କଟକ: କଟକ ଯୋବ୍ରା ବ୍ୟାରେଜରେ ଅଘଟଣ। ମାଛ ଧରୁଥିବା ବେଳେ ଖସି ପଡିଲେ ମତ୍ସ୍ୟଜୀବୀ। ବ୍ରିଜ୍ ଉପରେ ହଠାତ୍ ଭାରସାମ୍ୟ ହରାଇ ମହାନଦୀକୁ ଖସିପଡ଼ିଥିଲେ । ଘଟଣା ପରେ ସ୍ଥାନୀୟ ଲୋକଙ୍କ ସୂଚନା ପାଇ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ସେମାନଙ୍କ ତତ୍ପରତା ଯୋଗୁଁ ଯୁବକଙ୍କୁ ସୁରକ୍ଷିତ ଭାବେ ନଦୀରୁ ଉଦ୍ଧାର କରାଯାଇଛି ।
ସୂଚନା ଅନୁଯାୟୀ, ଉଦ୍ଧାର ହୋଇଥିବା ଯୁବକ ମାଛ ଧରି ନିଜ ପରିବାରର ଜୀବିକା ନିର୍ବାହ କରନ୍ତି । ନିତିଦିନ ପରି ସେ ମାଛ ଧରୁଥିବାବେଳେ ଅସାବଧାନତା କିମ୍ବା ଭାରସାମ୍ୟ ହରାଇ ନଦୀକୁ ଖସିପଡ଼ିଥିବା କୁହାଯାଉଛି । ଉଲ୍ଲେଖଯୋଗ୍ୟ ଯେ, ଲଗାଣ ବର୍ଷା ପରେ ମହାନଦୀରେ ଜଳସ୍ତର ବଢ଼ିଥିବାରୁ ଜିଲ୍ଲା ପ୍ରଶାସନ ପୂର୍ବରୁ ସତର୍କ ସୂଚନା ଜାରି କରିଛି ।
ନଦୀ କୂଳ କିମ୍ବା ବ୍ରିଜ୍ ଉପରେ ସେଲ୍ଫି ନନେବା, ଅଯଥା ବୁଲାବୁଲି ନକରିବା ଓ ଭିଡ଼ ଜମା ନକରିବାକୁ ଜିଲ୍ଲାପାଳ ଲୋକଙ୍କୁ ଅନୁରୋଧ କରିଛନ୍ତି । ତେବେ ପ୍ରଶାସନର ଏହି କଟକଣା ସତ୍ତ୍ୱେ ଅନେକ ଲୋକ ଏହାକୁ ଅବହେଳା କରୁଥିବା ଦେଖାଯାଉଛି । ନଦୀ କୂଳ ଏବଂ ବ୍ରିଜ୍ ଉପରେ ଲୋକଙ୍କ ଭିଡ଼ ଲାଗୁଥିବା ବେଳେ, ସୁରକ୍ଷା ବ୍ୟବସ୍ଥା ଓ ପୁଲିସର ତଦାରଖକୁ ନେଇ ମଧ୍ୟ ପ୍ରଶ୍ନ ଉଠୁଛି ।