ରାଉରକେଲା: ରାଉରକେଲା ରେଳୱେ କଲୋନୀ ଅଞ୍ଚଳର ମଧୁସୂଦନ ପାଲି ଠାରେ ରବିବାର ବିଳମ୍ବିତ ରାତିରେ ଜଣେ ୫୮ ବର୍ଷୀୟ ବ୍ୟକ୍ତି ଶୋଇଥିବା ଅବସ୍ଥାରେ ନିଆଁରେ ପୋଡ଼ି ହୋଇ ପ୍ରାଣ ହରାଇଛନ୍ତି।
ମୃତକଙ୍କ ପରିଚୟ ଜିତେନ୍ଦ୍ର ସାହା ଭାବେ ଚିହ୍ନଟ କରାଯାଇଛି। ଯେତେବେଳେ କି ଘରର ଅନ୍ୟ ଏକ କୋଠରୀରେ ଶୋଇଥିବା ତାଙ୍କ ପୁଅ ରୋହିତ ସାହା ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ସୂଚନା ଅନୁଯାୟୀ, ଘଟଣାଟି ରାତି ପ୍ରାୟ ୧ଟା ୩୦ ମିନିଟ୍ ସମୟରେ ଘଟିଥିଲା। ଜିତେନ୍ଦ୍ର ଶୋଇଥିବା କୋଠରୀରୁ ନିଆଁ ବାହାରୁଥିବା ଦେଖି ପଡ଼ୋଶୀମାନେ ଚିତ୍କାର କରି ଅନ୍ୟମାନଙ୍କୁ ଜଣାଇବା ସହ ନିଆଁ ଲିଭାଇବା ଓ ଜିତେନ୍ଦ୍ରଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ। ଏଥିସହିତ ସେମାନେ ଅଗ୍ନିଶମ ବିଭାଗକୁ ମଧ୍ୟ ଖବର ଦେଇଥିଲେ।
ତେବେ କୋଠରୀଟି ଭିତରୁ ବନ୍ଦ ଥିବାରୁ ଲୋକ ମାନେ ଜିତେନ୍ଦ୍ରଙ୍କ ନିକଟରେ ପହଞ୍ଚିବା କଷ୍ଟକର ହୋଇପଡ଼ିଥିଲା। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଗୁରୁତର ଭାବେ ପୋଡ଼ି ହେବା କାରଣରୁ ଜିତେନ୍ଦ୍ରଙ୍କ ମୃତ୍ୟୁ ହୋଇସାରିଥିଲା।
ଖବର ପାଇ ପ୍ଲାଣ୍ଟସାଇଟ୍ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ରାଉରକେଲା ସରକାରୀ ଡାକ୍ତରଖାନା (ଆରଜିଏଚ୍)କୁ ପଠାଇଥିବା ଜଣାପଡ଼ିଛି। ଅପରପକ୍ଷରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ନିଆଁ ଲାଗିବାର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି।

