁଥିଲେ। ସେହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ଏପରି ପଦକ୍ଷେପ ନ ନେବାକୁ ବୁଝାଇଥିଲେ। ତାଙ୍କ କହିବା ଅନୁସାରେ, ମୋଦି ସେହି କେତେକ ବିଶ୍ୱନେତାଙ୍କ ମଧ୍ୟରୁ ଜଣେ, ଯିଏ ପୁଟିନଙ୍କ ଉପରେ ପ୍ରକୃତ ପ୍ରଭାବ ପକାଇପାରନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ୨୦୨୨ ସେପ୍ଟେମ୍ବରରେ ଉଜବେକିସ୍ତାନରେ ହୋଇଥିବା ଶାଂଘାଇ ସହଯୋଗ ସଂଗଠନ (SCO) ସମ୍ମିଳନୀ ବେଳେ ପୁଟିନଙ୍କୁ କହିଥିବା ପ୍ରସିଦ୍ଧ ବାକ୍ୟ, “ଆଜିର ଯୁଗ ଯୁଦ୍ଧର ନୁହେଁ” ମଧ୍ୟ ଉଲ୍ଲେଖ କରିଥିଲେ। ଏହି ବାର୍ତ୍ତାକୁ ସେ ବିଶ୍ୱ ଶାନ୍ତି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୀତିକ ପଦକ୍ଷେପ ବୋଲି କହିଛନ୍ତି।

ବାର୍ଟୋଶେଭସ୍କି କହିଛନ୍ତି, ଭାରତ ଆରମ୍ଭରୁ ଆଲୋଚନା ଓ କୂଟନୀତି ମାଧ୍ୟମରେ ସମାଧାନର ପକ୍ଷରେ ରହିଛି। ଗୋଟେପଟେ ଭାରତ ପଶ୍ଚିମ ଦେଶମାନଙ୍କ ପରି ରୁଷ ଉପରେ ପ୍ରତିବନ୍ଧକ ଲଗାଇନଥିବା ବେଳେ, ଅନ୍ୟପଟେ ରୁଷ ରାଷ୍ଟ୍ରପତି ପୁଟିନ ଓ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ଉଭୟଙ୍କ ସହ ଯୋଗାଯୋଗ ବଜାୟ ରଖିଛି। ୨୦୨୪ରେ ପ୍ରଧାନମନ୍ତ୍ରୀ ମୋଦି କିଭ୍ ଗସ୍ତ କରି ଜେଲେନସ୍କିଙ୍କ ସହ ମଧ୍ୟ ସାକ୍ଷାତ କରିଥିଲେ।

ଯୁକ୍ତରାଷ୍ଟ୍ର ଓ ୟୁରୋପୀୟ ଦେଶମାନଙ୍କ ଚାପ ସତ୍ତ୍ୱେ ଭାରତ ରିହାତି ଦରରେ ରୁଷରୁ ଅଶୋଧିତ ତୈଳ କିଣିବା ଜାରି ରଖିଛି। ଭାରତ ସ୍ପଷ୍ଟ କରିଛି ଯେ, ଏହି ନିଷ୍ପତ୍ତି ଦେଶର ଉର୍ଜା ସୁରକ୍ଷା ଓ ଜାତୀୟ ସ୍ୱାର୍ଥକୁ ଆଧାର କରି ନିଆଯାଇଛି। ଗତ ମାସରେ ପୁଟିନ ମଧ୍ୟ ଭାରତକୁ “ଏକ ମହାନ ଦେଶ” ବୋଲି କହି ତାହାର ସ୍ୱାଧୀନ ବୈଦେଶିକ ନୀତିର ପ୍ରଶଂସା କରିଥିଲେ।

ପୋଲାଣ୍ଡର ଉପ-ବୈଦେଶିକ ମନ୍ତ୍ରୀ କହିଛନ୍ତି, ଇରାନ ସହ ଉତ୍ତେଜନା ପ୍ରସଙ୍ଗରେ ମଧ୍ୟ ଭାରତ ଯେପରି ସଂଯମ, ଆଲୋଚନା ଓ କୂଟନୀତିକୁ ଗୁରୁତ୍ୱ ଦେଉଛି, ପୋଲାଣ୍ଡ ମଧ୍ୟ ସେହି ନୀତିକୁ ଅନୁସରଣ କରୁଛି। ସେ କହିଛନ୍ତି, ଉପସାଗରୀୟ ଅଞ୍ଚଳରୁ ଭାରତ ବହୁ ପରିମାଣର ତୈଳ ଆମଦାନୀ କରୁଥିବାରୁ ସେଠାରେ ସ୍ଥିରତା ବଜାୟ ରହିବା ଅତ୍ୟନ୍ତ ଜରୁରୀ।

ବାର୍ଟୋଶେଭସ୍କି ପୁଣିଥରେ ସ୍ପଷ୍ଟ କରିଛନ୍ତି ଯେ, ଜାତିସଂଘ ସୁରକ୍ଷା ପରିଷଦ (UNSC)ର ସ୍ଥାୟୀ ସଦସ୍ୟ ପଦ ପାଇଁ ଭାରତର ଦୀର୍ଘ ଦିନର ଦାବିକୁ ପୋଲାଣ୍ଡ ପୂର୍ଣ୍ଣ ସମର୍ଥନ କରୁଛି।

Leave A Reply

Your email address will not be published.