Latest Odisha News

BREAKING NEWS

ବ୍ରହ୍ମପୁର ଗୋଳନ୍ଥରା ଥାନା ସମ୍ମୁଖରେ ବୁଲିଲା ଖଣ୍ଡା: ଆକ୍ରମଣରେ ମହିଳା କର୍ମଚାରୀ ଗୁରୁତର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଉପକଣ୍ଠ ଗୋଳନ୍ଥରା ଥାନା ସମ୍ମୁଖରେ ଗତକାଲି ରାତିରେ ଏକ ଅଭାବନୀୟ ତଥା ରକ୍ତାକ୍ତ ଘଟଣା ଦେଖିବାକୁ ମିଳିଛି। ଥାନା ସାମ୍ନାରେ ଥିବା ଏକ ଚା’ ଦୋକାନ ନିକଟରେ ଜଣେ ମହିଳାଙ୍କୁ ଅତି ନିର୍ମମ ଭାବେ ଖଣ୍ଡାରେ ହାଣି ଆକ୍ରମଣ କରାଯାଇଛି। ଆକ୍ରମଣର ଶିକାର ହୋଇଥିବା ମହିଳା ଜଣକ ସେହି ଗୋଳନ୍ଥରା ଥାନାରେ ହିଁ ଝାଡୁଦାର ଭାବେ କାର୍ଯ୍ୟ କରୁଥିବା ଜଣାପଡ଼ିଛି। ତାଙ୍କ ନାମ ଏମ. କାନ୍ତାମ୍ମା ଏବଂ ସେ ପାଲୁର ହିଲ୍ ଶାନ୍ତି ନଗର ଅଞ୍ଚଳର ବାସିନ୍ଦା।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ଏମ. କାନ୍ତାମ୍ମା କାମ ସାରି ଥାନା ସମ୍ମୁଖରେ ଥିବା ଏକ ଚା’ ଦୋକାନ ନିକଟରେ ଠିଆ ହୋଇଥିଲେ। ଏହି ସମୟରେ ହଠାତ୍ ତାଙ୍କରି ସାହିରେ ରହୁଥିବା କ୍ରିଷ୍ଣା ଦୋରା ନାମକ ଜଣେ ଯୁବକ ଏକ ଖଣ୍ଡା ଧରି ସେଠାରେ ପହଞ୍ଚିଥିଲା। କେହି କିଛି ବୁଝିବା ପୂର୍ବରୁ କ୍ରିଷ୍ଣା ଅତର୍କିତ ଭାବେ କାନ୍ତାମ୍ମାଙ୍କ ଉପରକୁ ଖଣ୍ଡାରେ ଆକ୍ରମଣ କରିଥିଲା।

ତେବେ ଘଟଣାସ୍ଥଳରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକେ ତୁରନ୍ତ ଦୁଃସାହସିକତାର ସହ ଆକ୍ରମଣକାରୀ କ୍ରିଷ୍ଣାକୁ କାବୁ କରିନେଇଥିଲେ। ଲୋକେ ତାକୁ ଧରି ସାଙ୍ଗେ ସାଙ୍ଗେ ଗୋଳନ୍ଥରା ଥାନା ପୋଲିସର ଜିମା ଦେଇଥିଲେ। ଏପଟେ ଖଣ୍ଡା ଚୋଟରେ ଗୁରୁତର ଭାବେ ଆହତ ହୋଇଥିବା କାନ୍ତାମ୍ମାଙ୍କୁ ତୁରନ୍ତ ଉଦ୍ଧାର କରି ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସେଠାରେ ତାଙ୍କର ଚିକିତ୍ସା ଜାରି ରହିଥିବା ସୂଚନା ମିଳିଛି।

ପ୍ରାଥମିକ ତଦନ୍ତରୁ ଏହି ଖଣ୍ଡା ବୁଲା ପଛରେ କୌଣସି ପୂର୍ବ ଶତ୍ରୁତା ଥିବା ପୋଲିସ ସନ୍ଦେହ କରୁଛି। ଉଭୟ ଆକ୍ରମଣକାରୀ ଏବଂ ପୀଡ଼ିତା ଗୋଟିଏ ସାହିର ବାସିନ୍ଦା ହୋଇଥିବାରୁ ପୂର୍ବରୁ ସେମାନଙ୍କ ମଧ୍ୟରେ କୌଣସି ବିବାଦ ଲାଗି ରହିଥିବା ଅନୁମାନ କରାଯାଉଛି। ଗୋଳନ୍ଥରା ଥାନା ପୋଲିସ ଅଭିଯୁକ୍ତ ଯୁବକକୁ ଅଟକ ରଖି ପଚରାଉଚରା କରିବା ସହ ଘଟଣାର ଅଧିକ ଖୋଳତାଡ଼ ଜାରି ରଖିଛି। ଥାନା ସମ୍ମୁଖରେ ଏଭଳି ଆକ୍ରମଣ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି।

Leave A Reply

Your email address will not be published.