ଇସ୍ରାଏଲ : ୨୦୧୯ଠାରୁ ୨୦୨୬ ଅଗଷ୍ଟ ମଧ୍ୟରେ ଇସ୍ରାଏଲ୍ର ପ୍ରଧାନମନ୍ତ୍ରୀମାନଙ୍କ ହେୟାର ଷ୍ଟାଇଲିଂ, ମେକଅପ୍ ଏବଂ ଆନୁଷଙ୍ଗିକ ସରକାରୀ ପ୍ରତିନିଧିତ୍ୱ ବାବଦରେ ୪.୪୯ କୋଟି ଟଙ୍କା (ପ୍ରାୟ ୪ଲକ୍ଷ ୭୦,୦୦୦ ଆମେରିକୀୟ ଡଲାର) ଖର୍ଚ୍ଚ ହୋଇଥିବା ଏକ ସରକାରୀ ରିପୋର୍ଟରୁ ସାମ୍ନାକୁ ଆସିଛି। ‘ମୁଭମେଣ୍ଟ ଫର ଫ୍ରିଡମ୍ ଅଫ୍ ଇନଫର୍ମେସନ୍’ ପକ୍ଷରୁ ଆବେଦନ ଆଧାରରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଏହି ତଥ୍ୟ ସାର୍ବଜନୀନ କରିଛି।
ସବୁଠାରୁ ରୋଚକ କଥା ହେଉଛି, ଏହି ବିପୁଳ ପରିମାଣର ମୋଟ୍ ଖର୍ଚ୍ଚର ପ୍ରାୟ ୯୦ ପ୍ରତିଶତ କେବଳ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏବଂ ତାଙ୍କ ପତ୍ନୀ ସାରା ନେତାନ୍ୟାହୁଙ୍କ ସୌନ୍ଦର୍ଯ୍ୟ ବାବଦରେ ବ୍ୟୟ ହୋଇଛି। ଅନ୍ୟପକ୍ଷରେ, ନଫତାଲି ବେନେଟ୍ ଏବଂ ୟାଏର ଲାପିଡ୍ଙ୍କ କାର୍ଯ୍ୟକାଳ ମଧ୍ୟରେ ଏହି ଖର୍ଚ୍ଚ ତୁଳନାତ୍ମକ ଭାବେ ବହୁତ କମ୍ ରହିଥିଲା।
ଗାଜା ଯୁଦ୍ଧ ଚାଲିଥିବା ସମୟରେ ଅର୍ଥାତ୍ ୨୦୨୩ ସେପ୍ଟେମ୍ବରରୁ ନଭେମ୍ବର ମଧ୍ୟରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ହେୟାର ଷ୍ଟାଇଲିଂ ପାଇଁ ପ୍ରାୟ ୨.୧୬ ଲକ୍ଷ ଟଙ୍କା ଏବଂ ମେକଅପ୍ ପାଇଁ ପ୍ରାୟ ୧.୩ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା। ୨୦୨୫ ମସିହାରେ ସର୍ବାଧିକ ସହେ ଏଗାର ହଜାର ଡଲାର ଏହି କାର୍ଯ୍ୟରେ ବ୍ୟୟ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି।
ତେବେ ଏହି ରିପୋର୍ଟରେ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ହେୟାର ଷ୍ଟାଇଲିଷ୍ଟ ଏବଂ ମେକଅପ୍ ଆର୍ଟିଷ୍ଟଙ୍କ ନାମ ଗୋପନ ରଖାଯାଇଛି। ସୁରକ୍ଷା କାରଣ ଦର୍ଶାଇ କାର୍ଯ୍ୟାଳୟ ପକ୍ଷରୁ ସେମାନଙ୍କ ପରିଚୟ ସାର୍ବଜନୀନ କରାଯାଇ ନାହିଁ। ଦେଶରେ ଯୁଦ୍ଧ ଏବଂ ଆର୍ଥିକ ସଙ୍କଟ ଜାରି ରହିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଏପରି ବ୍ୟକ୍ତିଗତ ଖର୍ଚ୍ଚକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଓ ସମାଲୋଚନା ଜୋର ଧରିଛି।


Comments are closed.