Latest Odisha News

BREAKING NEWS

ଖୋଲିବ କି ହଜିଲା ଫାଇଲ୍‌ର ଗୁମର? କମିଶନରେଟ୍ ପୋଲିସ ସ୍କାନରରେ ପୂର୍ବତନ ଆଇଏଏସ୍ ଓ ଆଇଟି ସଚିବ

ଭୁବନେଶ୍ୱର: ଓଡ଼ିଶା ରାଜନୀତି ଓ ପ୍ରଶାସନିକ ସ୍ତରରେ ହଇଚଇ ସୃଷ୍ଟି କରିଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO)ରୁ ଫାଇଲ୍ ଗାଏବ ଘଟଣା ଏବେ ନୂଆ ମୋଡ଼ ନେଇଛି। ଏହି ବହୁଚର୍ଚ୍ଚିତ ମାମଲାରେ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରି କମିଶନରେଟ୍ ପୋଲିସ ବଡ଼ ପଦକ୍ଷେପ ଗ୍ରହଣ କରିଛି। ପୂର୍ବତନ ସରକାରଙ୍କ ସମୟରେ ଅତି ପ୍ରଭାବଶାଳୀ ଥିବା ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ରାଜେଶ ବର୍ମା ଏବଂ ପୂର୍ବତନ ଆଇଟି ସଚିବ ମନୋଜ ମିଶ୍ରଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା ପାଇଁ ପୋଲିସ ପକ୍ଷରୁ ସମନ୍ ଜାରି କରାଯାଇଛି।

 

ସୂଚନା ଅନୁଯାୟୀ, ଉଭୟ ପୂର୍ବତନ ପ୍ରଶାସନିକ ଅଧିକାରୀଙ୍କୁ ଆସନ୍ତା ୨୨ ତାରିଖ ପୂର୍ବାହ୍ନ ୧୧ଟା ସମୟରେ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ଥାନାରେ ତଦନ୍ତକାରୀ ଅଧିକାରୀଙ୍କ ସମ୍ମୁଖରେ ହାଜର ହେବାକୁ କୁହାଯାଇଛି। ୧୯୮୭ ବ୍ୟାଚ୍‌ର ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ରାଜେଶ ବର୍ମା ୨୦୧୭ ରୁ ୨୦୧୯ ପର୍ଯ୍ୟନ୍ତ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ଦାୟିତ୍ୱ ତୁଲାଇଥିଲେ। ସେହିପରି, ପୂର୍ବତନ ଆଇଆରଟିଏସ୍ (IRTS) ଅଧିକାରୀ ମନୋଜ ମିଶ୍ର ରାଜ୍ୟର ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗର ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରୁଥିଲେ, ଯିଏକି ନିକଟରେ ସରକାର ବଦଳିବା ପରେ ନିଜ ପଦରୁ ଇସ୍ତଫା ଦେଇଥିଲେ।

 

ଗୃହ ବିଭାଗ ପକ୍ଷରୁ ସିଏମ୍‌ଓକୁ ପଠାଯାଇଥିବା ଅନେକ ଫାଇଲ୍ ମଧ୍ୟରୁ ମୁଖ୍ୟତଃ ଦୁଇଟି ଅତି ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ ନିଖୋଜ ରହିଛି।

୧. ଏ.ଏସ୍. ନାଇଡୁ କମିଶନ ରିପୋର୍ଟ: ୨୦୦୮ ମସିହାରେ କନ୍ଧମାଳ ଜିଲ୍ଲାର ଜଲେଶପଟ୍ଟା ଆଶ୍ରମରେ ଭିଏଚ୍‌ପି ନେତା ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଏବଂ ତାଙ୍କର ସହଯୋଗୀଙ୍କ ନିର୍ମମ ହତ୍ୟାକାଣ୍ଡ ଏବଂ ତା’ ପରବର୍ତ୍ତୀ ସାମ୍ପ୍ରଦାୟିକ ଦଙ୍ଗା ଉପରେ ତଦନ୍ତ ପାଇଁ ଗଠିତ ଏହି କମିଶନର ରିପୋର୍ଟ ୨୦୧୬ ମସିହାରେ ସିଏମ୍‌ଓକୁ ପଠାଯାଇଥିଲା।

୨. ଆରଡିସି (RDC) ତଦନ୍ତ ରିପୋର୍ଟ: ୨୦୧୬ ମସିହାରେ ଭୁବନେଶ୍ୱରର ସମ୍ ହସ୍ପିଟାଲରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡର ତଦନ୍ତ ରିପୋର୍ଟକୁ ୨୦୧୮ରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଯାଇଥିଲା।

 

ଗତ ଜୁନ୍ ୪ ତାରିଖରେ ନିର୍ବାଚନ ଫଳାଫଳ ଆସିବା ଦିନ ସିଏମ୍‌ଓରୁ ଅନ୍ୟ ସମସ୍ତ ଫାଇଲ୍ ଗୃହ ବିଭାଗକୁ ଫେରାଇ ଦିଆଯାଇଥିଲା, କିନ୍ତୁ ଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ ମିଳିନଥିଲା। ଉଦ୍ଦେଶ୍ୟମୂଳକ ଭାବେ ଏହି ପ୍ରମାଣଗୁଡ଼ିକୁ ଲୁଚାଇ ଦିଆଯାଇଥିବା କିମ୍ବା ନଷ୍ଟ କରିଦିଆଯାଇଥିବା ସନ୍ଦେହ କରାଯାଉଛି। ଏହା ପରେ ଗୃହ ବିଭାଗର ଯୁଗ୍ମ ସଚିବ ଶରତ ଚନ୍ଦ୍ର ମାରାଣ୍ଡିଙ୍କ ଅଭିଯୋଗ କ୍ରମେ କ୍ୟାପିଟାଲ ଥାନାରେ ‘ଭାରତୀୟ ନ୍ୟାୟ ସଂହିତା’ (BNS)ର ଅପରାଧିକ ଷଡ଼ଯନ୍ତ୍ର ଓ ସରକାରୀ ନଥିପତ୍ର ନଷ୍ଟ କରିବା ଭଳି ସଙ୍ଗିନ ଦଫାରେ ମାମଲା ରୁଜୁ ହୋଇଥିଲା।

 

ବର୍ତ୍ତମାନ କମିଶନରେଟ୍ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଲୋକସେବା ଭବନରେ ଥିବା ଫିଜିକାଲ୍ ରେଜିଷ୍ଟର ବୁକ୍, ଡିଜିଟାଲ୍ ଲଗ୍ ଏବଂ ସିସିଟିଭି ଫୁଟେଜ୍‌ର ତନ୍ନ ତନ୍ନ ଯାଞ୍ଚ କରୁଛି। ଫାଇଲର ଗତିବିଧି ଓ ଡିଜିଟାଲ୍ ରେକର୍ଡ ନଷ୍ଟ କରାଯିବା ଦିଗରେ ରାଜେଶ ବର୍ମା ଓ ମନୋଜ ମିଶ୍ରଙ୍କୁ ମୁହାଁମୁହିଁ ଜେରା କରାଗଲେ ଅନେକ ଗୁମର ଖୋଲିପାରେ ବୋଲି ଚର୍ଚ୍ଚା ହେଉଛି।

Leave A Reply

Your email address will not be published.