Latest Odisha News

BREAKING NEWS

ଅଙ୍ଗନୱାଡି ସେବା ହେବ ଅଧିକ ସ୍ୱଚ୍ଛ, ଗଠନ ହେବ ପରିଚାଳନା କମିଟି; ସୁଭଦ୍ରା ହିତାଧିକାରୀ ଓ କିଶୋରୀଙ୍କୁ ମିଳିବ ସଦସ୍ୟ ପଦ

ଭୁବନେଶ୍ୱର: ରାଜ୍ୟର ଅଙ୍ଗନୱାଡି କେନ୍ଦ୍ରଗୁଡ଼ିକର କାର୍ଯ୍ୟକଳାପରେ ସ୍ଥାନୀୟ ଲୋକଙ୍କ ଅଧିକ ସହଭାଗିତା ସୁନିଶ୍ଚିତ କରିବା ସହ ଶିଶୁ ଓ ମହିଳାଙ୍କୁ ଦିଆଯାଉଥିବା ସେବାର ଗୁଣାତ୍ମକ ମାନ ବଢ଼ାଇବା ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଏଣିକି ରାଜ୍ୟର ପ୍ରତ୍ୟେକ ଅଙ୍ଗନୱାଡି କେନ୍ଦ୍ରରେ ଅଙ୍ଗନୱାଡି ପରିଚାଳନା କମିଟି (Anganwadi Management Committee-AMC) ଗଠନ କରାଯିବ। ଏ ସମ୍ପର୍କରେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ବିସ୍ତୃତ ନିର୍ଦ୍ଦେଶ ଜାରି କରାଯାଇଛି। ଆସନ୍ତା ଜୁଲାଇ ୩୧ ସୁଦ୍ଧା ସମସ୍ତ କେନ୍ଦ୍ରରେ କମିଟି ଗଠନ କରି ତାହାକୁ କାର୍ଯ୍ୟକ୍ଷମ କରିବାକୁ କୁହାଯାଇଛି।

କେନ୍ଦ୍ର ସରକାରଙ୍କ ‘ସକ୍ଷମ ଅଙ୍ଗନୱାଡି ଓ ପୋଷଣ ୨.୦’ ଯୋଜନା ଅନ୍ତର୍ଗତ ଅଙ୍ଗନୱାଡି କେନ୍ଦ୍ରଗୁଡ଼ିକରେ ସମୁଦାୟର ସହଭାଗିତାକୁ ଆହୁରି ସୁଦୃଢ଼ କରିବା, ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ବଢ଼ାଇବା ଏବଂ ଶିଶୁ ଓ ମାତୃ କଲ୍ୟାଣ ସେବାର ନିୟମିତ ତଦାରଖ ପାଇଁ ଏହି ବ୍ୟବସ୍ଥା କରାଯାଇଛି। ଏହି କମିଟି ଅଙ୍ଗନୱାଡି କେନ୍ଦ୍ରରେ ପୋଷଣ, ପ୍ରାକ୍-ପ୍ରାଥମିକ ଶିକ୍ଷା, ଟିକାକରଣ, ସ୍ୱାସ୍ଥ୍ୟ ପରୀକ୍ଷା, ଗର୍ଭବତୀ ଓ ପ୍ରସୂତି ମହିଳାଙ୍କ ସେବା ସମେତ ବିଭିନ୍ନ କାର୍ଯ୍ୟକ୍ରମର ନିୟମିତ ସମୀକ୍ଷା କରିବ।

ନୂତନ କମିଟିରେ ସମ୍ପୃକ୍ତ ଅଙ୍ଗନୱାଡି ସୁପରଭାଇଜର ଅଧ୍ୟକ୍ଷ ଏବଂ ଅଙ୍ଗନୱାଡି କର୍ମୀ ସଦସ୍ୟ-ଆବାହକ ଭାବେ କାର୍ଯ୍ୟ କରିବେ। ଏହାବ୍ୟତୀତ ଆଶା କର୍ମୀ, ୩ରୁ ୬ ବର୍ଷ ବୟସର ଦୁଇ ଜଣ ଶିଶୁଙ୍କ ମା’, ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀ କିମ୍ବା ସ୍ୱେଚ୍ଛାସେବୀ ସଂଗଠନର ଜଣେ ମହିଳା ସଦସ୍ୟ ଏବଂ ନିକଟସ୍ଥ ସରକାରୀ ପ୍ରାଥମିକ ବିଦ୍ୟାଳୟର ଜଣେ ମହିଳା ଶିକ୍ଷୟିତ୍ରୀ ସଦସ୍ୟ ରହିବେ। ଏହି କମିଟି ସମ୍ପୂର୍ଣ୍ଣ ମହିଳା ସଦସ୍ୟଙ୍କୁ ନେଇ ଗଠିତ ହେବା ମଧ୍ୟ ଏହାର ଏକ ବିଶେଷତ୍ୱ।

