ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା-ପଶ୍ଚିମ ବଙ୍ଗ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ଯୋଗୁଁ ଗତ ଦୁଇ ଦିନ ଧରି ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଛି। ଏହାରି ମଧ୍ୟରେ ଗୁରୁବାର ଭିଜିଛି ପୁରୀ ବଡ଼ଦାଣ୍ଡ।
ଶ୍ରୀ ଜଗନ୍ନାଥ ମନ୍ଦିରର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଦେଖିବା ପାଇଁ ଲକ୍ଷ ଲକ୍ଷ ଭକ୍ତ ସମାଗମ ହୋଇଥିବା ପୁରୀରେ ଗତ ୪୮ ଘଣ୍ଟା ମଧ୍ୟରେ ୨୩୩.୩ ମିମି. ବର୍ଷା ରେକର୍ଡ କରାଯାଇଛି। ବରିଷ୍ଠ ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାସଙ୍କ ଅନୁଯାୟୀ ସହରରେ ଜୁଲାଇ ୧୪ରୁ ୧୫ ମଧ୍ୟରେ ୧୪୩.୮ ମିମି ବର୍ଷା ହୋଇଥିଲା। ଏହା ପରେ ଜୁଲାଇ ୧୫ରୁ ୧୬ ମଧ୍ୟରେ ଆହୁରି ୮୯.୫ ମିମି ବର୍ଷା ହୋଇଥିଲା।
କଟକ ଜିଲ୍ଲାର ବାଙ୍କୀରେ ସର୍ବାଧିକ ୨୧୦ ମିମି. ବର୍ଷା ରେକର୍ଡ କରାଯାଇଥିଲା। ଅନୁଗୁଳ ସହର ଏବଂ ତାଳଚେରରେ ଯଥାକ୍ରମେ ୨୦୬ ମିମି ଏବଂ ୧୯୫ ମିମି ବର୍ଷା ହୋଇଥିଲା। କଟକ ତିଗିରିଆ (୧୭୧ ମିଲିମିଟର), ଢେଙ୍କାନାଳର ପରଜାଙ୍ଗ (୧୪୨ ମିଲିମିଟର), ବୌଦ୍ଧର ହରଭଙ୍ଗା (୧୪୦ମିଲିମିଟର) ଏବଂ ନୟାଗଡ଼ ଭାପୁର (୧୩୨.୮ ମିଲିମିଟର) ସମେତ ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ପ୍ରବଳ ବର୍ଷା ରେକର୍ଡ କରାଯାଇଥିଲା।