Divine Mystery of Rath Yatra: ହଟିଆ ଠାକୁରର ହଟ ଲୀଳା; ରଥରେ ଚଢ଼ିବାକୁ ମନା କରିଦେଇଥିଲା ମନୁଆ, ୪୫ ମିନିଟ୍ ଧରି ଅଟକି ରହିଥିଲା ପହଣ୍ଡି…
ପୁରୀ: ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥ ରଥଯାତ୍ରା କେବଳ ଏକ ଧାର୍ମିକ ପର୍ବ ନୁହେଁ, ବରଂ ଏହା ମହାପ୍ରଭୁଙ୍କ ଅନନ୍ତ ଲୀଳା ଓ ଅଲୌକିକ ରହସ୍ୟର ପ୍ରତୀକ। ପ୍ରତିବର୍ଷ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରା ଶ୍ରୀମନ୍ଦିରରୁ ବାହାରି ରଥାରୂଢ଼ ହୋଇ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରନ୍ତି। ଭକ୍ତମାନଙ୍କ ପାଇଁ ଏହା ଭଗବାନ ଓ ଭକ୍ତଙ୍କ ମଧ୍ୟରେ ଏକ ଦିବ୍ୟ ମିଳନର ମୁହୂର୍ତ୍ତ। ଏହି ସମୟରେ ଅନେକ ଥର ମନୁଆ କାଳିଆର ଅନେକ ଲୀଳା ଦେଖିବାକୁ ମିଳିଛି ।
ହେଲେ ରଥଯାତ୍ରାର ଇତିହାସରେ ଏଭଳି ଏକ ଘଟଣା ଘଟିଥିଲା, ଯାହାକୁ ଆଜି ବି ସେବାୟତମାନେ ମହାପ୍ରଭୁଙ୍କ ଅଲୌକିକ ଲୀଳା ଭାବେ ସ୍ମରଣ କରନ୍ତି। ୧୯୭୦ ଦଶକର ଏକ ରଥଯାତ୍ରା ସମୟରେ ପ୍ରଥମେ ବଡ଼ଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରା ନିଜ ନିଜ ରଥରେ ବିରାଜମାନ ହୋଇଥିଲେ। ଏହାପରେ ପାରମ୍ପରିକ ପହଣ୍ଡିରେ ମହାପ୍ରଭୁ ଶ୍ରୀଜଗନ୍ନାଥ ନନ୍ଦିଘୋଷ ରଥ ନିକଟରେ ଥିବା ଚାରମାଳ (କାଠର ସିଢ଼ି) ପର୍ଯ୍ୟନ୍ତ ପହଞ୍ଚିଥିଲେ। କିନ୍ତୁ ସେଠାରେ ଘଟିଥିଲା ଏକ ଅଦ୍ଭୁତ ଘଟଣା। ସେବାୟତମାନେ ମହାପ୍ରଭୁଙ୍କୁ ରଥ ଉପରକୁ ନେବାକୁ ଚେଷ୍ଟା କରୁଥିଲେ। ପ୍ରଭୁ ଦୁଇ-ତିନି ପାହାଚ ଚଢ଼ିବା ପରେ ପୁଣି ପଛକୁ ଫେରି ଆସୁଥିଲେ। ବାରମ୍ବାର ଚେଷ୍ଟା ସତ୍ତ୍ୱେ ମହାପ୍ରଭୁ ରଥରେ ଆରୋହଣ କରୁନଥିଲେ। ଏଭଳି ସ୍ଥିତି ପ୍ରାୟ ୪୫ ମିନିଟ୍ ଧରି ଚାଲିଥିଲା। ହଜାର ହଜାର ଭକ୍ତ ଓ ସେବାୟତ ଏହି ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟଚକିତ ହୋଇପଡ଼ିଥିଲେ। କେହି ବୁଝିପାରୁନଥିଲେ ମହାପ୍ରଭୁ କାହିଁକି ରଥରେ ଚଢ଼ୁନାହାନ୍ତି? ହେଲେ ହଟିଆର ହଟ କିଛି ଅଲଗା ଥିଲା ।
ପରିସ୍ଥିତି ଜଟିଳ ହେବାରୁ ଏହି ଖବର ତତ୍କାଳୀନ ଗଜପତି ମହାରାଜଙ୍କୁ ଜଣାଯାଇଥିଲା। ଗଜପତି ମହାରାଜ, ଯିଏ ମହାପ୍ରଭୁଙ୍କ ପ୍ରଥମ ସେବକ ଭାବେ ପରିଚିତ, ସେ ରଥ ନିକଟକୁ ଆସି ମହାପ୍ରଭୁଙ୍କ ପଛପଟୁ ଭକ୍ତିଭାବରେ ସ୍ପର୍ଶ କରିଥିଲେ। ଆଉ ଆଶ୍ଚର୍ଯ୍ୟର କଥା, ଏହାର କିଛି ମୁହୂର୍ତ୍ତ ପରେ ମହାପ୍ରଭୁ ସିଧାସଳଖ ଆଗକୁ ବଢ଼ି ନନ୍ଦିଘୋଷ ରଥରେ ବିରାଜମାନ ହୋଇଥିଲେ। ଏହା ଦେଖି ଉପସ୍ଥିତ ଭକ୍ତମାନେ ‘ଜୟ ଜଗନ୍ନାଥ’ ଧ୍ୱନିରେ ବଡ଼ଦାଣ୍ଡକୁ ପ୍ରକମ୍ପିତ କରିଦେଇଥିଲେ।