ଓଡ଼ିଶା ସରକାର ଏହି କମିଟିରେ ଦୁଇଟି ସ୍ୱତନ୍ତ୍ର ସଦସ୍ୟ ପଦ ଯୋଡ଼ିଛନ୍ତି। ସ୍ଥାନୀୟ ଅଞ୍ଚଳରେ ଉଚ୍ଚମାଧ୍ୟମିକ କିମ୍ବା କଲେଜରେ ପଢ଼ୁଥିବା ଜଣେ କିଶୋରୀଙ୍କୁ ସଦସ୍ୟ କରାଯିବ। ସେହିପରି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ନଥିବା ସୁଭଦ୍ରା ଯୋଜନାର ଜଣେ ହିତାଧିକାରୀଙ୍କୁ ମଧ୍ୟ କମିଟିରେ ସ୍ଥାନ ଦିଆଯିବ। ଏହାଦ୍ୱାରା କିଶୋରୀଙ୍କ ମତାମତ ଏବଂ ଯୋଜନାର ଲାଭାର୍ଥୀଙ୍କ ଅନୁଭୂତି ସିଧାସଳଖ କମିଟିରେ ପ୍ରତିଫଳିତ ହୋଇପାରିବ ବୋଲି ବିଭାଗ ଆଶା ରଖିଛି।

କମିଟି କେବଳ ବୈଠକ କରିବାରେ ସୀମିତ ରହିବ ନାହିଁ। ଅଙ୍ଗନୱାଡି କେନ୍ଦ୍ରର ଭିତ୍ତିଭୂମି, ପରିମଳ ବ୍ୟବସ୍ଥା, ପିଇବା ପାଣି, ଖାଦ୍ୟର ଗୁଣବତ୍ତା, ଶିଶୁଙ୍କ ବୃଦ୍ଧି ନିରୀକ୍ଷଣ, କୁପୋଷିତ ଶିଶୁଙ୍କ ଚିହ୍ନଟ, ଘର ପରିଦର୍ଶନ, ପୋଷଣ ଟ୍ରାକର ପଞ୍ଜିକରଣ, ସମୁଦାୟ ସଚେତନତା କାର୍ଯ୍ୟକ୍ରମ, ପୋଷଣ ବାଟିକା ସୃଷ୍ଟି, ଅଭିଯୋଗର ସମାଧାନ ଏବଂ ଅଙ୍ଗନୱାଡି ସେବାର ନିୟମିତ ସମୀକ୍ଷା କରିବା ଏହାର ପ୍ରମୁଖ ଦାୟିତ୍ୱ ହେବ। ଏହାସହ ସ୍ଥାନୀୟ ସ୍ୱାସ୍ଥ୍ୟ, ଶିକ୍ଷା ଓ ପଞ୍ଚାୟତ ସଂସ୍ଥା ସହ ସମନ୍ୱୟ ରକ୍ଷା କରି ବିଭିନ୍ନ କାର୍ଯ୍ୟକ୍ରମକୁ ଅଧିକ ପ୍ରଭାବଶାଳୀ କରିବାକୁ କମିଟି କାମ କରିବ।

ପ୍ରତି ଦୁଇ ମାସରେ ଅତିକମରେ ଥରେ କମିଟିର ବୈଠକ ବସିବ। ପ୍ରତ୍ୟେକ ବୈଠକର କାର୍ଯ୍ୟବିବରଣୀ ନିର୍ଦ୍ଦିଷ୍ଟ ଫର୍ମାଟରେ ପ୍ରସ୍ତୁତ କରି ସାତ ଦିନ ମଧ୍ୟରେ ସମ୍ପୃକ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ (ସିଡିପିଓ)ଙ୍କ ନିକଟରେ ଦାଖଲ କରିବାକୁ ପଡ଼ିବ। ପରବର୍ତ୍ତୀ ସମୟରେ ସିଡିପିଓ ବର୍ଷକୁ ଅତିକମରେ ଦୁଇଥର କମିଟିର ବୈଠକ ନିୟମିତତା, ଉପସ୍ଥାନ, ନିଷ୍ପତ୍ତିର କାର୍ଯ୍ୟକାରିତା ଏବଂ ସେବାର ଗୁଣବତ୍ତାର ସମୀକ୍ଷା କରିବେ।

ଅନ୍ୟପକ୍ଷରେ, ବର୍ତ୍ତମାନ ଅଙ୍ଗନୱାଡି ସ୍ତରରେ କାର୍ଯ୍ୟ କରୁଥିବା ଅଙ୍ଗନୱାଡି ସ୍ତରୀୟ ମନିଟରିଂ ଓ ସହାୟତା କମିଟି (ALMSC)କୁ ବିଲୋପ କରାଯିବ। ନୂତନ ଅଙ୍ଗନୱାଡି ପରିଚାଳନା କମିଟି ହିଁ ଅଙ୍ଗନୱାଡି ସେବାର ନିରୀକ୍ଷଣ, ସାମାଜିକ ତଦାରଖ, ସମୁଦାୟର ମତାମତ ସଂଗ୍ରହ ଓ ସେବାର ଗୁଣବତ୍ତା ବୃଦ୍ଧି ପାଇଁ ପ୍ରମୁଖ ମଞ୍ଚ ଭାବେ କାର୍ଯ୍ୟ କରିବ। ଏହାଦ୍ୱାରା ଅଙ୍ଗନୱାଡି କେନ୍ଦ୍ରଗୁଡ଼ିକରେ ଅଧିକ ସ୍ୱଚ୍ଛତା, ଉତ୍ତରଦାୟୀ ଓ ଲୋକଙ୍କ ସକ୍ରିୟ ଭାଗୀଦାରି ସୁନିଶ୍ଚିତ ହେବ ବୋଲି ବିଭାଗ ଆଶାବାଦୀ।

Leave A Reply

Your email address will not be published.