ମହାପ୍ରଭୁ ଦର୍ପଣିଆ ସେବକ ନିଯୋଗ ସଭାର ସଭାପତି ଶ୍ୟାମସୁନ୍ଦର ବେଜ କୁହନ୍ତି, ସେ ସେହି ରଥଯାତ୍ରାରେ ମହାପ୍ରଭୁଙ୍କ ନିକଟରେ ସେବାରେ ନିୟୋଜିତ ଥିଲେ। ତାଙ୍କ ହାତରେ ପହଣ୍ଡିର ରସି ଥିଲା ଏବଂ ସେ ଏହି ଘଟଣାକୁ ନିଜ ଆଖିରେ ଦେଖିଥିଲେ। ତାଙ୍କ କହିବାନୁସାରେ, ଏହା ତାଙ୍କ ଜୀବନର ସବୁଠାରୁ ସ୍ମରଣୀୟ ସେବା ଅନୁଭୂତି ଥିଲା, ଯାହାକୁ ସେ ପ୍ରତିବର୍ଷ ରଥଯାତ୍ରା ସମୟରେ ସ୍ମରଣ କରନ୍ତି।
ସେହି ବର୍ଷ ଗୁଣ୍ଡିଚା ମନ୍ଦିରରେ ମଧ୍ୟ ଆଉ ଏକ ଚମତ୍କାର ଘଟଣା ଘଟିଥିଲା। ପହଣ୍ଡି ସମୟରେ ମହାପ୍ରଭୁଙ୍କୁ ଆଡ଼ପ ମଣ୍ଡପକୁ ନିଆଯାଉଥିବା ବେଳେ ହଠାତ୍ ସେ ଗୋଟିଏ ପାର୍ଶ୍ୱକୁ ଢଳି ପଡ଼ିଥିଲେ। ଏହା ଦେଖି ସେବାୟତ ଓ ଭକ୍ତମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। କିନ୍ତୁ କିଛି ସମୟ ପରେ ମହାପ୍ରଭୁ ପୁଣି ସନ୍ତୁଳିତ ହୋଇଥିଲେ ଏବଂ ପହଣ୍ଡି ନୀତି ସ୍ୱାଭାବିକ ଭାବେ ସମ୍ପନ୍ନ ହୋଇଥିଲା। ଅନେକ ଭକ୍ତ ଏହାକୁ ମହାପ୍ରଭୁଙ୍କ ଅନ୍ୟ ଏକ ଦିବ୍ୟ ଲୀଳା ବୋଲି ବିଶ୍ୱାସ କରନ୍ତି।
ତେବେ ଜଗନ୍ନାଥ ସଂସ୍କୃତିରେ ରଥଯାତ୍ରା କେବଳ ଏକ ପର୍ବ ନୁହେଁ। ଏହା ମହାପ୍ରଭୁଙ୍କ ସେହି ଦିବ୍ୟ ବାର୍ତ୍ତାର ପ୍ରତୀକ, ଯେଉଁଠାରେ ସେ ନିଜେ ରତ୍ନସିଂହାସନରୁ ବାହାରି ସମସ୍ତ ଜାତି, ଧର୍ମ, ବର୍ଣ୍ଣ ଓ ସମ୍ପ୍ରଦାୟର ଲୋକଙ୍କୁ ସମାନ ଭାବେ ଦର୍ଶନ ଦେଇଥାନ୍ତି।
ଚଳିତ ବର୍ଷ ମଧ୍ୟ ପାରମ୍ପରିକ ଭାବେ ପ୍ରଥମେ ଚକ୍ରରାଜ ସୁଦର୍ଶନ, ପରେ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଜଗନ୍ନାଥ ପହଣ୍ଡି ବିଜେ କରି ନିଜ ନିଜ ରଥରେ ବିରାଜମାନ ହୋଇଛନ୍ତି। ବଡ଼ଦାଣ୍ଡରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିବା ବେଳେ “ହରିବୋଲ”, “ଜୟ ଜଗନ୍ନାଥ”, ଶଙ୍ଖ, ଘଣ୍ଟ ଓ ମୃଦଙ୍ଗର ଧ୍ୱନିରେ ସମଗ୍ର ଶ୍ରୀକ୍ଷେତ୍ର ଭକ୍ତିମୟ ପରିବେଶରେ ଉଛୁଳି ଉଠିଛି।
୧୯୭୦ ଦଶକର ଏହି ରହସ୍ୟମୟ ଘଟଣା ଆଜି ମଧ୍ୟ ଭକ୍ତମାନଙ୍କ ମନରେ ଅମ୍ଳାନ ରହିଛି। ଅନେକଙ୍କ ବିଶ୍ୱାସ, ମହାପ୍ରଭୁଙ୍କ ପ୍ରତ୍ୟେକ ଲୀଳା ପଛରେ ରହିଥାଏ ଏକ ଗଭୀର ଆଧ୍ୟାତ୍ମିକ ସନ୍ଦେଶ, ଯାହାକୁ ବୁଝିବା ସାଧାରଣ ମଣିଷ ପାଇଁ ସମ୍ଭବ ନୁହେଁ।